ଘସିପୁରା ଦେଖିଲା ପରିବର୍ତ୍ତନ ଶୋଭାଯାତ୍ରା: ୨୦ ହଜାର ସମର୍ଥକଙ୍କ ଗହଣରେ ଯାଇ ସୌମ୍ୟରଞ୍ଜନଙ୍କ ପ୍ରାର୍ଥିପତ୍ର ଦାଖଲ

ସୌମ୍ୟରଞ୍ଜନ ନମସ୍କାର କଲେ, ଆଶୀର୍ବାଦ ଦେଲେ ବଦ୍ରିନାରାୟଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ସୀମାନ୍ତ ଜରଦା ଛକରୁ ଆନନ୍ଦପୁର ପର୍ଯ୍ୟନ୍ତ ଶୁଭୁଥିଲା ପରିବର୍ତ୍ତନର ନାରା। ହଜାର ହଜାର ସମର୍ଥକଙ୍କ ହାତରେ ଥିଲା ପରିବର୍ତ୍ତନର ପ୍ଲାକାର୍ଡ। ସମର୍ଥକଙ୍କ ଗହଣରେ ଆଜି ଏକ ବିଶାଳ ଶୋଭଯାତ୍ରାରେ ଯାଇ ଘସିପୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜିଥିଲା ପ୍ରାର୍ଥିପତ୍ର ଦାଖଲର ଶେଷଦିନ। ସ୍ବାଧୀନ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଆଜି ପ୍ରଥମେ ଘଟଗାଁ ଯାଇ ମା’ ତାରିଣୀଙ୍କ ଦର୍ଶନ କରିଥିଲେ। ଏହାପରେ ଜରଦା ଛକରେ ପହଞ୍ଚିଥିଲେ। ସେଠାରୁ ଶ୍ରୀ ପଟ୍ଟନାୟକ ଏକ ବିଶାଳ ‌ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ ଆନନ୍ଦପୁର ଅଭିମୁଖେ ବାହାରିଥିଲେ। ଘସିପୁରା ଓ ଘଟଗାଁ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ହଜାର ହଜାର ସମର୍ଥକ ତାଙ୍କ ସହିତ ସାମିଲ ହୋଇଥିଲେ। ଶୋଭାଯାତ୍ରା ୨୦ ନମ୍ବର ଜାତୀୟ ରାଜପଥର ରାମଚନ୍ଦ୍ରପୁର, ପଦନା, ସୁଆଁପଦା, ନୂଆଗାଁ, ଖଲଣା, ସାଇଁକୁଳ, ମଛାଳୋ, ବେଲବାହାଳି, ବାରିଗାଁ ଦେଇ ଶାଳପଡ଼ାରେ ପହଞ୍ଚିଥିଲା। ଘଟଗାଁ ପାର୍ଶ୍ବରୁ ବହୁ ସଂଖ୍ୟାରେ ଜନସାଧାରଣ ଆସି ଶାଳପଡ଼ା ପଡ଼ିଆରେ ଶ୍ରୀ ପଟ୍ଟନାୟକଙ୍କୁ ଅପେକ୍ଷା କରିଥିଲେ।

ଏଠାରେ ଉପସ୍ଥିତ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜିର ଏହି ଜନସମୁଦ୍ର ପ୍ରମାଣିତ କରୁଛି ଘସିପୁରାରେ ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଦିନ ସେ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଘଟଗାଁ ଓ ଘସିପୁରାରୁ ତୁହାକୁ ତୁହା ଲୋକେ ତାଙ୍କୁ ଆସି ଭେଟୁଥିଲେ। ବିଜେପି, ବିଜେଡି ଓ କଂଗ୍ରେସ ଦଳର ନେତାମାନେ ମଧ୍ୟ ତାଙ୍କୁ ଭେଟି ଘସିପୁରାରୁ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ମା’ ତାରିଣୀଙ୍କ ପାଖକୁ ଯାଇ ସେ ଏ ସମ୍ପର୍କରେ ଜଣାଇଥିଲି। ସଦ୍‌ବୁଦ୍ଧି ଦେବାକୁ ଗୁହାରି କରିଥିଲି। ସତକୁ ସତ ମା’ ତାଙ୍କୁ ଆଜି ସଦ୍‌ବୁଦ୍ଧି ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ କେଉଁ ଦଳକୁ ନଯାଇ ବି ସବୁ ଦଳର ପ୍ରାର୍ଥୀ ହୋଇଛନ୍ତି। ଏହାଛଡ଼ା ଈଶ୍ବରଙ୍କୁ ଆମେ ଅନେକ ସମୟରେ ଅଭିମାନ କରି ନିନ୍ଦିଥାଉ। ଯେତେ ଅସୁବିଧାରେ ଥିଲେ ବି କେବେ ଈଶ୍ବରଙ୍କୁ ନିନ୍ଦିବେ ନାହିଁ। କାରଣ ଈଶ୍ବରଙ୍କ ସବୁ କଥାରେ‌ ଗୋଟିଏ ମତଲବ ଅଛି। ଆଜି ଈଶ୍ବରଙ୍କୁ ଆମେ ଧନ୍ୟବାଦ ଦେବା ଯେ, ଆଜି ପ୍ରଚଣ୍ଡ ଖରା ନାହିଁ। ଭଗବାନ ଆଜି ସୂର୍ଯ୍ୟଦେବଙ୍କୁ କହି ଲୁଚାଇ ଦେଇଛନ୍ତି। ସୂର୍ଯ୍ୟଦେବ ମଧ୍ୟ ଆମ ସହ ଲୁଚିଲୁଚି ଯାଉଛନ୍ତି। ଯେମିତି କାଞ୍ଚି ଅଭିଯାନ ବେଳେ ଜଗନ୍ନାଥ ଧଳାକଳା ଘୋଡ଼ାରେ ଚଢ଼ି ଯାଉଥିଲେ। ଆଜି ଟ୍ରେଲର ଦେଖିଲ। ଏହାପରେ ସିନେମା ହେବ। ୨୫ ତାରିଖରେ ସମସ୍ତେ ସିନେମା ଦେଖିବ। ସମସ୍ତଙ୍କ ପାଇଁ ହଲ୍‌ରେ ସିଟ୍ ଅଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶ୍ରୀ ପଟ୍ଟନାୟକ ଆଜି ଶାଳପଡ଼ା ପଡ଼ିଆରେ ସମାବେଶ ପରେ ଶୋଭାଯାତ୍ର‌ାରେ ବାହାରି ଆନନ୍ଦପୁରସ୍ଥିତ ନିଜ ଘର ଅଗଣାରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦିନ ସାଢ଼େ ଗୋଟାଏ ବେଳେ ସହକାରୀ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ସହ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଚତୁର୍ଭୁଜ ‌ନାୟକ, ବ୍ରଜବିହାରୀ ଜେନା, ସରପଞ୍ଚ ବୃନ୍ଦାବନ ଜେନା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ନବରଞ୍ଜନ ପଟ୍ଟନାୟକ, କୀର୍ତ୍ତନ ସାହୁ, ମନ୍ମଥ ରାଉତ, ସଦା ନାୟକ, ମନୋଜ ସ୍ବାଇଁ, କୁନିଆ ପାଲ, ନିରାକାର ସାହୁ, ନବଘନ ସାହୁ, ପ୍ରଫୁଲ୍ଲ ବେହେରା, ହରିହର ବୋଇତେଇ, ରାଜେନ୍ଦ୍ର ପଟ୍ଟନାୟକ, ଅମର ସିଂହ, ମୀନାରାଣୀ ବେହେରା, କଳାକାର ନାଏକ, ଯଜ୍ଞପ୍ରସାଦ ସାହୁ, ଦୀପକ ବେହେରା, ସୁବ୍ରତ କୁଅଁର, ରଣଜିତ ମହାରଣା, ପ୍ରକାଶ ବଳ, ରୁଦ୍ର ବେହେରା, ରାମଚନ୍ଦ୍ର ମହାନ୍ତ, ବିଷ୍ଣୁପ୍ରସାଦ ବେହେରା, ସରପଞ୍ଚ ମାର୍କଣ୍ଡ ମୁଣ୍ଡା, ସତ୍ୟମ ଦେହୁରୀ, ମକରଧ୍ବଜ ବେହେରା, ଗୀତା ନାୟକ, ବାସନ୍ତୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଆନନ୍ଦପୁର: ରାଜନୀତିରେ ଦୁଇ ପ୍ରତିଦ୍ବନ୍ଦ୍ବୀ ପରସ୍ପରକୁ ସମାଲୋଚନା କରିବା ଏକ ସାଧାରଣ କଥା ପାଲଟିଛି। ସେହିପରି ଆକ୍ରମଣ, ପ୍ରତିଆକ୍ରମଣ ଓ ଧମକଚମକ ଦେବାର ମଧ୍ୟ ନଜିର ଅନେକ ରହିଛି। ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି କିନ୍ତୁ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଘସିପୁରା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ନିଜର ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କୁ ନମସ୍କାର କରିଥିଲେ। ବଦ୍ରି ମଧ୍ୟ ସୌମ୍ୟରଞ୍ଜନଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ଘଟଣା ଆଜି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଅପରାହ୍‌ଣ ସାଢ଼େ ଗୋଟାଏ ବେଳେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ପ୍ରାର୍ଥିପତ୍ର ଦାଖଲ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରିଟର୍ଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଠରେ ଉପସ୍ଥିତ ରହି କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ସୌମ୍ୟରଞ୍ଜନ ପ୍ରକୋଷ୍ଠକୁ ପଶିବା ସହ ଶ୍ରୀ ପାତ୍ରଙ୍କ ସହିତ ହାତ ମିଳାଇଥିଲେ। ଶ୍ରୀ ପାତ୍ର ନିଜ କାମ ସାରି ବାହାରିଲା ବେଳକୁ ସୌମ୍ୟରଞ୍ଜନ ତାଙ୍କୁ ନମସ୍କାର ହୋଇ ଆଶୀର୍ବାଦ କାମନା କରିଥିଲେ। ଏହି ଦୃଶ୍ୟ ବେଶ ରୋଚକ ଥିଲା।

ସମ୍ବନ୍ଧିତ ଖବର