ଜୁଆଖେଳ ଉପରେ ଚଢ଼ଉ: ୨ ଲକ୍ଷ ୫୬ ହଜାର ଟଙ୍କା ଜବତ

ଭଞ୍ଜନଗର: ପାର୍ବଣ ଋତୁ ଆସିଲେ ସଭିଙ୍କ ପରିବାରରେ ଖେଳିଯାଏ ହର୍ଷ ଉଲ୍ଲାସର ବାତାବରଣ। ଆଉ ଏହି ପାର୍ବଣ ସମୟରେ ଗାଁ ଠାରୁ ଆରମ୍ଭ କରି ସହର ସବୁଠି‌ ପରମ୍ପରା ନାମ‌ରେ ଚାଲେ ଜୁଆର ଆସର। ଜୁଆଡିମାନେ ମଧ୍ୟ ଏହି ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଲୋଭ ଆଶାରେ ଜୁଆ ଖେଳରେ ଲଗାଇ ଦିଅନ୍ତି ନିଜ କ‌ଷ୍ଟ ଅର୍ଜିତ ସର୍ବସ୍ବ ପୁଞ୍ଜି। ବାଜିରେ ଲାଗୁଛି ଲକ୍ଷାଧିକ ଟଙ୍କା। ଏହାକୁ ନେଇ ବର୍ତ୍ତମାନ ପୁଲିସ ଆକ୍ସନ ମୁଡକୁ ଆସିଥିବାବେଳେ ଜୁଆ ଖେଳ ଉପରେ ହୋଇଛି ବ୍ୟପକ ଚଢଉ ଆଉ ପୁଲିସକୁ ମିଳିଛି ବଡ ସଫଳାତା।

ଭଞ୍ଜନଗର ପୁଲିସ ପାର୍ବଣ ସମୟରେ ୮ଟି ଜୁଆ ଖେଳରେ ଚଢଉ କରି ୨ ଲକ୍ଷ ୫୬ ହଜାର ୪୩୦ ଟଙ୍କା ଜବତ କରିଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି। ଏଥିସହ ୨୨ ଟି ମୋବାଇଲ ଫୋନ ଜବତ କରିବା ସହ ୩୮ ଜଣଙ୍କୁ ଗିରଫ କରିଛି। ଭଞ୍ଜନଗର ଥାନା କୁଲାଡରୁ ୩ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୨,୫୭୫ ଟଙ୍କା ଜବତ କରିଛି। ସେହିପରି ମରାଠୀ ସାହି ଠାରେ ଚଢଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୫୧,୪୨୦ ଟଙ୍କା। ବାଇପାସ ଛକରେ ଏକ ଘରେ ଚାଲିଥିବା ଜୁଆ ଆଡ୍ଡାରେ ଚଢଉ କରି ୧୫,୮୧୦ ଟଙ୍କା ଏବଂ ଜିଲୁଣ୍ଡି ବଡ଼ଦାଣ୍ଡ ଠାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢଉ କରି ୧୩,୨୫୦ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ, ମରାଠୀ ସାହିରୁ ୨୪,୩୮୦ ଟଙ୍କା, ୩ ଜଣଙ୍କୁ ଗିରଫ, ସାନକୋଦଣ୍ଡା ଛକରୁ ୯ ଜଣଙ୍କୁ ଗିରଫ କରିବା ସହ ୩୧ ହଜାର ୨୦ ଟଙ୍କା, ବାଉଁଶଲୁଣ୍ଡି ଛକରୁ ୨୩,୭୨୫ ଟଙ୍କା ଏବଂ ୫ ଜଣଙ୍କୁ ଗିରଫ କରିଛି। ସେହିପରି କୁଲାଡ ବଡ଼ଦାଣ୍ଡରୁ ୫ ଜଣଙ୍କୁ ଗିରଫ କରିବା ସହ ୮୪,୨୫୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏସଂକ୍ରାନ୍ତରେ କେସ୍‌ ପୃଥକ ମାମଲା ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଦଶହରା ପୂର୍ବରୁ ଆରମ୍ଭ ହେଉଥିବା ଏହି ଜୁଆ ଆସର କୁମାର ପୂର୍ଣ୍ଣମୀର ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ।

ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିବା କିଛି ଅପରାଧି ବର୍ଷତମାମ୍‌ ଏହି ଜୁଆ ଆସର ଜମାଇଥାନ୍ତି। ପୁଲିସ ନଜରରୁ ବଞ୍ଚିବା ପାଇଁ ନିଛାଟିଆ, ପରିତ୍ୟକ୍ତ ବା ନିର୍ମାଣାଧିନ କୋଠାରେ ଜୁଆର ଆସର ଜମିଥାଏ। ପାର୍ବଣ ସମୟରେ ଜୁଆ ଖେଳରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ ଚଢଉକୁ ବ୍ୟାପକ କରାଯାଇଥାଏ। ତଥାପି ବନ୍ଦ କୋଠରୀ ଭିତରେ ଚାଲୁଥିବା ଲକ୍ଷାଧିକ ଟଙ୍କାର ଖେଳରେ ରୋକ ଲଗାଇ ହୁଏନି। ଅନେକ ସ୍ଥାନରେ ଚଢଉ କରି ଟଙ୍କା ଜବତ କରିବା ସହ ଜୁଆଡି ମାନଙ୍କୁ ଗିରଫ କରୁଥିବା ବେଳେ ଜୁଆ ଖେଳ ଏକ ଧର୍ତବ୍ୟ ଅପରାଧ ହୋଇନଥିବାରୁ ସେମାନେ ଅତି ସହଜରେ ଜାମିନ୍ ପାଇ ପୁଣି ଖେଳରେ ମାତୁଥିବା ଅଭିଯୋଗ ହେଉଛି। କିଛି ଲୋକଙ୍କ ପାଇଁ ଏହା ନିଶା ପାଲଟିଯାଇଥିବାରୁ ତାହା ସାମାଜିକ ସନ୍ତୁଳନ ବିଗାଡି ଦେଇଥାଏ। ଅଳ୍ପ ସମୟ ମଧ୍ୟରେ ଅଧିକା ଟଙ୍କା ପାଇବା ନିଶ‌ାରେ ଏହି ଖେଳ ପ୍ରତି ବହୁ ଲୋକ ଆସକ୍ତ ହୋଇ ନିଜର ସର୍ବସ୍ବ ହରାଇବା ନଜିର ରହିଛି। ଯାହା ଫଳରେ ସେମାନଙ୍କ ପରିବାରରେ ବିଶୃଙ୍ଖଳା ଦେଖାଯିବା ସହ ଏହି ଖେଳ ପାଇଁ ଗାଁ ଓ ସାହିରେ ଗଣ୍ଡଗ‌ୋଳର ସୁତ୍ରପାତ ହୋଇଥିବା ମଧ୍ୟ ବିଗତ ଦିନରେ ଦେଖିବାକୁ ମିଳିଛି। ଏଥିରେ ରୋକ ଲଗାଇବା ପାଇଁ ପୁଲିସ ବ୍ୟାପକ ଚଢଉ କରିଥିଲେ ମଧ୍ୟ ଦିନକୁ ଦିନ ଏହା ବଢିବାରେ ଲାଗିଥିବା ବେଳେ ଜୁଆ ଖେଳକୁ ନିୟନ୍ତ୍ରଣରେ ରଖିବା କାହିଁକି କଷ୍ଟକର ହୋଇପଡିଛି ତାହା ସାଧାରଣରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର