ବିଜେଡି ଛାଡି ବିଜେପିରେ ମିଶିଲେ ଜଗନ୍ନାଥ ନୁଣ୍ଡ୍ରୁକା

ରାୟଗଡା: ଦଳରେ ଆଉ ଗଣତାନ୍ତ୍ରିକ ଶାସନ ନାହିଁ। ଅମଲାତନ୍ତ୍ର ଶାସନ ଚାଲିଛି। କାମ କରିବ କର୍ମୀ ଶ୍ରେୟ ନେବେ ବଡ ବଡିଆ।୨୨ ବର୍ଷର ତପସ୍ୟା ପରେ ମଧ୍ୟ ଦଳ ଚିହ୍ନିଲା ନାହିଁ। ଏହା ଆମେ କହୁନାହୁଁ, ଏହି ଉକ୍ତି ହେଉଛି ବିଜେଡିର ଆଗଧାଡିର ନେତା ଜଗନ୍ନାଥ ନୁଣ୍ଡ୍ରୁକାଙ୍କର। ଆଜି ସେ ଶଂଖର ହାତ ଛାଡି ପଦ୍ମ ଧରିଛନ୍ତି । ଭୁବନେଶ୍ବରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଗନ୍ନାଥ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ପୂର୍ବତନ ୪ ଜଣ ସରପଞ୍ଚ ଏବଂ ସମିତି ସଭ୍ୟମାନେ ବିଜେପିରେ ଯୋଗ ଦେଇଛନ୍ତି। ଦୀର୍ଘ ୨୨ ବର୍ଷ ବିଜେଡିରେ ଝାଳ ବୁହାଇ କାମ କରିବା ପରେ ମଧ୍ୟ ଦଳ ଜାଣିପାରିଲା ନାହିଁ।ଆମର ଅନୁରୋଧକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲା। ଥରେ ବି ସୁଯୋଗ ଦେଲେ ନାହିଁ ବୋଲି କ୍ଷୋଭର ସହ ଜଗନ୍ନାଥ ସମ୍ବାଦକୁ ସାକ୍ଷାତ କହିଛନ୍ତି। କାହିଁକି ସେ ବିଜେଡି ଛାଡିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ ଉପରୋକ୍ତ ସବୁ ବିଷୟ ବଖାଣିଥିଲେ। ଆଉ କେତେ ବର୍ଷ ବିଜେଡିରେ କାମ କଲେ ସୁପ୍ରିମୋ କିମ୍ବା ଅନ୍ୟ ଆଗଧାଡିର ନେତାମାନେ ଚିହ୍ନିବେ ବୋଲି ସେ କହିଥିଲେ। ବିଜେଡିର କର୍ମୀମାନଙ୍କୁ ମର୍ଯ୍ୟଦା ନାହିଁ। ଆଜି ପର୍ଯ୍ୟନ୍ତ ଅଣଦେଖା କରି ଚାଲିଲେ ବୋଲି ଜଗନ୍ନାଥ କହିଛନ୍ତି।

ତେଣୁ ବିଜେପିରେ ସାମିଲ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରିବେ ବୋଲି କହିଥିଲେ। ପ୍ରକାଶ ଥାଉକି ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ନିଜ ପଞ୍ଚାୟତ ଶିବପଦରର ସମିତି ସଭ୍ୟ ଜିତି ଆସିଛନ୍ତି। ପରେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସରପଞ୍ଚ ଏବଂ ୨୦୧୭ରେ ପୁଣି ସମିତି ସଭ୍ୟ ହେବା ପରେ ୨୦୧୮ରେ ଇସ୍ତଫା ଦେଇ ଆଦିବାସୀ ସ୍ବତନ୍ତ୍ର ବିକାଶର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ। ଏବେ ସେ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଏବଂ ଓଡିଶା ସମବାୟ ବ୍ୟାଙ୍କର ମଧ୍ୟ ନିର୍ଦ୍ଦେଶକ ରହିଥିବା କହନ୍ତି। ଜଗନ୍ନାଥ ବିଜେପିରେ ମିଶିବା ପରେ ବିଜେଡିର ଗଣିତ ଭୁଲ ହେବ ବୋଲି ଆଲୋଚନା ଜୋର ଧରିଛି। ଆଗାମୀ ଦିନରେ ବିଷମକଟକ ନିର୍ବାଚନ ମଣ୍ଡଳୀରେ ଜଗନ୍ନାଥ ବନାମ ଜଗନ୍ନାଥଙ୍କୁ ଲୋକେ ଦେଖିବେ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେଡି ଏଥର କିନ୍ତୁ ସହଜରେ ବିଜୟୀ ହେବ ନାହିଁ ବୋଲି ମଧ୍ୟ ଆଲୋଚନା ଜୋର ଧରିଛି।

ବିଷମକଟକରେ ବିଜେପି ବିଜେଡିକୁ ବାଜିମାତ ଦେବାରେ ଏଥର ସଫଳ ହେବ ବୋଲି ଆଶା ପ୍ରକଟ କରିଛି। ଜଗନ୍ନାଥ ନୁଣ୍ଡ୍ରୁକାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ ଦଳ ଯାହା ଚାହିଁବ ସେ କରିବେ। ଦଳ ଟିକଟ ଦେଲେ ଲଢିବେ ବୋଲି କହିଥିଲେ। ବିଜେଡି କିନ୍ତୁ ଜଗନ୍ନାଥଙ୍କୁ ନେଇ ଆଦୌ ବିଚଳିତ ନୁହେଁ। ଜଗନ୍ନାଥ ଗଲା ପରେ ବିଜେଡିର କୌଣସି କ୍ଷତି ହେବ ନାହିଁ ବୋଲି ବିଜେଡିର ନେତାମାନେ କହିଛନ୍ତି । ଜିଲ୍ଲାରେ ବିଜେପିର ସ୍ଥିତି ନାହିଁ ବୋଲି ବିଜେଡି କହୁଛି। ସେ ବିଜେପି ଗଲେ ତାଙ୍କର ବ୍ୟକ୍ତିଗତ ଇଛା। ତେଣୁ ନିର୍ବାଚନରେ ବିଜେଡି ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି କର୍ମୀ ଯୁକ୍ତି ବାଢ଼ିଛନ୍ତି । ତେବେ ଆଗାମୀ ନିର୍ବାଚନରେ ଯଦି ବିଜେପି ଜଗନ୍ନାଥଙ୍କୁ ଟିକଟ ଦିଏ ତେବେ ଜୋରଦାର ଲଢେଇ ହେବା ନେଇ ରାଜନୈତିକ ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର