ୟୁକ୍ରେନ ଉପରେ ଆକ୍ରମଣ କରି ଠିକ୍ କରିଛି : ପୁଟିନ

ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲେ ଭାରତ,ଚୀନ

ମସ୍କୋ : ୟୁକ୍ରେନ ଉପରେ ଆକ୍ରମଣ କରି ସେ ଠିକ କରିଛନ୍ତି ଓ ଏଥିପାଇଁ କୌଣସି ଅବଶୋଷ ନାହିଁ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

କାଜାଖସ୍ଥାନର ରାଜଧାନୀ ଅସ୍ଥାନାଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପୁଟିନ କହିଥିଲେ ଯେ ୟୁକ୍ରେନକୁ ଧ୍ବଂସ କରିବା ତାଙ୍କର ଲକ୍ଷ୍ୟ ନୁହେଁ । ଆଗକୁ ୟୁକ୍ରେନ ଉପରେ ଅଧିକ ପରିମାଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ ନାହିଁ । ୟୁ୍କ୍ରେନର ଆହୁରି ଅଧିକ ଅଂଚଳ ଅଧିକାର କରିବାକୁ ଅଧିକ ସଂଖ୍ୟକ ସୈନ୍ୟ ପଠାଯିବ ନାହିଁ ।

ଗତ ସପ୍ତାହରେ ରୁଷର ଘନ ଘନ କ୍ଷେପଣାସ୍ତ୍ର ମାଡ଼ରେ ୧୯ ଜଣ ୟୁକ୍ରେନ ନାଗରିକ ନିହତ ହୋଇଥିଲେ ଓ ଅନେକ ଲୋକ ଆହତ ହୋଇଥିଲେ । ଏ ପରିପ୍ରେକ୍ଷୀରେ ପୁଟିନଙ୍କ ବୟାନ ଗୁରୁତ୍ବ ବହନ କରୁଛି ।

ତେବେ ପୁଟିନ ଚେତାଇ ଦେଇଛନ୍ତି ଯେ ନାଟୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧ ସମଗ୍ର ବିଶ୍ବ ପାଇଁ ପ୍ରଳୟଙ୍କରୀ ବିଶ୍ବଯୁଦ୍ଧ ଆଣିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ଭାରତ ଓ ଚୀନ ୟୁକ୍ରେନ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା ସପକ୍ଷରେ ମତ ଦେଇଥିଲେ ।

ଗତ ମାସରେ ଉଜବେକିସ୍ତାନର ସମରକନ୍ଦଠାରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କୁ କହିଥିଲେ ଯେ ଏହି ସମୟ ଯୁଦ୍ଧର ସମୟ ନୁହେଁ । ମୋଦୀଙ୍କ ଏହି ବୟାନକୁ ସାରା ବିଶ୍ବ,, ବିଶେଷକରି ପାଶ୍ଚାତ୍ୟ ଜଗତରେ ବେଶ ସମର୍ଥନ ମିଳିଥିଲା ।

 

 

 

ସମ୍ବନ୍ଧିତ ଖବର