ପ୍ରଥମ ପର୍ଯ୍ୟାୟରେ ୨୮ ନିର୍ବାଚନମଣ୍ଡଳୀରେ ୨୪୩ ନେତା: ବିଜେଡିରେ ଧନୀ, ବିଜେପି ଓ କଂଗ୍ରେସରେ ଦାଗୀ ନେତା

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ। ସମୁଦାୟ ୨୪୩ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୪୮ଜଣ ବା ୨୦% ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ୍‌ ଅପରାଧିକ ମାମଲା ରହିଛି। ବିଜେଡିର ସର୍ବାଧିକ କୋଟିପତି ପ୍ରାର୍ଥୀ ରହିଛନ୍ତି। ଏହାସହ ୭୦ଜଣ ପ୍ରାର୍ଥୀ କୋଟିପତି ଥିବା ବେଳେ ୨ ପ୍ରାର୍ଥୀଙ୍କ ଆଦୌ ସଂପତ୍ତି ନାହିଁ। ୪ଜଣ ଆଦୌ ସ୍କୁଲ ମାଡ଼ି ନ ଥିବା ବେଳେ ୨ଜଣ ଡକ୍ଟରେଟ୍‌ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀ ଦେଇଥିବା ସତ୍ୟପାଠକୁ ଆଧାର କରି ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ନିର୍ବାଚନ ଲଢ଼ୁଥିବା ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ତେବେ ସଙ୍ଗିନ୍‌ ମାମଲା ଥିବା ପ୍ରାର୍ଥୀଙ୍କ ତାଲିକାରେ ବିଜେପି ଆଗରେ ରହିଛି। ଦଳର ୧୫ଙ୍କ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ମାମଲା ଥିବା ବେଳେ କଂଗ୍ରେସର ୧୦ ଓ ବିଜେଡିର ୪ଜଣଙ୍କ ନାଁରେ ମାମଲା ରହିଛି। ହତ୍ୟା, ଅପହରଣ, ଦୁଷ୍କର୍ମ, ଠକେଇ ଓ ଦୁର୍ନୀତି ଭଳି ମାମଲାରେ ଛନ୍ଦି ହୋଇଛନ୍ତି ପ୍ରାର୍ଥୀ। ସେହିପରି ଧନୀ ପ୍ରାର୍ଥୀ ତାଲିକାରେ ବିଜେଡି ଆଗରେ ରହିଛି। ୨୮ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୮୯% ବା ୨୫ଜଣ ହେଉଛନ୍ତି କୋଟିପତି। କଂଗ୍ରେସ ଓ ବିଜେପିର ୧୪ଜଣ ଲେଖାଏ କୋଟିପତି ଥିବା ବେଳେ ୧୩ଜଣ ସ୍ବାଧୀନ ପ୍ରାର୍ଥୀ କୋଟିପତି ଅଛନ୍ତି। ହାରାହାରି ସଂପତ୍ତି ମୂଲ୍ୟ ରହିଛି ୧.୨୧ କୋଟି। ଯଦି ଦଳକୁ ବିଚାରକୁ ନିଆଯାଏ ତାହାଲେ ବିଜେଡି ପ୍ରାର୍ଥୀଙ୍କ ହାରାହାରି ସଂପତ୍ତି ହେଉଛି ୪.୪୯ କୋଟି। କଂଗ୍ରେସର ୧.୮୭, ବିଜେପି ୧.୭୪ ଓ ଆପ୍‌ର ୫୬.୬୮ଲକ୍ଷ।

ପ୍ରଥମ ପର୍ଯ୍ୟାୟରେ ୨୮ ନିର୍ବାଚନମଣ୍ଡଳୀରେ ୨୪୩ ନେତା
୪୮ ନେତାଙ୍କ ବିରୋଧରେ ସଙ୍ଗିନ ଅାପରାଧିକ ମାମଲା
୭୦ ପ୍ରାର୍ଥୀ କୋଟିପତି, ସୂର୍ଯ୍ୟଙ୍କ ପୁଅ ସବୁଠୁ ଧନୀ
ଭବାନୀପାଟଣାରେ ସ୍ବାଧୀନ, ରାୟଗଡ଼ାରେ ବିଏସ୍‌ପି ପ୍ରାର୍ଥୀଙ୍କ ନାହିଁ ସଂପତ୍ତି
୪ ପ୍ରାର୍ଥୀ ସ୍କୁଲ ମାଡ଼ି ନାହାନ୍ତି, ମଇଦାନରେ ୧୩% ମହିଳା ପ୍ରାର୍ଥୀ

ସର୍ବାଧିକ ୧୦ଜଣ କୋଟିପତି ପ୍ରାର୍ଥୀ ଭିତରେ ବିଜେଡିର ୬ଜଣ ରହିଛନ୍ତି। ଗଞ୍ଜାମ ଦିଗପହଣ୍ଡି ବିଜେଡିରୁ ପ୍ରାର୍ଥୀ ହୋଇଥିବା ବିପ୍ଲବ ପାତ୍ରଙ୍କ ସଂପତ୍ତି ହେଉଛି ୩୩କୋଟି। ସେ ହେଉଛନ୍ତି ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ। ଗୋପାଳପୁର ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୧୫କୋଟି, କଳାହାଣ୍ଡି ଧର୍ମଗଡ଼ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସଂପତ୍ତି ହେଉଛି ୧୨କୋଟି। ୧୦ ନମ୍ବର ଧନୀ ତାଲିକାରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି। ତାଙ୍କ ସଂପତ୍ତି ମୂଲ୍ୟ ହେଉଛି ୬କୋଟି। ଅପରପକ୍ଷରେ ନିର୍ବାଚନ ଲଢ଼ୁଥିବା ୨ଜଣ ପ୍ରାର୍ଥୀଙ୍କ ଆଦୌ ସଂପତ୍ତି ନାହିଁ। କଳାହାଣ୍ଡି ଭବାନୀପାଟଣାର ସ୍ବାଧୀନ ପ୍ରାର୍ଥୀ ରମେଶ କୁମାର ମହାନନ୍ଦ ଓ ରାୟଗଡ଼ାର ବିଏସ୍‌ପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଆଦୌ ସଂପତ୍ତି ନ ଥିବା ‌ସତ୍ୟପାଠରେ ଦର୍ଶାଇଛନ୍ତି। ଏହାସହ କୋରାପୁଟ ଲକ୍ଷ୍ମୀପୁରରୁ ଆରପିଆଇ ପ୍ରାର୍ଥୀ ରମେଶ ଯାନୀଙ୍କ ସମୁଦାୟ ସଂପତ୍ତି ମୂଲ୍ୟ ହଜାର ଟଙ୍କା ଥିବା ବେଳେ କୋରାପୁଟରୁ ୨ ସ୍ବାଧୀନ ପ୍ରାର୍ଥୀ ଶିବ ପ୍ରସାଦ ଶଗଡ଼ିଆ ଓ ଭୁବନ ଖୋରାଙ୍କ ସଂପତ୍ତି ମୂଲ୍ୟ ଯଥାକ୍ରମେ ୧୯୨୧ ଓ ୬ହଜାର ଟଙ୍କା ରହିଛନ୍ତି।
ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଭିତରେ ୪ଜଣ ପ୍ରାର୍ଥୀ ଯଦିଓ ନିଜକୁ ସାକ୍ଷର ଦର୍ଶାଇଛନ୍ତି, ହେଲେ ସେମାନେ ସ୍କୁଲ ମାଡ଼ି ନାହାନ୍ତି। ୧୫ଜଣ ୫ମ ପାସ୍ କରିଥିବା ବେଳେ ୩୫ଜଣ ଅଷ୍ଟମ, ୪୧ଜଣ ସ୍ନାତକ, ୨୧ଜଣ ପିଜି ଓ ୨ଜଣ ଡକ୍ଟରେଟ୍‌ କରିଛନ୍ତି। ଏହାସହ ମଇଦନାକୁ ଓହ୍ଲାଇଥିବା ପ୍ରାର୍ଥୀ ଭିତରେ ସର୍ବାଧିକ ହେଉଛି ୪୧-୫୦ବର୍ଷର। ଏଥିରେ ୯୦ଜଣ ପ୍ରାର୍ଥୀ ଥିବା ବେଳେ ୩୧-୪୦ବର୍ଷର ୫୭ଜଣ, ୫୧-୬୦ବର୍ଷର ୫୪ଜଣ ଓ ୭୧-୮୦ବର୍ଷର ୪ଜଣ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୮ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ଭିତରୁ ମାତ୍ର ୩୨ଜଣ ହେଉଛନ୍ତି ମହିଳା। ଅର୍ଥାତ୍ ସେମାନଙ୍କ ଭାଗିଦାରୀ‌ ହେଉଛି ୧୩%। ଆଜି ବୁଦ୍ଧ ମନ୍ଦିରରେ ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଡା.ସେବା ମହାପାତ୍ର ଓ ରଞ୍ଜନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର