୨୧ଟି ରାଇସ ମିଲ୍‌ରେ ଚଢାଉ

ମାଲକାନଗିରି: ଗଣମାଧ୍ୟମରେ ମିଲରଙ୍କ ମନମାନି ସଂପର୍କରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି। ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାର ସମସ୍ତ ୨୧ଟି ଯାକ ମିଲ୍‌ରେ ଚଢାଉ ପାଇଁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୨୧ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଏକକାଳୀନ ସମସ୍ତ ମିଲରେ ଚଢାଉ କରାଯାଇଥିଲା। ଚଢାଉ ପରେ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦେଶ ଦିଆଯାଇଛି। ତେବେ ସଂଧ୍ୟା ସୁଦ୍ଧା କେଉଁ ମିଲରେ କ’ଣ ସବୁ ଅନିୟମିତତା ଧରା ପଡିଲା ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ସ୍ଥାନୀୟ ଏକ ମିଲରେ ଏସିଏସଓ ମୋନଜ କୁମାର ପ୍ରଧାନ ଏବଂ ସହକାରୀ ଜିଲ୍ଲାପାଳ ରାମକୃଷ୍ଣ ନାୟକ ଚଢାଉ କରି ପ୍ରାଥମିକ ତଦନ୍ତରେ ବହୁ ବେଆଇନ କାର୍ଯ୍ୟ ହୋଇଥିବା ଦେଖିବାକୁ ପାଇଥିଲେ। ମିଲରେ ଧାନ ବସ୍ତାକୁ ସଜାଇ ରଖାଯାଇ ନଥିଲା। ଯଦ୍ୱାରା ତଦନ୍ତକାରୀ ଅଫିସରମାନେ ନାକେଦମ ହୋଇଥିଲେ। ପୁଣି ମଣ୍ଡିରେ କିଣା ଯାଇଥିବା ଧାନର ଖାତାପତ୍ରକୁ ଯାଞ୍ଚ କଲା ବେଳେ ତଦନ୍ତକାରୀ ଅଫିସରମାନେ ବହୁ ହେରଫେର ପାଇଥିଲେ।

ଯେପରିକି ପଦ୍ମଗିରି ମଣ୍ଡିରୁ ଜଣେ ଚାଷୀ ଶ୍ରୀମନ୍ତ ବର୍ମନଙ୍କ ଠାରୁ ୬୦ ପ୍ୟାକେଟ ଧାନ କିଣା ହୋଇଥିଲା। କିଣା ହୋଇଥିବା ଧାନର ପରିମାଣ ୩୦କ୍ୱିଣ୍ଟାଲ ହୋଇଥିବା ବେଳେ ରେକର୍ଡରେ ୨୮କ୍ୱିଣ୍ଟାଲ ୮୦କିଲୋଗ୍ରାମ ବୋଲି ଉଲ୍ଲେଖ ହୋଇଛି। ସେହିପରି ବିଜୟ ମାଡକାମୀଙ୍କ ଠାରୁ ୬୦ ପ୍ୟାକେଟ ଧାନ ଖରିଦ କରାଯାଇଥିବା ବେଳେ ୨୮ କ୍ୱିଣ୍ଟାଲ ୮୦ କିଲୋ ଚାଉଳ କିଣା ଯାଇଥିବା ନେଇ ଦର୍ଶାଯାଇଛି। ଏଥିରୁ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କାଟି କିଣା ଯାଉଥିବା ପ୍ରମାଣ ମିଳିଥିଲା। ମିଲରେ ମହଜୁଦ ଥିବା ଚାଉଳ ବସ୍ତାକୁ ଯାଞ୍ଚ କରିବା ସମୟରେ ଗୋଟିଏ ବସ୍ତାରେ ୫୦ କିଲୋ ୬୫୦ ଗ୍ରାମ ଚାଉଳ ବଦଳରେ ୫୦ କିଲୋ ୪୦୦ ଗ୍ରାମ ଚାଉଳ ରହିଥିବା ଜଣାପଡିଥିଲା। ପ୍ରତି ବସ୍ତାରେ ପ୍ରାୟ ୨୫୦ଗ୍ରାମ କମ ରହିଥିଲା। ଆଜି ସଂଧ୍ୟାରେ ୨୧ଟି ମିଲର ରିପୋର୍ଟ ଜିଲ୍ଲାପାଳ ପାଇବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି।
ପୂର୍ବରୁ ଏନେଇ ବହୁଥର ଚାଷୀ ଓ ଚାଷୀ ସଂଗଠନ ଅଭିଯୋଗ କରିଥିଲେ। ତଥାପି ପ୍ରଶାସନ କିମ୍ବା ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିଲା। ଆଜି ହଠାତ୍‌ ଚଢାଉ କରାଯିବାରୁ ମିଲରଙ୍କ ମଧ୍ୟରେ ଛନକା ପଶିଯାଇଛି। ଏଭଳି ପରିସ୍ଥିତିରେ ମିଲରଙ୍କ ଉପରେ ଯଦି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାହେଲେ ମଣ୍ଡିରେ ପୁଣି ଅବ୍ୟବସ୍ଥା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର  ଏହି ଘଟଣାରେ ସଂପୃକ୍ତ ଥିବା ମିଲର କିମ୍ବା ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାରେ ୫ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଧାର୍ଯ୍ୟ ରହିଥିବା ବେଳେ ଆଜି ସୁଦ୍ଧା ୫ ଲକ୍ଷ କ୍ୱିଣ୍ଟାଲ ଧାନ ଖରିଦ ହୋଇସାରିଲାଣି।

ତେବେ ଚଢାଉ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତିଙ୍କୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରିବା ସହ ତଦନ୍ତ ଚାଲିଥିବା କହିଥିଲେ। ଆଗାମୀ ଦିନରେ କଣ ହେବ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ସତ୍ୱେ ଚାଷୀଙ୍କ ଅସନ୍ତୋଷ କମିନାହିଁ। ଚାଷୀ ଅଭିଯୋଗ କରିଛନ୍ତି ଯେ ଧାନ ଦେଇ ବହୁ ଦିନ ହୋଇଗଲାଣି। ଏପର୍ଯ୍ୟନ୍ତ ଧାନ ବାବଦରେ ଟଙ୍କ ମିଳିନାହିଁ। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ୬୨ କୋଟି ଟଂକାର ଧାନ କିଣାଯିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୮କୋଟି ଟଂକାର ଧାନ ଖରିଦ କରାଯାଇ ଚାଷୀଙ୍କୁ ଟଂକା ପ୍ରଦାନ କରାଯାଇ ସାରିଲାଣି।

ସମ୍ବନ୍ଧିତ ଖବର