ଆଉ ୫ ଦିନ କାଳବୈଶାଖୀ, ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ବର: ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଗାତାର କାଳବୈଶାଖୀ ବର୍ଷା‌ ଯୋଗୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କମିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସା‌ରେ ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଜାରି ରହିଛି । ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବା ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସକାଳେ ଖରା ଅପରାହ୍ନରେ ହେବ କାଳବୈଶାଖୀ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ଖାସ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହୁଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୯ ତାରିଖ ଗୁରୁବାର ମଧ୍ୟ କାଳବୈଶାଖୀ ପ୍ରଭାବ ରହିବାର ପୂର୍ବାନୁମାନ କରାଯାଇଛି। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ କହିଛି। କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୮ରୁ ୯ ଡିଗ୍ରୀ ହ୍ରାସ ପାଇଛି। ବୁଧବାର ରାଜ୍ୟର ୨୦ ସହରରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିବା ରେକର୍ଡ ହୋଇଥିଲା ।

ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ପବନ ବହିଥିଲା। ଫଳରେ ଗଛ ଉପୁଡିବା ସହ କିଛି ଘରର ଛାତ ମଧ୍ୟ ଉଡିଯାଇଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିବାରୁ ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ପ୍ରଭାବିତ ହୋଇଥିଲା। ଏହା ସହିତ ଲୋ ଭୋଲଟେଜ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା।

 

 

ସମ୍ବନ୍ଧିତ ଖବର