ରଥଦାଣ୍ଡକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି, ଅନୁଷ୍ଠିତ ହେବ ସୁନାବେଶ

କୋରାପୁଟ: ଗୁଣ୍ତିଚା ମନ୍ଦିରରୁ ରଥଖଳାକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂତ୍ତି। ହଜାର ହଜାର ଭକ୍ତଙ୍କ ଗହଳିରେ ଭାଇଭଉଣୀକୁ ନେଇ ରଥଖଳାକୁ ଫେରିଥିବାବେଳେ ସନ୍ଧ୍ୟାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆସନ୍ତାକାଲି ରଥ ପରେ ସୁନାବେଶରେ ଦର୍ଶନ ଦେବାକୁ ରହିଥିବାବେଳେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ମୁହାଁ ହୋଇଛନ୍ତି ଶ୍ରୀଜିଉ। ଘଣ୍ଟଘଣ୍ଟା, ଭଜନକୀର୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ପାଟି ପଡିଛି ମାଉସୀମା’ ମନ୍ଦିର ଛକରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ। ଆସନ୍ତାକାଲି ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହାପର ଦିନ ରତ୍ନବେଦୀଙ୍କୁ ଫେରିବେ ଚତୁର୍ଦ୍ଧାମୂତ୍ତି। ସନ୍ଧ୍ୟା ୭ଟା ୫୨ରେ ରଥ ଉପରୁ ପହଣ୍ଡି କରାଯାଇ ରତ୍ନ ସିଂହାସନକୁ ବିଜେ କରାଯିବ। ଗୁଣ୍ତିଚା ମନ୍ଦିରରେ ଆଜି ସକାଳୁ ଠାକୁରଙ୍କ ବିଭିନ୍ନ ରୀତିନୀତି ଶେଷ ହେବା ପରେ ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭ ହୋଇଥିଲା ପହଣ୍ତି। ରଥରେ ଛେରା ପହଁରା ହେବା ପରେ ୧ଟ‌ା ୩୫ ମିନିଟରେ ଆରମ୍ଭ ହୋଇଥିଲା ରଥଟଣା। ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ପହଞ୍ଚିଥିଲେ। ହରିବୋଲ, ହୁଳହୁଳି, ଘଣ୍ଟ, କାହାଳୀ ଧ୍ବନି ଭିତରେ ଗଡିଥିଲା କୋରାପୁଟ ସହର। ପରେ ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ପରେ କାଳିଆ ଠାକୁରଙ୍କ ରଥ ଆଗକୁ ଆଗକୁ ଯାଇଥିଲା।

ଭକ୍ତଙ୍କ ଭିଡରେ ପ୍ରଭୁ ଟାଣି ହୋଇଯାଇ ଥିଲେ ମନ୍ଦିର ଆଡକୁ। ହେଲେ ବାଟରେ ମାଉସୀ ମା’ଙ୍କ ପାଖରୁ ପୋଡ ପିଠା ଭୋଗ ଲାଗିଥିଲା। ସେଠ‌ାରେ ୩ ରଥ ପହଞ୍ଚିବା ପରେ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ରଥରେ ଠାକୁରଙ୍କୁ ପୋଡ ପିଠା ଲାଗି କରିଥିଲେ। ପିଠା ଖାଇବା ପରେ ବଡ ଠାକୁରଙ୍କ ରଥ ଧୀରେ ଧୀରେ ଆଗକୁ ବଢିଥିଲା। ଏପଟେ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ଦୁଇଟି ଯାକ ରଥ ମାଉସୀ ଘର ପାଖରେ ଅଟକି ରହିଥିଲା। ଅପରାହ୍ନ ପ୍ରାୟ ୩ଟା ୩୦ ବେଳେ ରଥ ନିର୍ଧାରିତ ସ୍ଥାନରେ ପହଞ୍ଚି ଯାଇଥିଲା। ଦେବୀ ସୁଭଦ୍ରାଙ୍କ ରଥ ୪ଟାରେ ଓ ପ୍ରଭୁ ଜଗନ୍ନାଥଙ୍କ ରଥ ୫ଟା ୪୫ମିନିଟ୍‌ରେ ଯାଇ ପହଞ୍ଚିଥିଲା ଠିକଣା ସ୍ଥାନରେ। ରଥ ଲାଗିବା ପରେ ରଥାରୁଢ ଠାକୁରଙ୍କ ବିଭିନ୍ନ ନୀତି ହୋଇଥିଲା। ଏପଟେ ରଥ ଉପରେ ହିଁ ଠାକୁର ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଠାକୁରଙ୍କ ସନ୍ଧ୍ୟା ଆଳତୀ ପର୍ୟ୍ୟନ୍ତ ହଜାର ହଜାର ଭକ୍ତ ବଡ ଦାଣ୍ତରେ ଠିଆ ହୋଇ ରହିଥିଲେ। ଅନୁକୂଳ ପାଗ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

 

ସମ୍ବନ୍ଧିତ ଖବର