ପୂର୍ବ ଲଦାଖ ବିବାଦୀୟ ଅଞ୍ଚଳର ଶୀଘ୍ର ହେବ ସମାଧାନ, ରାଜି ହେଲା ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ

ବେଜିଂ: ପୂର୍ବ ଲଦାଖରେ ଥିବା ଭାରତ ଏବଂ ଚୀନର ବିବାଦୀୟ ଅଞ୍ଚଳ ପ୍ରସଙ୍ଗ ନେଇ ଏକ ବଡ଼ ବିବୃତ୍ତି ଏବେ ସାମ୍ନାକୁ ଆସିଛି। ପୂର୍ବ ଲଦାଖରେ ବିବାଦର ସମାଧାନ ପାଇଁ ପାରସ୍ପରିକ ସମାଧାନ ପାଇଁ ଚୀନ ଏବଂ ଭାରତ ଯୋଗାଯୋଗ ବଜାୟ ରଖିଛନ୍ତି। ଚୀନର ସେନା କହିଛି ଆମେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛୁ। ପୂର୍ବ ଲଦାଖର କିଛି ଅଞ୍ଚଳ ଉପରେ ଭାରତ ଏବଂ ଚୀନ ସୈନ୍ୟବାହିନୀ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଛି। ଉଭୟ ପକ୍ଷ ମଧ୍ୟରେ ବ୍ୟାପକ କୂଟନୈତିକ ଏବଂ ସାମରିକ ଆଲୋଚନା ପରେ ବିଭିନ୍ନ କ୍ଷେତ୍ରରେ ସୈନ୍ୟ ପ୍ରତ୍ୟାହାର କରାଯାଇଛି।

ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସିନିୟର କର୍ଣ୍ଣେଲ ଝାଙ୍ଗ ଜିଆଓଗାଙ୍ଗ କହିଛନ୍ତି ପରସ୍ପରର ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଯୋଗାଯୋଗ, ବିସ୍ତୃତ ଆଲୋଚନା ଏବଂ ସକାରାତ୍ମକ ଚର୍ଚ୍ଚା ହୋଇଛି। ଖୁବ୍ ଶୀଘ୍ର ଆମେ ଏହାର ସମାଧାନ କରିବୁ। ଫେବ୍ରୁଆରୀ ୧୯ ରେ ଭାରତ ଏବଂ ଚୀନ ମଧ୍ୟରେ ଆୟୋଜିତ କମାଣ୍ଡରସ୍ତରୀୟ ଆଲୋଚନା ବିଷୟରେ ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଆମେ ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ଗୁରୁତ୍ୱ ଦେଉଛୁ। ଆଶା କରୁଛୁ ଭାରତ ଏବଂ ଚୀନ ସମାନ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବେ। ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ବୃଦ୍ଧି ହୋଇ ପାରିବ। ଆମେ ବିବାଦକୁ ଶୀଘ୍ର ସମାଧାନ କରିବୁ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୯ ରେ ଅନୁଷ୍ଠିତ ହୋଇଥିବା ଆଲୋଚନା ହେଉଛି ପୂର୍ବ ଲଦାଖ ବିବାଦର ସମାଧାନ ପାଇଁ ଦୁଇ ସେନା ମଧ୍ୟରେ ୨୧ ତମ ଆଲୋଚନା। ମେ ୨୦୨୦ ରେ ଚୀନର ସାମରିକ ଆକ୍ରମଣ ଗାଲୱାନ୍ ଉପତ୍ୟକା ବିବାଦକୁ ବଢ଼ାଇ ଦେଇଥିଲା, ଯାହାକି ଦଶନ୍ଧି ମଧ୍ୟରେ ଭାରତ ଏବଂ ଚୀନ ମଧ୍ୟରେ ସବୁଠାରୁ ଗୁରୁତର ସାମରିକ ବିବାଦ ଥିଲା।
ଚୀନ ସେନା ଅନୁଯାୟୀ, ଉଭୟ ପକ୍ଷ ଏପର୍ଯ୍ୟନ୍ତ ଚାରୋଟି ପଏଣ୍ଟ ଗାଲୱାନ୍ ଭ୍ୟାଲି, ପାଙ୍ଗୋଙ୍ଗ ହ୍ରଦ, ହଟ୍ ସ୍ପ୍ରିଙ୍ଗସ୍ ଏବଂ ଜିଆନାନ୍ ଦବନ୍ (ଗୋଗ୍ରା) ଠାରେ ପଛକୁ ହଟିବାକୁ ରାଜି ହୋଇଛନ୍ତି। ଏହା ସୀମାରେ ଉତ୍ତେଜନା ହ୍ରାସ କରିବାରେ ସହାୟକ ହେବ। କିନ୍ତୁ ଡେପସାଙ୍ଗ ଏବଂ ଡେମଚୋକରେ ସମାନ ଚୁକ୍ତିରେ ପହଞ୍ଚିବା ନେଇ ଆଲୋଚନାରେ ବାଧା ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଭାରତୀୟ ଦଳ ଦାବି କରିଛି।

ସମ୍ବନ୍ଧିତ ଖବର