ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଡୁମୁରିପୁଟ-ଉମ୍ବେଲ ରାସ୍ତାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୩ଜଣ ଦୁର୍ବୃତ୍ତ ୮୪ହଜାର ୭୪୫ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ ଅର୍ଣ୍ଣପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଭୁବନ ବିଷୋୟୀ ଆଜି ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବେଲ ଅଞ୍ଚଳକୁ ଜମାକାରୀଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଯାଇଥିଲେ। ଏହି ଅଞ୍ଚଳରୁ ୮୪ହଜାର ୭୪୫ଟଙ୍କା ଆଦାୟ କରିବା ପରେ ଅପରାହ୍ନରେ ଭୁବନ ଏକ ବାଇକ୍ ଯୋଗେ ନନ୍ଦପୁର ଫେରୁଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଡୁମୁରିପୁଟ-ଉମ୍ବେଲ ରାସ୍ତାରେ ହଠାତ୍ ୩ଜଣ ଦୁର୍ବୃତ୍ତ ଏକ ଲାଲ ରଙ୍ଗର ବାଇକ୍ରେ ପହଞ୍ଚି ଭୁବନଙ୍କୁ ଅଟକାଇଥିଲେ। ପରେ ଭୟଭୀତ କରାଇ ଟଙ୍କା ଓ ମୋବାଇଲ ଲୁଟ୍ କରି ପାଲିବା ରାସ୍ତା ପଟେ ଚାଲି ଯାଇଥିଲେ। ଏନେଇ ଭୁବନ ନନ୍ଦପୁର ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର ଓ ଏସ୍ଆଇ ଜଳନ୍ଧର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। କିନ୍ତୁ ଏହି ଘଟଣାରେ ସଂପୃକ୍ତ ଲୁଟେରାଙ୍କ ସଂପର୍କରେ ପୁଲିସକୁ କୌଣସି ସୂଚନା ମିଳିପାରିନି। ଏନେଇ ନନ୍ଦପୁର ଥାନାରେ କେଶ୍ ନଂ-୯୪/୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।