ନିଶାଡିଙ୍କ ଛୁରା ମାଡ଼ରେ ସୁରକ୍ଷାକର୍ମୀ ଗୁରୁତର

ରାଉରକେଲା: ନିଶାଡିଙ୍କ ଛୁରା ମାଡ଼ରେ ନୂଆ ବସଷ୍ଟାଣ୍ଡରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ଗୁରୁତର ସୁରକ୍ଷାକର୍ମୀ ଅମର ବଡାଇକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ପ୍ଲାଣ୍ଟସାଇଟ ପୁଲିସ ଲାଲ୍‌ବିଲ୍‌ଡିଂର ନିଶାଡ଼ି ଯୁବକ ଏସ୍‌କେ ଅମଜାଦ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁରୁତର ସୁରକ୍ଷାକର୍ମୀ ଅମରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନାମୁତାବକ ଅମର ଏକ ନୂଆ ବସଷ୍ଟାଣ୍ଡରେ ଏକ ଘରୋଇ ବସ କମ୍ପାନିର ସୁରକ୍ଷା ଦାୟିତ୍ବରେ ଥିଲେ। ପ୍ରତିଦିନ ପରି ଗତକାଲି ରାତିରେ ଡ୍ୟୁଟି କରୁଥିଲେ। ଏସ୍‌କେ ଅମଜାଦ୍‌ ନିଶାଗ୍ରସ୍ତ ଅବସ୍ଥାରେ ପହଞ୍ଚି ସୁରକ୍ଷାକର୍ମୀ ଅମରଙ୍କ ସହିତ ପାଟିତୁଣ୍ଡ କରିଥିଲେ।

ଅମର ବସ୍‌ଷ୍ଟାଣ୍ଡରେ କାହିଁକି ନିଶାସେବନ କରି ବୁଲୁଛ ପଚାରିବାରୁ ଯୁବକ ଜଣକ ଅମରଙ୍କୁ ମାଡ ମାରିଥିଲେ। ଅମର ପ୍ରତିବାଦ କରିବାରୁ ଅମ୍‌ଜାଦ ପଟେରୁ ଛୁରା ବାହାର କରି ଅମରଙ୍କୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ। ବସ୍‌ଷ୍ଟାଣ୍ଡରେ ଥିବା ଅନ୍ୟ ଲୋକ ଆସିଯିବାରୁ ଅମ୍‌ଜାଦ ସେଠାରୁ ଫେରାର ହୋଇଯାଇଥିଲେ। ନୂଆ ବସଷ୍ଟାଣ୍ଡର ଫାଣ୍ଡି ପୁଲିସ ଅମରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧିତ ଖବର