ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଆଇଟିଆଇ ପରିସରରେ ବଜ୍ରପାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଆଇଟିଆଇରେ ଜାମଦା ଥାନା ଅନ୍ତର୍ଗତ ଟେଣ୍ଡରା ଗ୍ରାମର ଡବର ତିରୀଆ (୬୦) ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ତେବେ ଆଜି ହଠାତ୍ ତାଙ୍କ ଉପରେ ବଜ୍ରପାତ ପଡିଥିଲା । ଆଇଟିଆଇର କର୍ମଚାରୀମାନେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ଘଟଣସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଶବ ଗୃହରେ ରଖାଯାଇଛି । ଏନେଇ ଟାଉନ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ମୃତ ଡବରଙ୍କ ପରିବାରରେ କେବଳ ଏକ ମାତ୍ର ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି। ଝିଅର ବିବାହ ହୋଇ ଶାଶୁ ଘରେ ରହୁଥିବା ବେଳେ ତାଙ୍କ ପୁଅ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ସୂଚନା ମିଳିଛି । ଏଣୁ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।

ସମ୍ବନ୍ଧିତ ଖବର