ଗୋପବ୍ରାଞ୍ଚ କେନାଲରେ ଘଳିଆ, ‌ପାଣି ଘେରରେ ୨୦୦ ପରିବାର

ବାଲିଅନ୍ତା: ବାଲିଅନ୍ତା କେନାଲ ସବ୍‌ଡିଭିଜନ ଅଧୀନ ଗୋପବ୍ରାଞ୍ଚ କେନାଲରେ ଆଜି ସକାଳେ ଏକାଧିକ ସ୍ଥାନରେ ଘଳିଆ ପଡ଼ିବା ଯୋଗୁ ସ୍ଥାନୀୟ ଜୟଦେବ ପଞ୍ଚାୟତର ମହୁଖଣ୍ଡା ଓ କୋଳଥପିଠା ଗାଁ ପାଣି ଘେରରେ ରହିଛି। ଫଳରେ ଉପରୋକ୍ତ ଗ୍ରାମ ଦ୍ବୟର ପ୍ରାୟ ଦୁଇଶହ ପରିବାର ପାଣି ଘେରରେ ରହିଛନ୍ତି। ଗୋପବ୍ରାଞ୍ଚ କେନାଲରେ ଘଳିଆ ସୃଷ୍ଟିହେବା ଦ୍ବାରା ବାବାଜି ଭୋଇ ଓ ଦାସିଆ ଭୋଇଙ୍କ ଗୁହାଳ ଘରେ ପାଣି ପଶିଯାଇଥିଲା।

ସେହିପରି କୀର୍ତ୍ତନ ଭୋଇଙ୍କର ପାନବରଜରେ ପାଣି ପଶିଯିବାରୁ ବହୁ ପରିମାଣର ପାନପତ୍ର ନଷ୍ଟ ହୋଇଯାଇଥିବା ସମାଜସେବୀ କରୁଣାକର ପରିଡ଼ା କହିଛନ୍ତି। ଅଧିକାଂଶ ଲୋକଙ୍କ ବାରି ଓ ଘର ଚାରିପାଖରେ ୩ ଫୁଟ୍‌ ଉଚ୍ଚରେ ପାଣି ଚାଲିବା ଫଳରେ ଲୋକମାନେ ଯାତାୟତ କରିବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଭୀମସେନ ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ କୁମାର ଷଡ଼ଙ୍ଗୀ ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ଘଳିଆ ସ୍ଥଳରେ ପହଞ୍ଚିଥିଲେ। ବିଭାଗୀୟ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀ ପହଞ୍ଚିବା ପରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ବର୍ଷାଦିନ ଆରମ୍ଭରୁ ଗୋପବ୍ରାଞ୍ଚ କେନାଲ ଦୁର୍ବଳ ସ୍ଥାନ ମରାମିତି କରାଯାଇ ନଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ଅଭିଯୋଗ କରି ଶତାଧିକ ଗ୍ରାମବାସୀ ହୋ-ହଲ୍ଲା କରିଥିଲେ। ଏନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଉଁଶ ବତା ଓ ବାଲିବସ୍ତା ସାହାଯ୍ୟରେ ଘାଇସ୍ଥାନ ମରାମତି କରାଯାଇଥିଲା। ସୂଚନା ମୁତାବକ ଆଜି ସକାଳେ ଗୋପବ୍ରାଞ୍ଚ କେନାଲର ମହୁଖଣ୍ଡା ଠାରେ ୧୦ଫୁଟ୍‌ ଲମ୍ବ ଏବଂ ୮ ଫୁଟ୍‌ ଚଢ଼ଡ଼ାରେ ହଠାତ ଏକ ଘଳିଆ ପଡ଼ିଥିଲା। ସଳଖା ଜେନା ନାମକ ଜଣେ ଯୁବକ ଘଳିଆ ପଡ଼ିଲା ବୋଲି ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ।

Sambad

ପାଟିଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ମାଟିଚେକା ଛକି ଘଳିଆ ମରାମତି କରିବାକୁ ଉଦ୍ୟମ କରିଥିଲେ। ହେଲେ ଘଳିଆ ବନ୍ଦ କରିବାରେ ସଫଳ ହୋଇନଥିଲେ। ଚାହୁଁ ମହୁଖଣ୍ଡା ଗ୍ରାମର ମାଣିକସାହି, ପାଢ଼ୀସାହି, ବଣିଆସାହି ଓ ଭୋଇସାହି ଜଳାର୍ଣ୍ଣବ ହୋଇଯାଇଥିଲା। ଅଧିକାଂଶ ଲୋକଙ୍କ ଘର ଜଳବନ୍ଦୀ ହୋଇଯାଇଥିଲା। ଗାଁ ଦାଣ୍ଡ ବାରି ଓ ଘର ଚାରିପାଖରେ ୨/୩ ଫୁଟ୍‌ ଉଚ୍ଚରେ ପାଣିର ସ୍ରୋତ ଚାଲିଥିଲା। ଦୀର୍ଘ ସମୟ ଧରି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଥିଲେ।

ଅନୁରୂପ ଭାବେ କୋଳଥ ପିଠା ଗ୍ରାମ ନିକଟରେ ଉକ୍ତ କେନାଲରେ ଅନୁରୂପ ଭାବେ ଏକାଧିକ ଛୋଟ ଘଳିଆ ପଡ଼ିବାରୁ ଗାଁରେ ପାଣି ପଶିଯାଇଥିଲା। ହେଲେ ଗାଁରୁ ଜଳନିଷ୍କାସନ ପାଇଁ ଥିବା ଡ୍ରେନ ଓ କଲଭର୍ଟ ମୁହଁ ପୋତି ହୋଇଯାଇଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଥିଲା। ବାଲିଅନ୍ତା କେନାଲ ସବ୍‌ଡିଭିଜନ ପକ୍ଷରୁ ଗୋପବ୍ରାଞ୍ଚ କେନାଲରେ ପାଣି ଯୋଗାଣ ବନ୍ଦ କରାଯାଇ ଘଳିଆ ଓ ଦୁର୍ବଳ କେନାଲ ବନ୍ଧ ମରାମତି କରାଯାଇଥିଲା। ଗୋପ ବ୍ରାଞ୍ଚ କେନାଲ ସମେତ କୁଶଭଦ୍ରା ନଦୀର ଦୁର୍ବଳବନ୍ଧ ସ୍ଥାନ ମରାମତି ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର