ଜମିରେ ପଶୁଛି ଲୁଣା ପାଣି, ଚାଷ କାମ ବ୍ୟାହତ, ଚିଙ୍ଗୁଡ଼ି ଘେରି ମାଲିକଙ୍କ ନିୟନ୍ତ୍ରଣରେ ଗୁଆମୁଣ୍ଡା ସ୍ଲୁଇସ୍‌ ଗେଟ୍!

ବାଲିତୁଠ (ଜଗତସିଂହପୁର): ଗୁଆମୁଣ୍ଡା ସ୍ଲୁଇସ୍‌ ଗେଟ୍‌ ଦୁର୍ବଳ ହୋଇପଡ଼ିଛି। ଏହି ଗେଟ୍‌ ମରାମତିର କରା ନଗଲେ କେଉଁ ମୁହୂର୍ତ୍ତରେ ଭାଙ୍ଗିପଡ଼ିବ କହିହେଉନାହିଁ। ଅନ୍ୟପଟେ କିଛି ଚିଙ୍ଗୁଡ଼ି ଚାଷୀ ସ୍ଲୁଇସ୍‌ ଗେଟ୍‌ ଖୋଲି ଦେଉଥିବାରୁ ସମସ୍ୟା ହେଉଛି। ଅନ୍ଧାରି ନଦୀର ଦୁଇ ପାର୍ଶ୍ୱରେ ବନ୍ଧ ନ ଥିବାରୁ ଜମିରେ ଲୁଣା ପାଣି ପଶିଯାଉଛି। ଗୋଟିଏ ପଟେ ଅଭାବୀ ବର୍ଷା, ଅନ୍ୟପଟେ ଜମିରେ ଲୁଣା ପାଣି ପଶିଯିବାରୁ ଖରିଫ ଚାଷରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏରସମା ବ୍ଲକ୍‌ ଜଟାଧାରରେ ମିଶିଥିବା ମୁଖ୍ୟ ମାହାଙ୍ଗା ନଦୀରେ ବାଲିତୁଠ ଓ ଗୁଆମୁଣ୍ଡା ଅଞ୍ଚଳର ଅନେକ ଶାଖା ନଦୀରେ ମିଶିଛି । ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ଅଞ୍ଚଳର ହଜାର ହଜାର ଏକର ଚାଷ ଜମିରୁ ଗୁଆମୁଣ୍ଡା ସ୍ଲୁଇସ୍ ଗେଟ୍‌ ଦେଇ ଜଳ ନିଷ୍କାସନ ହୋଇଥାଏ। ଦଶ କିଲୋମିଟରରୁ ଉର୍ଦ୍ଧ୍ବ ଲମ୍ବିଥିବା ଅନ୍ଧାରୀ ନଦୀ ଗୁଆମୁଣ୍ଡା ସ୍ଲୁଇସ୍‌ ଗେଟ୍‌ ପଥ ଦେଇ ମାହାଙ୍ଗା ନଦୀରେ ମିଶିଛି । ଗୁଆମୁଣ୍ଡା ଅଞ୍ଚଳର କିଆଡିଙ୍ଗି, ପାଇକ ସାହି, ନୁହାଡ଼ି, ଜସିପୁର, ମଲ୍ଲିପୁର, ନୋକେଇପୁର, ଜଳଉ ପାଟପୁର, ପାଇକସ୍ତା, ଧଳିପଙ୍ଗ, ତନ୍ତିଆ, ବାରବାଟିଆ, ସିଙ୍ଗିପୁର, ପୋଖରିଆପଡ଼ା, ରସଗଡାପୁର, ଅନ୍ଧାରୀ, କନାଗୋଳି, ବଡ଼ବେଲାରୀ, ପୋତକ, ଜାମୁକଣ, ବଳେଇପୁର ଆଦି ଗ୍ରାମର ଉଦ୍‌ବୃତ୍ତ ବର୍ଷା ପାଣି ଏହି ଗୁଆମୁଣ୍ଡା ଗେଟ୍‌ ଦେଇ ମାହାଙ୍ଗା ନଦୀକୁ ଯାଇଥାଏ। ତେବେ ସ୍ଲୁଇସ୍‌ ଗେଟ୍‌ରେ ଥିବା ଦୁଇଟି ପୁକାର ଦୁର୍ବଳ ହୋଇପଡ଼ିଛି।

ଏହି ଗେଟ୍‌ ମରାମତି କରାନଗଲେ କେଉଁ  ମୁହୂର୍ତ୍ତରେ  ବି ଭାଙ୍ଗି ପଡ଼ିବ। ଚଳିତବର୍ଷ ଅଭାବୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। ଅନ୍ଧାରୀ ନଦୀର ଲୁଣା ଜଳ ଚାଷ ଜମିରେ ପଶି ଯିବାରୁ ଶହଶହ ଏକର ଚାଷ ଜମି ଖରିଫ ଚାଷ କରିବାରେ ପ୍ରତିବନ୍ଧକ ସୃଷ୍ଟିହେଉଛି। ନଦୀ ପାର୍ଶ୍ୱରେ ଥିବା କିଛି ଚିଙ୍ଗୁଡ଼ିଚାଷୀ ଲୁଣା ପାଣି ପାଇଁ ଗୁଆମୁଣ୍ଡା ସ୍ଲୁଇସ୍ ଗେଟ୍ ପରିଚାଳନା ନିୟନ୍ତ୍ରଣରେ ରଖି ଗେଟ୍ ଖୋଲିଦେଉଛନ୍ତି। ଯାହାଫଳରେ ଅନ୍ଧାରି ନଦୀର ଦୁଇ ପାର୍ଶ୍ୱରେ ବନ୍ଧ ନ ଥିବାରୁ ନିଚ୍ଚା ସ୍ଥାନରେ ଲୁଣା ପାଣି ଜମିରେ ପଶିଯାଉଛି। ଯାହାଫଳରେ ଶହଶହ ଏକର ଚାଷଜମି ପଡ଼ିଆ ପଡ଼ିଛି। ବିଭାଗୀୟ ଅଧିକାରୀ ଗୁଆମୁଣ୍ଡା ସ୍ଲୁଇସ୍ ଗେଟ୍ ସଠିକ ପରିଚାଳନା ସହ ଦୁର୍ବଳ ଅନ୍ଧାରି ନଦୀ ବନ୍ଧ ମରାମତି କରାଗଲେ କୋଡିଏ ଖଣ୍ଡି ମୌଜାର ଶହଶହ ଏକର ଚାଷ ଜମି ଶସ୍ୟଶ୍ୟାମଳା ହୋଇଉଠିବ ବୋଲି ଗୁଆମୁଣ୍ଡାର ଚାଷୀ ମାଗୁଣି ସ୍ୱାଇଁ, ଶିବସୁନ୍ଦର ରାଉତ, ବିଜୟ ରାଉତ, ଗୋଲେଖ ଦାସ, ପୁରସ୍ତମ ରାଉତ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର