ଗୁଣି ଗାରେଡି ସନ୍ଦେହ: ମହିଳାଙ୍କୁ ହାଣି ହତ୍ୟା କଲା ଯୁବକ

ରାୟଗଡ଼ା: ରାୟଗଡ଼ା ସହରର କୋଇଲାପଡାରେ ଘଟିଛି ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କରିଛି ଜଣେ ଯୁବକ। ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ୫୫ବର୍ଷୀୟ ଚନ୍ଦ୍ରମା ବିଭାର । ଆଜି ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଛି। ମୃତ ଚନ୍ଦ୍ରମାଙ୍କ ପଡୋଶୀ ଘରେ ରହୁଥିବା ଜଣେ ଯୁବକ ରାଜେଶ କୁଲେସିକା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ପୁଲିସ ପହଞ୍ଚି ତଦନ୍ତ କରିବା ପରେ ରାଜେଶକୁ ଗିରଫ କରିଛି। ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆ ମଧ୍ୟ ପୁଲିସ ଜବତ କରିଛି ।

ସୂଚନା ପାଇ ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦିବ୍ୟଜ୍ୟୋତି ଦାସ ସମେତ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡ଼ି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲା। ଏ ନେଇ ଉଭୟ ପରିବାର ମଧ୍ୟରେ ବଚସା ମଧ୍ୟ ପୂର୍ବରୁ ହୋଇଛି।

ତେବେ ଏଥିରେ ଉତକ୍ଷିପ୍ତ ହୋଇ ଆଜି ମଧ୍ୟାହ୍ନ ସମୟରେ ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ହାଣି ଦେଇଥିଲା। ବେକକୁ ହାଣି ଦେବା ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସେହିପରି ହତ୍ୟା କରିବା ପରେ ଚନ୍ଦ୍ରମାଙ୍କ ଘରୁ ବାହାରି ସାହିର ଲୋକଙ୍କୁ ରାଜେଶ ଧମକ ମଧ୍ୟ ଦେଇଥିଲା | ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି।

ସମ୍ବନ୍ଧିତ ଖବର