କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଖୋର୍ଦ୍ଧାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା

ସୂଚନାନୁସାରେ, ୨୬ ତାରିଖରେ ଭୋରରେ ପୌରଞ୍ଚଳରେ ଡାକବାଜି ଯନ୍ତ୍ର ସାହଯ୍ୟରେ ରାମଧୂନ ପରିବେଷଣ କରାଯିବ। ଏହାପରେ ସହର ମଧ୍ୟରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ସକାଳ ୭ଟା ୩୦ ମିନିଟରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବିଜେବି ସ୍କୁଲ ପଡ଼ିଆରେ ସକାଳ ୯ଟା ୧୫ ମିନିଟରେ ପତାକା ଉତ୍ତୋଳନ କରାଯିବ। ଏଥିରେ ପୁଲିସ ବାହିନୀ ପରେଡ୍‌ରେ ଯୋଗ ଦେବେ। ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଡ଼ୋରା ସୁରକ୍ଷା, ପରେଡ୍‌ ସମୟ, ପଡ଼ିଆର ଯାଞ୍ଚ ଆଦି ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଡିଏସ୍‌ପି (ଡିଆଇବି) ଅତନୁ କୁମାର ରାଉତ, ସହକାରୀ ନିର୍ଦେଶକ ଉଦ୍ୟାନ ସ୍ମିତା ମହାନ୍ତି, ରିଜର୍ଭ ଇନସପେକ୍ଟର ନାଗେଶ ଜେନା, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସୁବୋଧ କୁମାର ଜଗଦେବ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ଅଜିତ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର