ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତ ପୂର୍ବରୁ ରାସ୍ତା ଅବରୋଧ

ପଟ୍ଟାଙ୍ଗି: କୋଟିଆ ପଞ୍ଚାୟତର ମାଡକାର ପୋଲଠାରେ ଭଲ ରାସ୍ତାରେ ୩ ଟ୍ରକ ମାଟି ପକାଇ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ତେବେ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଅଞ୍ଚଳର ପାଟୁସିନେରୀ ଓ ଫଗୁଣସିନେରୀ ଗ୍ରାମକୁ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଉକ୍ତ ରାସ୍ତା ଅବରୋଧ ନେଇ ଆନ୍ଧ୍ର ନା ପଟାଙ୍ଗି ପ୍ରଶାସନ ମାଟି ପକାଇଛି ତାହା ଜଣା ପଡ଼ିନାହିଁ। ତେବେ ହଠାତ୍ ଯିବା ଆସିବା ମୁଖ୍ୟ ରାସ୍ତାରେ ମାଟି ପକାଇ ଅବରୋଧକୁ ନେଇ ମାଓ ସଂଗଠନର କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ବି ସନ୍ଦେହ ଉଠୁଛି । ତେବେ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରାଙ୍କ ଗସ୍ତକୁ ନେଇ ଦୁଇ ରାଜ୍ୟର ଛକା ପଞ୍ଝା ଲାଗିଛି।

NTV TELUGU

ଉଲ୍ଲେଖଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ ଆସୁଥିବାରୁ ସ୍ବାଗତ ଜଣାଇବା ପାଇଁ ଦଳୀୟ କର୍ମୀ ଉତ୍ସାହିତ ରହିଛନ୍ତି। ଏପରିକି ଫଗୁଣସେନେରୀ ଓ ଫାଟୁସେନେରୀ ଗାଁର ପ୍ରତି ଘରେ ଆନ୍ଧ୍ର ସରକାରଙ୍କ ପୋଷ୍ଟର ମାରିଛନ୍ତି। ଆଜି ପଦଯାତ୍ରା ସହ ଘର ଘର ବୁଲି ଆନ୍ଧ୍ର ସରକାରଙ୍କ ଯୋଜନାକୁ ପ୍ରଚାର କରାଯିବ। ସେହିପରି ନିଜେ ଉପମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ ଆଲୋଚନା କରି ଜଗନ ସରକାରଙ୍କ ଯୋଜନାର ସଫଳତା ଲୋକଙ୍କୁ ବଖାଣିବେ।

ଏହାବ୍ୟତୀତ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରାଯିବ। ଏଥିପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ସଭା ସହ କିଛି ଯୋଜନା ଶୁଭାରମ୍ଭ କରିବାକୁ ଯୋଜନା ରହିଥିବା ସୂଚନା ମିଳିଛି।

ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ସୁଦ୍ଧା ୱାଇଏସ୍‌ଆର କଂଗ୍ରେସ କର୍ମୀ ତଥା ଏଜେଣ୍ଟ ବିଶୁ ଗେମେଲଙ୍କୁ ସମସ୍ତ ଦାୟିତ୍ବ ଦିଆଯାଇଛି। ଦୁଇ ଗାଁର ବହୁ ସଂଖ୍ୟାରେ ଲୋକ ଯେମିତି ଯୋଗଦେବେ ସେଥିପାଇଁ ଆଜି ବିଶୁ ‌ଗେମେଲ ଗାଁ ମୁଖିଆ ଏବଂ ଯୁବକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ, ପରିସ୍ଥିତି ଅନୁଧ୍ୟାନ କରିବାକୁ ସାଦା ପୋଷାକରେ ଆନ୍ଧ୍ର ପୁଲିସ କୋଟିଆରେ ଅନୁପ୍ରବେଶ କରିଥିଲା। ନାରେଡିବାଲସାରୁ କୋଟିଆ ପର୍ଯ୍ୟନ୍ତ ରାସ୍ତା ସାରା ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିବା ବେଳେ ମାଡକାର ଦେଇ ଫାଟୁସିନେରୀ ଓ ଫଗୁଣସେନେରୀକୁ ଯାଇଥିବା ଜଣାପଡିଛି। ଆଜିର କାର୍ଯ୍ୟକ୍ରମରେ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଏସ୍‌ପି ଏସ୍‌.ସିଦ୍ଧାନ୍ତ କୁମାରଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ କୋଟିଆ ଆସିବା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।

ସମ୍ବନ୍ଧିତ ଖବର