ଅନ୍ତରୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଦେଶରେ ତୃତୀୟ, ନୀତି ଆୟୋଗ ରିପୋର୍ଟରେ ପୁଣି ଚମକିଲା ରାୟଗଡ଼ା 

ରାୟଗଡ଼ା: ନୀତି ଆୟୋଗ ରିପୋର୍ଟରେ ପୁଣି ଚମକିଛି ରାୟଗଡ଼ା। ଅକ୍ଟୋବରରେ ସର୍ବଭାରତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଥିବା ରାୟଗଡ଼ା ଜାନୁଆରୀରେ ଆଉ ଦୁଇ ପାଦ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି। ଅନ୍ତରୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଜିଲ୍ଲାକୁ ଏହି କୃତିତ୍ବ ମିଳିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପଞ୍ଚାୟତରେ ଜନସେବା କେନ୍ଦ୍ର ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ କ୍ଷେତ୍ରରେ ଆଖିଦୃଶିଆ ବିକାଶ ଯୋଗୁ ଦେଶର ଅନ୍ୟ ୧୧୦ ଜିଲ୍ଲାକୁ ପଛରେ ପକାଇଛି ରାୟଗଡ଼ା। ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଗାଁ ସହ ଗାଁକୁ ଯୋଡ଼ିବା, ପଞ୍ଚାୟତ ସ୍ତରରେ ହାତ ପାଆନ୍ତାରେ ସମସ୍ତ କାର୍ଯ୍ୟ ହାସଲ ପାଇଁ ଜନସେବା କେନ୍ଦ୍ର ପ୍ରତିଷ୍ଠା କରି ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ଫଳରେ ଲୋକ ବ୍ୟାଙ୍କ ସେବାଠୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ନଥି ପତ୍ର, ସ୍ବଳ୍ପ ଆୟ ପ୍ରମାଣପତ୍ର, ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ଅଙ୍ଗନବାଡି ପ୍ରତିଷ୍ଠା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କେନ୍ଦ୍ରୀୟ ଯୋଜନାରେ ଭିତ୍ତିଭୂମିର ବିକାଶ ଭଳି ବହୁ ସେବା ପାଇ ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି।

ଆକାଂକ୍ଷା ଯୋଜନା ତାଲିକାରେ ଓଡ଼ିଶାର ୧୦ ଜିଲ୍ଲା ଥିବା ବେଳେ ଜାନୁଆରୀ ରିପୋର୍ଟରେ ରାୟଗଡା ତୃତୀୟ, ପଡୋଶୀ ଗଜପତି ଜିଲ୍ଲା ପ୍ରଥମ, କୋରାପୁଟ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଗତ ଡିସେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ନୀତି ଆୟୋଗ ପକ୍ଷରୁ ଡେଲଟା ରାଙ୍କିଂ ହୋଇଥିବା ବେଳେ ମାର୍ଚ୍ଚ ମାସରେ ଏହି ରିପୋର୍ଟ ପ୍ରକାଶ ପାଇଛି। ପ୍ରତି ମାସରେ ୫ଟି ବିଭାଗରେ ରାଙ୍କିଂ ଦିଆଯାଇଥିବା ବେଳେ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଜିଲ୍ଲାର ଅନ୍ତରୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାୟଗଡ଼ା ଜିଲ୍ଲା ତୃତୀୟ ସ୍ଥାନରେ ରହିଛି। ୨୦୨୦ ଅକ୍ଟୋବର ରିପୋର୍ଟରେ ରାୟଗଡ଼ା ସର୍ବଭାରତରେ ୫ମ ସ୍ଥାନରେ ଥିଲା।

ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳ ସଂପଦ, ଆର୍ଥିକ ଅର୍ନ୍ତଭୁକ୍ତୀକରଣ, ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜିଲ୍ଲାକୁ ଏହି ସଫଳତା ମିଳିଥିଲା। ୨୦୨୨ ସୁଦ୍ଧା ରାୟଗଡ଼ାକୁ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଆଂକାକ୍ଷା ଯୋଜନାରେ ସାମିଲ୍ କରିଛନ୍ତି। ପ୍ରତି ମାସରେ ଜଣେ ଆଇପିଏସ୍ ରାଙ୍କର ନୋଡାଲ୍ ଅଧିକାରୀ ବିକାଶର ତଦାରଖ କରୁଥିବା ବେଳେ ରାଜ୍ୟସ୍ତରରେ ଏହାର ସମୀକ୍ଷା ହେଉଛି।

ସମ୍ବନ୍ଧିତ ଖବର