ପ୍ରଧାନମନ୍ତ୍ରୀ ସଡ଼କରେ ଆଣ୍ଠୁଏ ପାଣି

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ର ଖିରେଇଟାଙ୍ଗିରିଠାରୁ ସଦର ବ୍ଲକ୍‌ର ଶଙ୍କିରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯାଇଛି। ବାଉଁଶୁଳି ବାଘମରାସାହି ନିକଟରେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ‌ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଏଠାରେ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାଟି ଖାଲୁଆ ଥିବାରୁ ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଲହଡ଼ି ମାରୁଛି। ବିଶେଷ କରି ଛାତ୍ରଛାତ୍ରୀ ସ୍କୁଲ ,କଲେଜ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଅନେକ ଦିନ ଧରି ପାଣି ଜମି ରହୁଥିବାରୁ ମଶା ବଂଶ ମଧ୍ୟ ବୃଦ୍ଧି ପାଉଥିବା ଲୋକେ ଅଭିଯୋଗ କରିଛନ୍ତି।

ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ଲୋକେ ହଟହଟା ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଗ୍ରାମବାସୀ ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦ‌‌କ୍ଷେପ ନିଆଯାଉନି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମହାନ୍ତିଙ୍କୁ ପଚାରିବାରୁ, ଏଠାରେ ୭/୮ ବର୍ଷ ତଳେ ରାସ୍ତା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ଵକୁ ଲୋକେ ଜବରଦଖଲ କରି ପାଚେରି ଓ ଘର ନିର୍ମାଣ କରିଥିବାରୁ ରାସ୍ତାରେ ପାଣି ଜମୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର