ଗାଡ଼ି ଧକ୍କାରେ ଭାଲୁ ମୃତ

କେନ୍ଦୁଝର: ଗୁରୁବାର ରାତିରେ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ଭାଲୁର ମୃତ୍ୟୁ ଘଟିଛି । ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟୀ ବିଟ୍ ଜାମୁଡିହା ଜାତୀୟ ରାଜପଥ ୪୯ ପାର୍ଶ୍ବରେ ଗାଡ଼ି ଧକ୍କାରେ ଭାଲୁଟିର ମୃତ୍ୟୁ ଘଟିଛି। ମୃତ ଅଣ୍ଢିରା ଭାଲୁର ବୟସ ୮ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ଗାଡ଼ି ଧକ୍କା ପରେ ଭାଲୁଟି ଏକ ପୋଲ ତଳେ କ୍ଷତାକ୍ତ ହୋଇ ପଡ଼ିଥିଲା। ଜାମୁଡିହାର କେତେକ ଲୋକ ଭୋର ୪ଟା ବେଳେ ଏହି ସ୍ଥାନକୁ ଶୌଚ ପାଇଁ ଯାଇଥିବାବେଳେ ଦେଖିଥିଲେ। ସୂଚନା ପାଇ ବନ ବିଭାଗ ଉଦ୍ଧାର କରିବାକୁ ଯାଇଥିବା ବେଳେ ଭାଲୁଟି ମରିଯାଇଥିବା ଦେଖିବାକୁ ପାଇଥିଲେ। ଖାଦ୍ୟ ଅନ୍ୱେଷଣରେ କିମ୍ବା ଜାମୁଡିହା ଗ୍ରାମରେ ଥିବା ପୋଖରୀକୁ ପାଣି ପିଇବାକୁ ଆସିଥିବାବେଳେ ଗାଡ଼ି ଧକ୍କା ହୋଇଥାଇପାରେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ବାଂଶପାଳ ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶିଷ କୁମାର ଦାସ, ଡାକ୍ତର ସତ୍ୟବ୍ରତ ରାଉତ ଏବଂ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ସଂସ୍ଥାର ଡାକ୍ତର ବ୍ରଜରାଜ ଯାଦବ ବ୍ୟବଚ୍ଛେଦ କରିବା ପରେ ଭୂୟାଁ ଜୁଆଙ୍ଗ ରେଞ୍ଜ ପରିସରରେ ଗାତ ଖୋଳି ପୋତି ଦିଆଯାଇଥିଲା । ଜାତୀୟ ରାଜପଥରେ ବନ୍ୟପ୍ରାଣୀ ଯାତାୟାତ କରୁଥିବା ସ୍ଥାନରେ ସୂଚନା ଫଳକ ଥିଲେ ହେଁ ଗାଡ଼ି ଚାଳକ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବାରୁ ଏଭଳି ଘଟଣା ନିୟମିତ ଘଟୁଛି । ଜାତୀୟ ରାଜପଥରେ ଅଣ୍ଡରପାସ ନିର୍ମାଣ ସତ୍ତ୍ୱେ ଅନେକ ସ୍ଥାନରେ ଜଙ୍ଗଲୀ ଜୀବଜନ୍ତୁ ରାସ୍ତା ଅତିକ୍ରମ କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର