ବୃଦ୍ଧଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଗୋଟେ ଦିନ ପରେ ଚାଲିଗଲା ଜୀବନ

ବେତନଟୀ ସଦର: ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ନୀରିଖା ଗ୍ରାମର ସ୍ଵର୍ଗତଃ ଦୁଃଶାସନ ଜେନାଙ୍କ ପୁଅ ନିବାରଣ ଜେନା (୫୫) ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଗତକାଲି ସନ୍ଧ୍ୟା ସମୟରେ ମୃତ୍ୟୁବରଣ କରିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ନିବାରଣ ଜେନା କାଠ ଆଣିବାକୁ କହି ଘରୁ ବାହାରିଯାଇଥିଲେ ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକ ରାତିସାରା ଚାରିଆଡେ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ। ପରେ ଗତକାଲି ସକାଳୁ ଖବର ପାଇଥିଲେ କି ନିବାରଣ ଜଙ୍ଗଲ ପାଖରେ ମୁର୍ମୁଷ ଅବସ୍ଥାରେ ପଡିଛନ୍ତି। ତାଙ୍କ ସ୍ତ୍ରୀ କୁନିମଣି ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ କଳମାସ୍ଥିତ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଦେଖିବାକୁ ପାଇଥିଲେ କି ନିବାରଣକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି ଯୋଉଁଥିପାଇଁ ତାଙ୍କର ବିଭିନ୍ନ ସ୍ଥାନରେ କ୍ଷତ ହେବା ସହିତ ହାତ ଗୋଡ଼ ମଧ୍ୟ ଭାଙ୍ଗିଯାଇଛି।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆ ଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ବିଳମ୍ବିତ ସନ୍ଧ୍ୟାରେ ମୃତ ଘୋଷଣା କରିଥିଲେ। ସ୍ତ୍ରୀ କୁନିମଣିଙ୍କ ଅଭିଯୋଗ ମୁତାବକ ସେଦିନ ଜଙ୍ଗଲରେ କୌଣସି କାରଣକୁ ନେଇ ତାଙ୍କ ଗ୍ରାମର ହରେ ବିନ୍ଧାଣି, ରମେଶ ସିଂ, ଡମ୍ବରୁ ମହାନ୍ତ ଓ ପଦନ ମାଝୀଙ୍କ ସମେତ ଏକାଧିକ ଗ୍ରାମବାସୀ ମିଶି ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ତାଙ୍କ ସ୍ୱାମୀ ନିବାରଣକୁ ସଙ୍ଘବଦ୍ଧ ଆକ୍ରମଣ କରି ଅଧମରା କରି ଛାଡି ଚାଲି ଯାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର