ଉପଜିଲ୍ଲାପାଳଙ୍କୁ ଏନ୍‌ଜିଟି ଛାଟ: ଏତଲା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଝାରସୁଗୁଡ଼ା: ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ପୂର୍ବାଞ୍ଚଳ ଜୋନ୍‌ କୋଲକାତା ବେଞ୍ଚ ଏକ ମାମଲାରେ ବେଲପାହାଡ଼ ପୌର ପରିଷଦର ପ୍ରଶାସକ ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ଶିବ ଟପ୍ପୋଙ୍କ ନାମରେ  ତୁରନ୍ତ ଥାନାରେ ଏତଲା ଦେଇ ଏହାର ତଥ୍ୟ ଜଣାଇବାକୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୌର ପରିଷଦର ଜଣେ ବ୍ୟକ୍ତି ନବୀନ କିଷାନଙ୍କ ପକ୍ଷରୁ ଏନ୍‌ଜିଟିରେ ଦାୟର ହୋଇଥିବା ଏକ ମାମଲାର ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ଶୁଣାଣି କରି ଏନ୍‌ଜିଟି  ଏହି ନିର୍ଦ୍ଦେଶନାମା ଜାରି କରିଛି। ସେପ୍ଟେମ୍ବର ୨୯ ତାରିଖ ଦିନ ଏହି ମାମଲାରେ ଉପଜିଲ୍ଲାପାଳଙ୍କୁ ୨୫ ହଜାର ଟଙ୍କା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ଜମା କରି ତାହାର ପ୍ରମାଣ ସ୍ୱରୂପ ସତ୍ୟପାଠ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଉପଜିଲ୍ଲାପାଳ ସେହି ଅର୍ଥ ଜମା ଦେଇଥିବା ନେଇ କୌଣସି ପ୍ରକାର ସତ୍ୟପାଠ ଦାଖଲ କରି ନଥିଲେ।

ଉପଜିଲ୍ଲାପାଳଙ୍କ ଦ୍ବାରା କୌଣସି ସତ୍ୟପାଠ ଦାଖଲ କରାଯାଇ ନ ଥିବାରୁ ଏହାର ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ନାଁ ନାହିଁ ସେ ସଂପର୍କରେ ବେଞ୍ଚ ଅବଗତ ହୋଇ ପାରି ନଥିଲେ। ମାମଲାର ଶୁଣାଣି ବେଳେ ବେଲପାହାଡ଼ ପୌର ପରିଷଦର ପ୍ରାଶାସନିକ ଅଧିକାରୀ ଅବା ତାଙ୍କର କେହି ପ୍ରତିନିଧି ହାଜର ହୋଇ ନ ଥିଲେ। କମିଟି ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ବେଲପାହାଡ଼ ପୌର ପରିଷଦ କର୍ତ୍ତୃପକ୍ଷ ଉଦ୍‌ବୃତ୍ତ ବର୍ଜ୍ୟ ଜଳ ଏବଂ ଆବର୍ଜନା ଜଳ ନିଷ୍କାସନ ସକାଶେ କୌଣସି ପ୍ରକାର ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରି ନାହାନ୍ତି କି ଉପଯୁକ୍ତ କ୍ଷମତା ବିଶିଷ୍ଟ ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌ ( ଏସ୍‌ଟିପି) ମଧ୍ୟ ସ୍ଥାପନ କରି ନାହାନ୍ତି। କନ୍‌ସେଣ୍ଟ୍ ଟୁ ଏଷ୍ଟାବ୍ଲିସ୍‌ ଅବା କନସେଣ୍ଟ୍ ଟୁ ଅପରେଟ୍ ଆଦେଶନାମା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ହାସଲ କରି ନାହାନ୍ତି।

ସେ ଦୃଷ୍ଟିରୁ ପରିବେଶ ସୁରକ୍ଷା ଆଇନ – ୧୯୮୬ ଏବଂ ଦ ୱାଟର୍ ପ୍ରିଭେନସନ୍ ଆଣ୍ଡ କଣ୍ଟ୍ରୋଲ ଅଫ୍ ପଲ୍ୟୁସନ୍ ଆଇନ – ୧୯୭୪ର ବ୍ୟବସ୍ଥାର ବିରୁଦ୍ଧାଚରଣ କରିଥିବାରୁ ବେଲପାହାଡ଼ ପୌର ପରିଷଦର ପ୍ରାଶାସନିକ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଥାନାରେ ଏତଲା ଦେବାକୁ ଏନ୍‌ଜିଟି ବେଞ୍ଚ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏନ୍‌ଜିଟି ପକ୍ଷରୁ ଗଠିତ କମିଟିର ଅନୁଧ୍ୟାନ ରିପୋର୍ଟ, ତଥ୍ୟ ଏବଂ ପ୍ରସ୍ତାବକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଟ୍ରିବ୍ୟୁନାଲକୁ ସୂଚିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲା ସବଜୁଡ଼ିସ ଥିବାରୁ ଏନେଇ ଉପଜିଲ୍ଲାପାଳ ଶ୍ରୀ ଟପ୍ପୋଙ୍କ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରି  ୪ ତାରିଖକୁ ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର