କୁମରଙ୍କ ପରିବାରବର୍ଗଙ୍କୁ ଭେଟିଲେ ଧର୍ମେନ୍ଦ୍ର: ‘ବହୁ ଲୋକ ବହୁ କଥା କହିବେ, ମୋ ଉପରେ ଭରସା ରଖ’

ଗଡ଼ପୋଷ: ‘ବହୁତ ଲୋକ ବହୁତ କଥା କହିବେ, ଆପଣ ମୋ ଉପରେ ଭରସା ରଖନ୍ତୁ, ମୁଁ ଆପଣଙ୍କର ଦୁଃଖରେ ଦୁଃଖିତ, ଆପଣଙ୍କ ପ୍ରତି ମୋର ସହଯୋଗ ସର୍ବଦା ରହିବ’। ନିଜ ରାଜନୖତିକ ଶୋଭାଯାତ୍ରାରେ ସାମିଲ ହୋଇ ପ୍ରାଣ ହରାଇଥିବା କୁମର ମାଝୀଙ୍କ ପରିବାରକୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆଶ୍ବାସନା ଦେବା ସହିତ ସମବେଦନା ଜଣେଇଛନ୍ତି। ଚଳିତ ମାସ ୨ ତାରିଖରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ପ୍ରାର୍ଥିପତ୍ର ଦାଖଲ କରିବା ଅବସରରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲେ। ଏଥିରେ ଏକ ସାଂସ୍କୃତିକ ଦଳରେ ପିଣ୍ଡାପଥର ନିବାସୀ କୁମର ମାଝୀ (୬୦) ସାମିଲ ହୋଇଥିଲେ। ତେବେ ପ୍ରବଳ ଗରମ ଯୋଗୁଁ  ଶ୍ରୀ ମାଝୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ ସେ ମୃତ୍ୟୁବରଣ କରିଥିଲେ । ପରଦିନ ଅର୍ଥାତ ୩ ତାରିଖ ଶୁକ୍ରବାର ତାଙ୍କର ଶେଷକୃତ୍ୟ ଗାଁ ଶ୍ମଶାନରେ ସଂପନ୍ନ ହୋଇଥିଲା।

ଏହି ଘଟଣାକୁ ନେଇ ଶାସକ ଦଳ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ। ଏହିପରିପ୍ରକ୍ଷେୀରେ ଗତ ଶନିବାର ପୂର୍ବତନ ବିଧାୟକ ତଥା କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବିନାରାୟଣ ନାଏକ ଆସି ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ। ଏଥିସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ନାଏକ ପିଣ୍ଡାପଥର ସ୍ଥିତ ମୃତକଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ନିଜ କାର୍ଯ୍ୟକ୍ରମରେ ସାମିଲ ହୋଇ କୁମରଙ୍କର ମୃତ୍ୟୁ ହୋଇଥିବାରୁ ସେ ମର୍ମାହତ ବୋଲି ଧର୍ମେନ୍ଦ୍ର କହିଥିଲେ। ସେ ପ୍ରତିଟି ସମୟରେ ତାଙ୍କ ସହ ଅଛନ୍ତି ବୋଲି କହିଥିଲେ। ଏହାପରେ ଶ୍ରୀ ପ୍ରଧାନ ପଣ୍ଡୁପଡ଼ା ସ୍ଥିତ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ଶତାଧିକ କର୍ମୀ ଏବଂ ଗ୍ରାମବାସୀଙ୍କୁ ଭେଟି ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର