ପୁଣି କାଉଡ଼ୋଲା ଅଞ୍ଚଳରେ ଚଢାଉ: ୧୦ ହଜାରରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ଥାନା ଅଧିନରେ ଥିବା କାଉଡୋଳା ପଞ୍ଚାୟତର ଧନରା ଅଞ୍ଚଳରେ ହୋଇଥିବା ଗଞ୍ଜେଇ ଚାଷ ଉପରେ କୁନ୍ଦେଇ ପୁଲିସ ଚଢାଉ କରି ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ ନଷ୍ଟ କରିବାର କିଛି ଦିନ ବିତି ଯାଇଥିବା ବେଳେ ଆଜି ପୁଣି ଥରେ ଧୁଙ୍ଗିଆଡିହୀ (ଖାଲେପାରା) ଅଞ୍ଚଳରେ କୁନ୍ଦେଇ ପୁଲିସ ଚଢାଉ କରି ପ୍ରାୟ ୧୦ ହଜାର ଗଞ୍ଜେଇ ଗଛ ନଷ୍ଟ କରିଥିବା ଜଣାପଡିଛି।

ସୂଚନା ଅନୁଯାଇ ରାଇଘର ବ୍ଲକ ଅନ୍ତର୍ଗତ କାଉଡୋଲା ପଂଚାୟତ ଏବେ ଗଞ୍ଜେଇ ଚାଷର ହବ୍‌ ପାଲଟିଛି। ଆଜି ଏହି ପଂଚାୟତର ଧୁଙ୍ଗିଆଡିହି ଗ୍ରାମ ନିକଟ ଦେଇ ଯାଇଥିବା ଭାରତମାଳା ରାସ୍ତା କଡରେ ପ୍ରାୟ ୭ ଏକର ଜଂଗଲ ଜମି ମଧ୍ୟରେ ମକା ଗଛ ଓ ପନି ପରିବା ଚାଷ ହୋଇଥିବା ବେଳେ ଉକ୍ତ ଚାଷ ଭିତରେ ଗଞ୍ଜେଇ ଗଛ ମଧ୍ୟ ଲାଗିଥିବା କୌଣସି ସୂତ୍ରରୁ ଖବର ପାଇ ଆଜି ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ନିର୍ଦେଶକ୍ରମେ କୁନ୍ଦେଇ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ପରିପକ୍ଷୀରେ ମାଜିଷ୍ଟ୍ରେଟ ଭାବେ ରାଇଘର ତହସିଲଦାର୍ ଜନ୍ମେଜୟ ବେହେରା, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ ମଧୁସିକ୍ତା ମିଶ୍ର, କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ, ଆଇଆରବିଏନ ଏବଂ ଡିଭିଏଫ୍ ଫୋର୍ସ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢାଉ କରି ପ୍ରାୟ ୭ ଏକର ଜମିରେ ଲାଗିଥିବା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଗଞ୍ଜେଇ ଗଛ ଉପାଡ଼ିବା ସହ ନିଆଁ ଲଗାଇ ନଷ୍ଟ କରାଯାଇଥିଲା। ଏଠାରେ କିଏ ଏତେ ପରିମାଣରେ ଗଞ୍ଜେଇ ଗଛ ଲଗାଇ ଥିଲା ତାହା ଜଣା ପଡ଼ିନଥିବା ବେଳେ ପୁଲିସ ମଧ୍ୟ ଏହି ଘଟଣାରେ କାହାରିକୁ ଗିରଫ କରିନଥିବା ଜଣାପଡିଛି। ନଷ୍ଟ ହୋଇ ଥିବା ଗଞ୍ଜେଇ ର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ଅଧିକାରୀ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଛତିଶଗଡ଼ ସୀମା ପର୍ଯ୍ୟନ୍ତ ଲାଗିଥିବା କାଉଡୋଲା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମଧ୍ୟ ଏଭଳି ଗଞ୍ଜେଇ ଚାଷ କରାଯାଇ ଆସୁଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗୋଟାଏ ମାସ ମଧ୍ୟରେ ପୁଲିସ ସେ ଅଞ୍ଚଳରେ ଦୁଇ ଦୁଇ ଥର ଚଢାଉ କରିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଗୁରୁତ୍ୱ ଦିଆଯାଉ ନଥିବା ଭଳି ମନେ ହେଇଛି। ଆଜିର ଏହି ଘଟଣା କୁ ନେଇ କୁନ୍ଦେଇ ଥାନାରେ କେସ ନଂ ୨୦/୨୦୨୪ ରେ ଏକ ମାମଲା ଋଜ୍ଜୁ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର