ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଗୋଟିଏ ମାତ୍ରା କୋଭାକ୍ସିନ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ : ଆଇସିଏମଆର ଗବେଷଣା

ନୂଆଦିଲ୍ଲୀ :  ଭାରତରେ ବିକଶିତ କରୋନା ଟିକା କୋଭାକ୍ସିନ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜଣାପଡ଼ିଛି । ଯଦି ଜଣେ ପୂର୍ବରୁ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବ, ତାକୁ ଗୋଟିଏ ମାତ୍ରା କୋଭାକ୍ସିନ ଦେଲେ ଯେତିକି ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ, ଜଣେ ସଂକ୍ରମିତ ହୋଇନଥିବା ଲୋକକୁ ଦୁଇଟି ମାତ୍ରା କୋଭାକ୍ସିନ ଦେଲେ ସେତିକି ଆଣ୍ଟିବଡି ସୃଷ୍ଟି ହେବ ।

ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଏହି ଅଧ୍ୟୟନରେ ୧୧୪ ଜଣ ସ୍ବାସ୍ଥ୍ୟସେବା କର୍ମୀଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୦ ଜଣ ପୂର୍ବରୁ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ଅନ୍ୟମାନେ କେବେବି କରୋନା ଆକ୍ରାନ୍ତ ହୋଇନଥିଲେ । ଚଳିତ ବର୍ଷ ଫେବ୍ରୁଆରିରୁ ମେ ମାସ ମଧ୍ୟରେ ଏହି ବ୍ୟକ୍ତିମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଯେଉଁମାନେ ପୂର୍ବରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ, ସେମାନଙ୍କୁ ଗୋଟିଏ ଟିକା ଦେବା ପରେ ସେମାନଙ୍କ ଶରୀରରେ ଯଥେଷ୍ଟ ପରିମାଣରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା, ଯାହାକି ଦୁଇଟି ଟିକା ନେବା ପରେ ଜଣେ ଅସଂକ୍ରମିତ ବ୍ୟକ୍ତି ଶରୀରରେ ଥିବା ଆଣ୍ଟିବଡ଼ି ସହ ସମାନ ଥିଲା  ।

ସୂଚନାଯୋଗ୍ୟ ଯେ କୋଭାକ୍ସିନ ଟିକାକୁ ଭାରତ ବାୟୋଟେକ ଓ ଆଇସିଏମଆର ମିଳିତ ଭାବେ ବିକାଶ କରିଛନ୍ତି ।

 

ସମ୍ବନ୍ଧିତ ଖବର