କୋଭିଡ୍ କଟକଣା ଭାଙ୍ଗୁଥିବା ଗାଡ଼ି ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣା କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଥିଲା। ଆଜି ଖୋର୍ଦ୍ଧା ସହର ଓ ଅନ୍ୟ ସ୍ଥାନ ଗୁଡ଼ିକରେ ଯାଂଚ ଓ ଜୋରିମାନା ଆଦାୟକୁ ବ୍ୟାପକ କରାଯାଇଛି। ଆଜି ଗୋଟିଏ ଦିନରେ ୯୫ଟି ଗାଡ଼ି ଜବତ କରାଯିବା ସହ ସେମାନଙ୍କ ନିକଟରୁ ୧୯ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଗଣମାଧ୍ୟମ ସୂଚନା ସମ୍ମିଳନୀରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଓ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଏନେଇ ସୂଚନା ଦେଇ କହିଛନ୍ତି ଯେ ଏପ୍ରିଲ ପ୍ରଥମ ସପ୍ତାହ ଠାରୁ ଆଜି ସୁଦ୍ଧା କୋଭିଡ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ୧୦ଲକ୍ଷ ୬୫ହଜାର ୮୧୦ଟଙ୍କା ଆଦାୟ କରାଯାଇଛି।

ଆଜି ୯୫ ଗାଡ଼ି ଚାଳକ ପ୍ରତ୍ୟେକଙ୍କ ଠାରୁ ୨୦୦ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି। ସେହିଭଳି କୋଭିଡ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ବର୍ତମାନ ଯାଏଁ ଗ୍ରାମାଂଚଳ ପୁଲିସ ପକ୍ଷରୁ ୭୨ଲକ୍ଷ ୧୯ହଜାର ୨୫୦ଟଙ୍କା ଆଦାୟ କରାଯାଇଛି। ସେହିଭଳି ଗ୍ରାମାଂଚଳରେ ଚାଲୁଥିବା କୋଭିଡ୍ ନିୟନ୍ତ୍ରଣ ଓ ପରିଚାଳନା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଜିଲ୍ଳାପାଳ କହିଛନ୍ତି ଯେ ଗତକାଲି ସୁଦ୍ଧା ଗ୍ରାମାଂଚଳ ଜିଲ୍ଲାରେ ୧୨୦୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ବର୍ତମାନ ପ୍ରାଥମିକ ଅବସ୍ଥାରେ କୋଭିଡ ପରୀକ୍ଷା ଓ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ୨୪ ତାରିଖ ଠାରୁ ଆଶା ଓ ଏଏନ୍ଏମ୍ମାନେ ଘରଘର ବୁଲି କୋଭିଡ ଲକ୍ଷଣ ଓ ରୋଗ ସମ୍ପର୍କରେ ସର୍ଭେ କରିବେ। ଆଜି ବିଭିନ୍ନ ବୃଦ୍ଧାଶ୍ରମ, ଥଇଥାନକେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ଟିକା ଦିଆଯାଇଛି। ମିଶନ ଆଶ୍ରାରେ ୭୦ ଓ ଶଙ୍କରପୁର ଠାରେ ଥିବା ଜରାଶ୍ରମରେ ୪୪ଜଣଙ୍କୁ ଟିକା ଦିଆଯାଇଛି। ଏହାପରେ କୁଷ୍ଠାଶ୍ରମ ଓ ଚାଇଲ୍ଡ କେୟାର୍ ହୋମ୍ରେ ମଧ୍ୟ ଟିକା ଦିଆଯିବ। ସହରାଂଚଳରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ବସ୍ତି ଅଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଖୋର୍ଦ୍ଧା ପୌରାଂଚଳରେ ୨୪ଟି ବସ୍ତିରେ ସଂକ୍ରମଣ ରୋକିବାକୁ ପରିଷ୍କାର ପରିଚ୍ଛନ୍ନତା, ବ୍ଲିଚିଂ ଆଦି ବିଶୋଧନ ସିଂଚନ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର