କଲ୍‌ ଡ୍ରପ୍‌ରୁ ଶୀଘ୍ର ମିଳିବନି ଆଶ୍ବସ୍ତି: ଅଧିକ ସମୟ ମାଗି‌ଲେ ଟେଲିକମ୍ କମ୍ପାନି

ନୂଆଦିଲ୍ଲୀ: ‌ପ୍ରିୟଜନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀ କଥାବାର୍ତ୍ତା ହେବା ବେଳେ ଫୋନ୍ ହଠାତ୍‌ କଟିଯିବା ଏକ ଅତ୍ୟନ୍ତ ବିରାକ୍ତିକର ଅନୁଭୂତି ପ୍ରଦାନ କରିଥାଏ। ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଅଧିକାଂଶ ଲୋକଙ୍କ ସେହି ତିକ୍ତ ଅନୁଭୂତି ରହିଛି। ତେବେ ଏଥିରୁ ଏତେ ଶୀଘ୍ର ନିସ୍ତାର ମିଳିବା ଭଳି ମନେ ହେଉନାହିଁ। କାରଣ କଲ୍ ଡ୍ରପ୍ ସମସ୍ୟାକୁ ରୋକିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଅଧିକ ସମୟ ଦେଇପାରନ୍ତି। ବାରମ୍ବାର କଲ୍ ଡ୍ରପ୍ ହେଉଥିବାରୁ ସେବାର ଗୁଣାତ୍ମକ ମାନ ବଢ଼ାଇବା ଉପରେ ଟ୍ରାଇ ଜୋର୍ ଦେଉଛି। ଏହି ସମସ୍ୟା ରୋକିବା ଉପରେ ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲୋହାଟି ବିଶେ‌ଷ ଜୋର ଦେଇଥିଲେ। ବେସ୍‌ ଟାୱାର ସମ୍ପର୍କିତ ବହୁ ତଥ୍ୟ ପ୍ରଦାନ କରିବା ଲାଗି କମ୍ପାନିଗୁଡ଼ିକୁ କୁହାଯାଇଛି। ଏତେ ପରିମାଣ ଡାଟା ଦେବା ଲାଗି କମ୍ପାନିଗୁଡ଼ିକ ଅଧିକ ସମୟ ମାଗିଛନ୍ତି। କାରଣ ସେଥିପାଇଁ ସେମାନଙ୍କୁ ଆଇଟି ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି।

ମିଳିଥିବା ସୂଚନା ଅନୁସାରେ କମ୍ପାନିଙ୍କୁ ଅଧିକ ସମୟ ଦେବାକୁ ଟ୍ରାଇ ରାଜି ହୋଇପାରେ। କିନ୍ତୁ ଏହା ଯେଉଁ କଠୋର ନିୟମ ଆଣିଛି, ତାହା କୋହଳ କରିବ ନାହିଁ। ବେସ୍‌ ଟାୱାରରୁ ବ୍ୟାପକ ତଥ୍ୟ ଦାଖଲ କରିବା ଲାଗି ଏପ୍ରିଲ୍ ୨୬ରେ ଟ୍ରାଇ ପକ୍ଷରୁ ଟେଲିକମ୍ କମ୍ପାନିଗୁଡ଼ିକୁ କୁହାଯାଇଥିଲା। ୨ଜି, ୩ଜି, ୪ଜି ଓ ୫ଜି ଉପରେ ସେମାନଙ୍କୁ ତଥ୍ୟ ଦେବାକୁ କୁହାଯାଇଛି। ଟେଲିକମ୍ ସେବାର ମାନରେ ଉନ୍ନତି ଆସିବା ନିହାତି ଜରୁରୀ ଏବଂ ଅବହେଳା ପାଇଁ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିବା ଆବଶ୍ୟକ ବୋଲି ଟ୍ରାଇ ଭାବୁଛି। ସେଥିପାଇଁ ଟେଲିକମ୍ କମ୍ପାନିଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି। କୌଣସି ଗୋପନୀୟ ତଥ୍ୟ ମଗାଯାଇନାହିଁ। କମ୍ପାନିଗୁଡ଼ିକୁ ଜିଲ୍ଲା, ସହର ଏବଂ ଗ୍ରାମଗୁଡ଼ିକରେ ଥିବା ଟାୱାର ବିଷୟରେ ବିବରଣୀ ଦେବାକୁ ପଡ଼ିବ। ପ୍ରତି ତ୍ରୈମାସିକ ଶେଷ ହେବାର ୨୧ ଦିନ ଭିତରେ ତଥ୍ୟ ଦେବାକୁ ସେମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର