୭ ଘରୁ ଚୋରି, ପୁଲିସ୍‌ ହାତ ଖାଲି:୪ ନାବାଳକଙ୍କୁ ଧରିଲେ ଗ୍ରାମବାସୀ

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ବିଭିନ୍ନ ଗାଁରେ ଗତ ୪ ତାରିଖରୁ ୮ ତାରିଖ ମଧ୍ୟରେ ୭ଜଣଙ୍କ ଘରୁ ଚୋରି ଯାଇଥିବା ବେଳେ ପୁଲିସ ଏ ଯାଏଁ କାହାରିକୁ ଗିରଫ କରିପାରି ନାହିଁ। ଅପରପକ୍ଷରେ କାଳିଆପାଣି ପଞ୍ଚାୟତ ଅଫିସ୍‌ ପରିସରରୁ ଧାରାବାହିକ ଭାବେ ଲୌହ ସାମଗ୍ରୀ ଲୁଟ୍‌ ହେଉଥିବା ବେଳେ ସ୍ଥାନୀୟ ଲୋକେ ଚାରି ଜଣ ନାବାଳକକୁ ଚୋରି କରୁଥିବା ବେଳେ ଧରିଥିଲେ। ପରେ ପୁଲିସ୍‌ ଉପସ୍ଥିତିରେ ସେମାନଙ୍କ ଅଭିଭାବକଙ୍କୁ ଡକାଇ ତାଗିଦ୍‌ କରାଯିବା ସହ କ୍ଷତିପୂରଣ ଆଦାୟ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ରାତି କାଙ୍କଡ଼ପାଳ ଗାଁର ଉମାକାନ୍ତ ବେହେରା, ପ୍ରଦୀପ୍ତ ପାତ୍ର ଓ ତାଙ୍କ ଭାଇ ବାବୁଲି ପାତ୍ର ଘରୁ ଲୁଟ୍‌ ହୋଇଥିଲା। ଉମାକାନ୍ତଙ୍କ ଘରୁ ଲୁଟେରାମାନେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାଓ କିଛି ଦାମି ଜିନିଷ ଲୁଟି ନେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ପାଇଁ ପ୍ରଥମ କିସ୍ତି ଟଙ୍କା ଉଠାଇଥିବା ପ୍ରଦୀପଙ୍କ ଘରୁ ୨୦ ହଜାର ଟଙ୍କା ଏବଂ ବାବୁଲିଙ୍କ ଘରୁ ହଳେ କାନଫୁଲ ଓ ୨ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୪ ତାରିଖ ଭୀମଟାଙ୍ଗର ଗାଁର କଳାକର ମହାନ୍ତଙ୍କ ଘରୁ ଏବଂ ପରଦିନ ଭାଲୁକିପାତଳା ନାଏକ ସାହିର ଚେମ ମହାନ୍ତ ଏବଂ ପଡ଼ୋଶୀ ଅଜୟ ବାରିକ ଓ ପୁଅ ତାଙ୍କ ପୁଅ ବରୁଣ ବାରିକଙ୍କ ଘରୁ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ ହୋଇଥିଲା। ଗତ ୪ ତାରିଖରୁ ୮ ତାରିଖ ମଧ୍ୟରେ ୭ଟି ଘରୁ ଚୋରି ନେଇ ଥାନାରେ ଏକାଧିକ ମାମଲା ପଞ୍ଜୀକୃତ ହୋଇଥିଲା। ତେବେ ଏହି ସବୁ ଘଟଣାରେ କେହି ଧରାପଡି ନଥିବା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର