ନଡ଼ିଆ ଗଛର ଶିକ୍ଷା

କଥାଟିଏ - ଯାଯାବର

ଅନେକ ଦିନ ପରେ ଦୁଇ ବନ୍ଧୁଙ୍କ ଭେଟ ହେଲା। ଦୁହେଁ ଥିଲେ ଅତି ଭଲ ଛାତ୍ର। ଶିକ୍ଷା ଶେଷ କରିବା ପରେ ଜଣେ ବିଦେଶ ଚାଲି ଗଲେ ଏବ˚ ଜଣେ ନିଜ ଗାଁ କଲେଜରେ ଅଧୢାପକ ହେଲେ।
ସେ ଦିନ ଦୁଇ ବନ୍ଧୁ ଅନେକ ସମୟ ଯାଏ ଗପସପ କଲେ। ବିଦେଶ ଚାଲିଯାଇଥିବା ବନ୍ଧୁ ଜଣକ କହିଲେ- ବୁଝିଲ ଭାଇ, ତୁମେ ତୁମ ଜୀବନକୁ ମାଟି କରିଦେଲ। ତୁମେ ଚାହିଁଥିଲେ ବଡ଼ ବଡ଼ ଚାକିରି ତୁମ ଆଗରେ ଧାଡ଼ି ବାନ୍ଧିଥାଆନ୍ତା। ଏଇ ଗାଁରେ ରହିଥିଲେ ମୁଁ କ’ଣ ବା ପାଇଥାଆନ୍ତି? ତେଣୁ ବିଦେଶ ଚାଲିଗଲି।

ଏହା ଶୁଣି ଅଧୢାପକ ବନ୍ଧୁ କହିଲେ- ତୁମେ ଯାହା ଠିକ୍‌ ବୋଲି ଭାବିଲ ସେ ଅନୁସାରେ ନିଷ୍ପତ୍ତି ନେଲ। ସେମିତି ମୁଁ ନିଷ୍ପତ୍ତି ନେଲି ଯେ ଗାଁ କଲେଜ୍‌ରେ ପାଠ ପଢ଼େଇବି। ତେବେ ଏଠି ତୁମକୁ ଛୋଟ କଥାଟିଏ କହେ। ତୁମେ କହିପାର, ତାହା ମୋ ନିଷ୍ପତ୍ତିକୁ ପ୍ରଭାବିତ କରିଛି।

ଥରେ ଗୋଟାଏ ସମୁଦ୍ରକୂଳିଆ ଜାଗାରେ ନଡ଼ିଆ ଗଛମାନଙ୍କୁ ଦେଖାଇ ମୋ ମା’ କହିଥିଲେ- ଦେଖ ଏ ନଡ଼ିଆ ଗଛକୁ। ଏମାନଙ୍କ ଭାଗ୍ୟରେ ଖାଲି ଲୁଣି ପାଣି, ଲୁଣି ମାଟି ଓ ଲୁଣି ହାୱା। କିନ୍ତୁ କେବେ ହେଲେ ସେମାନେ ଏଥି ନେଇ ଅଭିଯୋଗ କରିନାହାନ୍ତି। ବର˚, ପ୍ରତିବଦଳରେ ସେମାନେ କ’ଣ ଦେଉଛନ୍ତି? ଏମିତି ଚମତ୍କାର ଫଳ ଯାହା ଭିତରେ ଭରି ରହିଛି ମଧୁର ପାଣି ଆଉ ମିଠା ଶସ।
ପାଠ ପଢ଼ା ସରିବା ପରେ ଜୀବନକୁ ନେଇ ନିଷ୍ପତ୍ତି ନେବା ବେଳକୁ ସେହି କଥା ମନେ ପଡ଼ିଲା। ମୁଁ କ’ଣ ପାଇଛି ବା ପାଇବି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ବର˚ କ’ଣ ଦେବି ତାହା ବଡ଼ କଥା ବୋଲି ଭାବିଲି। ତେଣୁ ଗାଁ କଲେଜରେ ପାଠ ପଢ଼ାଇବା ଲାଗି ରହିଗଲି।

ସମ୍ବନ୍ଧିତ ଖବର