ଅର୍ଥ ବ୍ୟବସ୍ଥାର ଅଗ୍ରଣୀ ସଂସ୍କାରକ

ଅଟଳ ବିହାରୀ ବା‌ଜପେୟୀ

ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ

ଜଣେ ଅସୀମ ପ୍ରତିଭାବାନ ସାଂସଦ, ଅଦମ୍ୟ ବି‌େରାଧୀ ଦଳ ନେତା ଏବଂ ଜନପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀଙ୍କୁ ଭାରତବାସୀ ସର୍ବଦା ମନେ ରଖିବେ। ଗୋଟିଏ ଝୁଲା ସଂସଦରୁ ଅନେକ ଗୁଡ଼ିଏ ଛୋଟ ବଡ଼ ରାଜନୈତିକ ଦଳକୁ ନେଇ ଗଠିତ ଗୋଟିଏ ମିଳିତ ସରକାରକୁ ସଫଳ ନେତୃତ୍ବ ଦେବାରେ ତାଙ୍କର କୌଶଳ ଏବଂ କ୍ଷମତା ରାଜନୀତି ବିଜ୍ଞାନୀମାନଙ୍କର ଧ୍ୟେୟ। ବୃହତ୍‌ ଶକ୍ତିମାନଙ୍କର ଚାପରେ ନମିତ ନ ହୋଇ ଭାରତକୁ ଗୋଟିଏ ଆଣବିକ ଶକ୍ତି ରୂପେ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାରେ ତାଙ୍କର ଅବଦାନ ମଧ୍ୟ ଚିରସ୍ମରଣୀୟ। ଏବଂ ପ୍ରଧାନମନ୍ତ୍ରୀ ରୂପେ ଅର୍ଥନୀତି କ୍ଷେତ୍ରରେ ଅନେକ ବଳିଷ୍ଠ ସଂସ୍କାରମୂଳକ ପଦକ୍ଷେପ ନେଇ ଭାରତୀୟ ଅର୍ଥନୀତିର ମୂଳଦୁଅାକୁ ସେ ସୁଦୃଢ଼ କରିଥିଲେ, ଯାହା ପରବର୍ତ୍ତୀ କାଳରେ ଆମ ଅର୍ଥନୀତିର କ୍ଷିପ୍ର ଅଭିବୃଦ୍ଧିରେ ସହାୟକ ହୋଇଛି। ବଡ଼ କଥା ହେଲା, ଟିକସ ବ୍ୟବସ୍ଥାରେ ସଂସ୍କାର ଆଣି ସେ ଏହାକୁ ଗୋଟିଏ ଆଧୁନିକ ଅର୍ଥନୀତିର ଉପଯୋଗୀ କରିପାରିଥିଲେ।

କେନ୍ଦ୍ରୀୟ ଏକ୍‌ସାଇଜ୍‌ ଟିକସରେ ତାଙ୍କ ସରକାର ଯୁଗାନ୍ତକାରୀ ସଂସ୍କାର ଆଣି କେନ୍ଦ୍ରୀୟ ମୂଲ୍ୟଯୁକ୍ତ ଟିକସ (‘ସେନ୍‌ଭାଟ୍‌’)ର ପ୍ରବର୍ତ୍ତନ କରିଥିଲେ। ଏହା ଦ୍ବାରା ପ୍ରତ୍ୟେକ ଟିକସ ଦାତା ଗୋଟିଏ ଦ୍ରବ୍ୟ ଉପରେ କେବଳ ନିଜ ସ୍ତରରେ ଯୁକ୍ତ ହୋଇଥିବା ମୂଲ୍ୟ (Value Added) ଉପରେ ଟିକସ ଦେଲେ, ଯାହା ଫଳରେ ଗୋଟିଏ ଦ୍ରବ୍ୟ ଉପରେ ଆଗ ପରି ଥାକ ଥାକ ହୋଇ ଅତ୍ୟଧିକ ଟିକସ ଭାର ପଡ଼ିଲା ନାହିଁ। ଏହା ଦ୍ବାରା ଆମ ଦେଶରେ ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକ ଶସ୍ତା ହେଲା। ପୂର୍ବ ପରି ବିଭିନ୍ନ ଦ୍ରବ୍ୟ ଉପରେ ନିର୍ଦ୍ଦିଷ୍ଟ ହୋଇଥିବା ଭିନ୍ନ ଭିନ୍ନ ହାରର ଟିକସ ନ ପଡ଼ି, ଦ୍ରବ୍ୟର ମୂଲ୍ୟ ଉପରେ କେବଳ ଶତକଡ଼ା ୮, ୧୬ ଓ ୨୪ ହାରରେ ‘ସେନ୍‌ଭାଟ୍‌’ ପଡ଼ିଲା। ବାସ୍ତବରେ ଅନ୍ୟ ଦୁଇଟି ହାର ଅଳ୍ପ କେତେକ ଦ୍ରବ୍ୟ ପାଇଁ ପ୍ରଯୁଜ୍ୟ ହୋଇ ୧୬% ହାର ପ୍ରାୟ ୯୦ ଭାଗ ଦ୍ରବ୍ୟ ‌େକ୍ଷତ୍ରରେ ଲାଗୁ ହେଲା। ଏହା ଫଳରେ ଦେଶରେ ଗୋଟିଏ ସରଳ ଏବଂ ସ୍ଥିର ଟିକସ ବ୍ୟବସ୍ଥାର ଅଭ୍ୟୁଦୟ ହେଲା। ଏହା ଛଡ଼ା ବିଭିନ୍ନ ଦ୍ରବ୍ୟ ଉପରେ ଏକ୍‌ସାଇଜ୍‌ ଟିକସର ହାର କମ୍‌ ବା ବେଶୀ କରିବା ପାଇଁ ପ୍ରତିବର୍ଷ ବଜେଟ୍‌ ପୂର୍ବରୁ ଯେଉଁ ପ୍ରବଳ ଲବି ହେଉଥିଲା, ସେହି ଅପସଂସ୍କୃତି ସବୁଦିନ ପାଇଁ ଲୋପ ପାଇଲା।

ଏହା ପରେ ବାଜପେୟୀ ରାଜ୍ୟମାନଙ୍କର ବିକ୍ରି ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବାରେ ଦୃ‌ଷ୍ଟି ନିବଦ୍ଧ କଲେ। କିନ୍ତୁ ଏହା ଏକ ଦୁରୂହ ବ୍ୟାପାର ଥିଲା, ଯେଣୁ ଆମ ସଂଘୀୟ ବ୍ୟବସ୍ଥାରେ ଏହା ରାଜ୍ୟ ସରକାରମାନଙ୍କର କ୍ଷମତା ପରିସରଭୁକ୍ତ। ରାଜ୍ୟମାନଙ୍କ ମଧ୍ୟରେ ମତୈକ୍ୟ ସୃଷ୍ଟି ପାଇଁ ବାଜପେୟୀ ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗୋଟିଏ କ୍ଷମତାପ୍ରାପ୍ତ କମିଟି ଗଠନ କଲେ। ବାଜପେୟୀଙ୍କର ରାଜନୈତିକ ପରିପକ୍ବତାର ନିଦର୍ଶନ ହେଲା ତାଙ୍କର ରା‌ଜନୈତିକ ବିରୋଧୀ ପଶ୍ଚିମବଙ୍ଗର ବାମପନ୍ଥୀ ସରକାରର ଅର୍ଥମନ୍ତ୍ରୀ ଅସୀମ ଦାଶଗୁପ୍ତାଙ୍କୁ ଏହି କମିଟିର ସଭାପତି କରାଗଲା। ଏହି ଉଦ୍ୟମ ଫଳରେ ପ୍ରଥମେ ସବୁ ରାଜ୍ୟ ପ୍ରତ୍ୟେକ ଦ୍ରବ୍ୟ ଉପରେ ଗୋଟିଏ ସର୍ବନିମ୍ନ ବିକ୍ରି କର ହାର ଗ୍ରହଣ କଲେ, ଯାହା ଫଳରେ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟ ରାଜ୍ୟର କିଣାବିକା ନିଜ ରାଜ୍ୟକୁ ଟାଣି ଆଣି ଅଧିକ ରାଜସ୍ବ ପାଇବାର ଅସ୍ବାସ୍ଥ୍ୟକର ପ୍ରତିଦ୍ବନ୍ଦ୍ବିତା ଲୋପ ପାଇଲା; ଆନ୍ତଃ ରାଜ୍ୟ ବିକ୍ରୟ ଉପରେ ପଡୁଥିବା କେନ୍ଦ୍ରୀୟ ବିକ୍ରି କର ହଟିଲା ଏବଂ ସବୁ ରାଜ୍ୟରେ ମୂଲ୍ୟ ଯୋଗ ଉପରେ ପର୍ଯ୍ୟବସିତ ସମନ୍ବିତ ବିକ୍ରି କର ବା ‘ଭାଟ୍‌’ର ପ୍ରଚଳନ ପାଇଁ ପଥ ପରିଷ୍କାର ହେଲା। ବିଧାତାର ବିଡ଼ମ୍ବନା ଯେ ଏଥିନିମନ୍ତେ ଆଇନ ପ୍ରଣୟନ ହେବା ପୂର୍ବରୁ ବାଜପେୟୀଙ୍କ ସରକାରର କାର୍ଯ୍ୟ କାଳ ଶେଷ ହୋଇଗଲା। ତେବେ, ପରବର୍ତ୍ତୀ ୟୁ.ପି.ଏ ସରକାରଙ୍କ ପ୍ରଥମ ବର୍ଷରେ ହିଁ ‘ଭାଟ୍‌’ର ପ୍ରଚଳନ ହୋଇଥିଲା। ଆମ ସଂଘୀୟ ବ୍ୟବସ୍ଥାର ବିଭାଜିତ ଟିକସ ବ୍ୟବସ୍ଥା ବଦଳରେ ଏଭଳି ଗୋଟିଏ ସମନ୍ବିତ ମୂଲ୍ୟଯୁକ୍ତ ଟିକସ ବ୍ୟବସ୍ଥା ଦ୍ବାରା ଗୋଟିଏ ଏକୀକୃତ ବଜାର ସୃଷ୍ଟି କରିବାର ପରିକଳ୍ପନା ସେ ହିଁ କରିଥିଲେ ଯାହାର ରୂପାନ୍ତର ହେଲା ଆଜିର ଦ୍ରବ୍ୟ ଓ ସେବାକର ବା ‘ଜିଏସ୍‌ଟି’।

ଅର୍ଥନୈତିକ ବିକାଶ ପାଇଁ ଏକାନ୍ତ ଆବଶ୍ୟକ ଥିବା ଭିତ୍ତିଭୂମି କ୍ଷେତ୍ରରେ ଭାରତ ଯଥେଷ୍ଟ ପଛରେ ରହିଯାଇଥିଲା। ଏହି ଅଭାବ ଦୂର କରିବାର ପ୍ରାଥମିକତା‌ ବାଜପେୟୀ ହୃଦୟଙ୍ଗମ କରିଥିଲେ ଏବଂ ଏ ଦିଗରେ ଅନେକ ଗୁଡ଼ିଏ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ପ୍ରଣିଧାନଯୋଗ୍ୟ ଯେ ବିଭିନ୍ନ ଭିତ୍ତିଭୂମିର ସମନ୍ବିତ ବିକାଶ ତାଙ୍କର ଲକ୍ଷ୍ୟ ଥିଲା। ଭାରତର ଚାରି ପ୍ରାନ୍ତକୁ ଦ୍ରୁତ ରାଜପଥ ମାଧ୍ୟମରେ ସଂଯୋଗ କରିବା ପାଇଁ ‘ସ୍ବର୍ଣ୍ଣିମ ଚତୁର୍ଭୁଜ’ ଏବଂ ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ କ୍ଷିପ୍ର ପଥର ପରିକଳ୍ପନା କରି ବିଶ୍ବବ୍ୟାଙ୍କ ସହାୟତାରେ ଜାତୀୟ ରାଜପଥ ବିକାଶ ଯୋଜନା ମାଧ୍ୟମରେ ଏଗୁଡ଼ିକର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ତାଙ୍କରି ପ୍ରଧାନମନ୍ତ୍ରିତ୍ବ ସମୟରେ (ସ୍ବର୍ଣ୍ଣିମ ଚତୁର୍ଭୁଜର) ୫୮୦୦ କିଲୋମିଟର ଦୀର୍ଘ ଚାରିଥାକିଆ ରାଜପଥର ନିର୍ମାଣ ମଧ୍ୟ ହୋଇପାରିଥିଲା। ପରବର୍ତ୍ତୀ ସମୟରେ ଏହାର ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍‌ ୭୩୦୦ କିଲୋମିଟର ଦୀର୍ଘ ପୂର୍ବ-ପଶ୍ଚିମ ଏବଂ ଉତ୍ତର-ଦକ୍ଷିଣ ପଥର କାର୍ଯ୍ୟ ଶେଷ ହୋଇଛି। ଯାହା ଫଳରେ ଦେଶର ପ୍ରାନ୍ତରୁ ପ୍ରାନ୍ତ ସମସ୍ତ ବଡ଼ ସହର ଓ ଶିଳ୍ପାଞ୍ଚଳ ଚାରିଥାକିଆ ରାଜପଥ ଦ୍ବାରା ସଂଯୋଜିତ ହୋଇପାରିଛି।

ଗ୍ରାମାଞ୍ଚଳଗୁଡ଼ିକ ଦେଶର ଅର୍ଥ ବ୍ୟବସ୍ଥାର ପ୍ରକୃତ ଅଂଶ ହେବାକୁ ହେଲେ ସେଗୁଡ଼ିକ ମୁଖ୍ୟ ରାଜରାସ୍ତାଗୁଡ଼ିକ ଜରିଆରେ ସହର-ବଜାରଗୁଡ଼ିକ ସହିତ ଯୋଡ଼ି ହେବା ଦରକାର ବୋଲି ଉପଲବ୍‌ଧି କରି ବାଜପେୟୀ ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ର ପ୍ରାରମ୍ଭ କରିଥିଲେ। ଏହାର ସୁଫଳ ଆଜି ଆମ ନିଜ ଆଖିରେ ଦେଖିପାରୁଛୁ। ଏହାଦ୍ବାରା ସାଢ଼େ ପାଞ୍ଚ ଲକ୍ଷ କିଲୋମିଟର ଦୀର୍ଘ ରାସ୍ତା ନିର୍ମିତ ହୋଇଛି ଏବଂ ଦେଢ଼ ଲକ୍ଷରୁ ଅଧିକ ଗ୍ରାମକୁ ସବୁ ଦିନିଆ ରାସ୍ତା ଯାଇ ପାରିଛି। ଏହି ଜାତୀୟ ରାଜପଥ ଏବଂ ଗ୍ରାମ୍ୟ ରାସ୍ତାଗୁଡ଼ିକ ଭାରତର ଆଧୁନିକ ଅର୍ଥନୀତିର ମୂଳଦୁଆ ସଦୃଶ। ଏତେ ବଡ଼ ପରିଯୋଜନା ପାଇଁ ଯେଉଁ ଅର୍ଥର ଆବଶ୍ୟକତା ଥିଲା, ତାହା ବାଜପେୟୀ ସରକାର ପେଟ୍ରୋଲ/ଡିଜେଲ ଉପରେ ଗୋଟିଏ ସେସ୍‌ ବସାଇ ପାଇଥିଲେ। ଏହି ସେସ୍‌ରୁ ମିଳୁଥିବା ଅର୍ଥର ସୁପରିଚାଳନା ପାଇଁ ‘ସେଣ୍ଟ୍ରାଲ ରୋଡ୍‌ ଫଣ୍ଡ’ ଗଠନ କରି କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଏହି ଅର୍ଥର ସୁଷମ ବଣ୍ଟନ ମଧ୍ୟ କରାଯାଉଥିଲା।
ବାଜପେୟୀଙ୍କର ପ୍ରଧାନମନ୍ତ୍ରିତ୍ବର ଆଉ ଗୋଟିଏ ସଫଳ କାହାଣୀ ହେଲା ଟେଲିକମ୍‌ ଭିତ୍ତିଭୂମିର ପ୍ରସାର। ସେଲ୍‌ଫୋନର ପ୍ରଚଳନ ପାଇଁ ଟେଲିକମ୍‌ ଲାଇସେନ୍‌ସ ସ୍ପେକ୍‌ଟ୍ରମ୍‌ର ଆବଣ୍ଟନ ପ୍ରଥମେ ନିଲାମ ମାଧ୍ୟମରେ କରାଯାଇଥିଲା। କମ୍ପାନିମାନେ ଅତି ଉଚ୍ଚ ଦରରେ ନିଲାମ ଡାକିବାରୁ ଏପରି ପରିସ୍ଥିତି ଉପୁଜିଥିଲା ଯେ ସେମାନେ ଟାୱାର ଭିତ୍ତିଭୂମିରେ ଆବଶ୍ୟକ ନିବେଶ କଲା ପରେ ପ୍ରତି ବର୍ଷ ନିଲାମ ଦ୍ବାରା ଧାର୍ଯ୍ୟ ଅବାସ୍ତବ ଲାଇସେନ୍‌ସ ଫି’ ପଇଠ କରିବାକୁ ସେମାନଙ୍କର ପାଖରେ ସମ୍ବଳ ନ ଥିଲା। ତେଣୁ ଏହା ଦ୍ବାରା ଯେ ଟେଲିକମ୍‌ କ୍ଷେତ୍ରରେ ନିବେଶ ବାଧା ପ୍ରାପ୍ତ ହେବ, ତାହା ହୃଦ୍‌ବୋଧ କରି ବାଜପେୟୀ ବିହିତ ପରାମର୍ଶ ପରେ ନୂଆ ନୀତି ପ୍ରଣୟନ କଲେ। ଏଣିକି ନିଲାମ ପାଇଥିବା କମ୍ପାନିମାନଙ୍କୁ ନିଲାମର
ଧାର୍ଯ୍ୟ ଲାଇସେନ୍‌ସ ଫି ବଦଳରେ ପ୍ରତି ବର୍ଷ ଆୟର ଗୋଟିଏ ସମୁଚିତ ଅଂଶ ସରକାରଙ୍କୁ ଦେବାକୁ ହେଲା। ଏହା ଫଳରେ ଭାରତରେ ଟେଲିକମ୍‌ ବିପ୍ଳବ ସମ୍ଭବ ହୋଇ ପାରିଲା। ଆଜି ଏହା ବିଶ୍ବର ଦ୍ବିତୀୟ ବୃହତ୍ତମ ଟେଲିକମ୍‌ ବ୍ୟବସ୍ଥା।
ବାଜପେୟୀ ସରକାର ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ମଧ୍ୟ ସୁଦୂରପ୍ରସାରୀ ସଂସ୍କାର କରିଥିଲେ। ଶହେ ବର୍ଷ ପୁରାତନ ‘ଇଲେକ୍‌ଟ୍ରିସିଟି ବୋର୍ଡ’ ବ୍ୟବସ୍ଥା ପରିହାର କରି ବିଦ୍ୟୁତ୍‌ ଉତ୍ପାଦନ ଏବଂ ବିତରଣ କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶର ପଥ ସୁଗମ କରିବା ପାଇଁ ପ୍ରତିଯୋଗିତାର କ୍ଷେତ୍ର ପ୍ରସ୍ତୁତି ପାଇଁ ନୂତନ ‘‌ଇଲେକ୍‌ଟ୍ରିସିଟି ଅଧିନିୟମ ୨୦୦୩’ ପ୍ରଣୟନ କରାଗଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଦିଓ ଏହି ସଂସ୍କାର ସାରା ଦେଶରେ ଲାଗୁ ହେଲା; ପୂର୍ବରୁ ଓଡ଼ିଶାରେ ବିଜୁ ପଟ୍ଟନାୟକ ଏ ପ୍ରକାର ସଂସ୍କାର ଆଣି ସାରିଥିଲେ।
ବାଜପେୟୀ ଅର୍ଥନୈତିକ ପ୍ରତିଯୋଗିତାରେ ବିଶ୍ବାସ କରୁଥିଲେ ଏବଂ ଭାରତର ଉତ୍ପାଦନକାରୀମାନଙ୍କର ଦକ୍ଷତା ଉପରେ ତାଙ୍କର ଗଭୀର ଆସ୍ଥା ଥିଲା। ସେ ତାଙ୍କର ଶାସନ କାଳରେ ପ୍ରାୟ ସମସ୍ତ ଦ୍ରବ୍ୟର ଆମଦାନି ପରିମାଣ ଉପରେ ରହିଥିବା କଟକଣା ଉଠାଇ ଦେଇଥିଲେ। ଆମଦାନି ଶୁଳ୍କ ମଧ୍ୟ ପ୍ରତି ବଜେଟରେ ହ୍ରାସ କରି ୪୫%ରୁ ୨୦୦୪-୦୫ ‌େବଳକୁ ୨୦%କୁ ଖସାଇ ଦେଇଥିଲେ। ଏହି ସଂସ୍କାରର ଫଳ ସ୍ବରୂପ ଭାରତୀୟ ବହିର୍ବାଣିଜ୍ୟ ଲାଭବାନ ହୋଇଥିଲା, କାରଣ ଉତ୍ପାଦନ ପାଇଁ ବ୍ୟବହୃତ ଦ୍ରବ୍ୟମାନ ଶସ୍ତାରେ ମିଳିପାରିଲା ଏବଂ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତା କରି ପାରିଲେ। ଫଳରେ ବହିର୍ବାଣିଜ୍ୟରେ କ୍ଷିପ୍ର ଉନ୍ନତି ହୋଇଥିଲା। ଏତଦ୍‌ବ୍ୟତୀତ ଭାରତର ଅର୍ଥନୀତିକୁ ଖୋଲା କରି ବହିର୍ବାଣିଜ୍ୟର ବିକାଶ ଜରିଆରେ ଅର୍ଥନୀତିରେ ଅଭିବୃଦ୍ଧି ଆଣିବା ବାଜପେୟୀଙ୍କର ରଣକୌଶଳ ଥିଲା। ସେ ଏଥିପାଇଁ ଏସିଆ ମହାଦେଶର ଅନେକ ଦେଶ ସହିତ ଦ୍ବିପାକ୍ଷିକ ଏବଂ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରାଇଥିଲେ, ଯାହା ପରବର୍ତ୍ତୀ କାଳରେ ଅନେକ ଦେଶ ସହିତ ଚୁକ୍ତିରେ ପରିଣତ ହେଲା।
ବୋଧହୁଏ ବାଜପେୟୀ ସରକାରର ସବୁଠାରୁ ବଳିଷ୍ଠ ଅର୍ଥନୈତିକ ସଂସ୍କାର ହେଲା ଅନେକଗୁଡ଼ିଏ ସରକାରୀ ଉଦ୍ୟୋଗର ଘରୋଇକରଣ। ଏହା ଥିଲା ସଂସ୍କାରମୂଳକ ଦୃଷ୍ଟିଭଙ୍ଗୀର ପରିଚାୟକ। ପ୍ରାୟ କୋଡ଼ିଏଟି ହୋଟେଲ ଏବଂ ଦଶଟି ଅନ୍ୟ ବୃହତ୍‌ ଶିଳ୍ପର ଘରୋଇକରଣ ବାଜପେୟୀଙ୍କ ସମୟରେ ହୋଇଥିଲା। ବିତ୍ତୀୟ ପରିଚାଳନା କ୍ଷେତ୍ରରେ ସରକାରମାନଙ୍କର ଦାୟିତ୍ବହୀନତାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ବାଜପେୟୀ ସରକାର ‘ବିତ୍ତୀୟ ଦାୟିତ୍ବ ଓ ବଜେଟ ପରିଚାଳନା’ ଆଇନ ପ୍ରଣୟନ କରିଥିଲେ। ସେହିଦିନ ଠାରୁ ବିତ୍ତୀୟ ପରିଚାଳନାରେ ଦାୟିତ୍ବବୋଧର ଆକଳନ ଗୋଟିଏ ମାନଦଣ୍ଡ ‌ରୂପେ ଉଭା ହୋଇଛି; ଯାହା ଫଳରେ ସରକାରମାନଙ୍କର ଯଥେଚ୍ଛାଚାରିତା ହ୍ରାସ ପାଇଛି। ‘ଏଫ.ଆର.ବି.ଏମ୍‌’ ଆଇନ ମଧ୍ୟ ରିଜର୍ଭ ବ୍ୟାଙ୍କ ଦ୍ବାରା ସରକାରୀ ବଣ୍ଡଗୁଡ଼ିକରେ ସିଧାସଳଖ ନିବେଶକୁ ନିଷେଧ କରିବା ଦ୍ବାରା ନୋଟ୍‌ ଛାପି ବିତ୍ତୀୟ ନିଅଣ୍ଟ ଭରଣା କରିବାର ବାଟ ବନ୍ଦ ହୋଇଯାଇଛି, ଯାହା ଫଳରେ ବିତ୍ତୀୟ ଅନୁଶାସନ ପାଳନ କରିବା ପାଇଁ କେନ୍ଦ୍ର ସରକାରମାନେ ବାଧ୍ୟ ହେଉଛନ୍ତି।
ଆମ ଅର୍ଥନୈତିକ ବ୍ୟବସ୍ଥାର ଆଉ ଗୋଟିଏ ଦୁର୍ବଳତା ଥିଲା ଉଚ୍ଚା ସୁଧ ହାର, ଯାହାକି ପୁଞ୍ଜି ନିବେଶରେ ବାଧକ ହେଉଥିଲା। ସ୍ବଳ୍ପ ସଞ୍ଚୟକାରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଡାକ ଏବଂ ଅନ୍ୟାନ୍ୟ ସ୍ବଳ୍ପ ସଞ୍ଚୟ ‌େଯାଜନାଗୁଡ଼ିକରେ ସରକାରଙ୍କ ଦ୍ବାରା ଉଚ୍ଚା ସୁଧ ହାର ନିର୍ଦ୍ଧାରିତ କରାଯାଉଥିଲା। ଏହି ସୁଧ ହାର ବଜାର ଦ୍ବାରା ସ୍ବତଃ ନିର୍ଦ୍ଧାରିତ ହେବା କଥା। ଏ ପ୍ରକାର ଉଚ୍ଚ ସୁଧରେ ଅର୍ଥ ନିବେଶ କରିବାର ସୁଯୋଗ ଥିଲା ଯାଏଁ, ଅର୍ଥ-ବଜାରରେ ସୁଧ ହାରକୁ କମାଇବାରେ ରିଜର୍ଭ ବ୍ୟାଙ୍କର ସମସ୍ତ ପ୍ରଚେଷ୍ଟା ବିଫଳ ହେଉଥିଲା। ବାଜପେୟୀ ଗୋଟିଏ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଢ଼ି ସ୍ବଳ୍ପ ସଞ୍ଚୟ ଯୋଜନାଗୁଡ଼ିକର ଯୁକ୍ତିଯୁକ୍ତ ସୁଧ ନିର୍ଦ୍ଧାରଣ କରାଇଥିଲେ। ଏହା ଗୋଟିଏ ଯୁଗାନ୍ତକାରୀ ସଂସ୍କାର ଥିଲା; ଏବଂ ଦେଶରେ ଗୋଟିଏ ନିମ୍ନ ସୁଧ ହାର ବିଶିଷ୍ଟ ପୁଞ୍ଜି ବଜାରର ମୂଳଦୁଆ ସ୍ଥାପନ କରିଥିଲା। ଏହା ଦ୍ବାରା ପୁଞ୍ଜି ନିବେଶ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆମର ଉତ୍ପାଦନ ଖର୍ଚ୍ଚ କମି ଯାଇଥିଲା।
ବାଜପେୟୀଙ୍କର କାର୍ଯ୍ୟ କାଳ ଅପେକ୍ଷାକୃତ ସ୍ବଳ୍ପ ଥିଲା।। ଏଣୁ ଅନେକ ପରିକଳ୍ପନା ରୂପ ପାଇ ନ ପାରିବା ସ୍ବାଭାବିକ। ୨୦୦୦-୨୦୦୧ ବଜେଟ ଭାଷଣରେ ସରକାରୀ ବ୍ୟାଙ୍କମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରି ଏହା ୩୩%କୁ ଖସାଇ ଦେବାର ଅବତାରଣା ହୋଇଥିଲା। ଏହା ହୋଇପାରିଥିଲେ ପରବର୍ତ୍ତୀ କାଳରେ ଏନ୍‌.ପି.ଏ ସମସ୍ୟାରେ ବୋଧହୁଏ ବ୍ୟାଙ୍କଗୁଡ଼ିକ ଛନ୍ଦି ହୋଇ ନ ଥାଆନ୍ତେ। ୨୦୦୧-୨୦୦୨ ବଜେଟ ଭାଷଣରେ ଶିଳ୍ପ ବିବାଦ ଆଇନରେ ସଂଶୋଧନ ଆଣିବାର ଇଚ୍ଛା ବ୍ୟକ୍ତ କରାଯାଇଥିଲା। ଏହା ହୋଇ ପାରିଥିଲେ ଶ୍ରମଭିତ୍ତିକ କ୍ଷୁଦ୍ର ଶିଳ୍ପଗୁଡ଼ିକ ନିଜର କାରବାର ଯଥେଷ୍ଟ ବୃଦ୍ଧି କରି ପାରିଥାଆନ୍ତେ; ବିଶେଷ କରି ଆମର ବସ୍ତ୍ର ଶିଳ୍ପରେ ବୈପ୍ଳବିକ ଅଭିବୃଦ୍ଧି ଘଟିଥାନ୍ତା। ପେଟ୍ରୋଲିଅମ ଦରକୁ ସରକାରୀ ନିୟନ୍ତ୍ରଣମୁକ୍ତ କରିବା କଥା ମଧ୍ୟ ସେ ଘୋଷଣା କରିଥିଲେ ଯାହା ପରବର୍ତ୍ତୀ କାଳରେ କାର୍ଯ୍ୟକାରୀ ହୋଇଛି।
ଏହା ସ୍ପଷ୍ଟ ଯେ ତାଙ୍କର ଅପେକ୍ଷାକୃତ ସ୍ବଳ୍ପ ଏବଂ ସମସ୍ୟାବହୁଳ ଶାସନ କାଳ ମଧ୍ୟରେ ବାଜପେୟୀ ଅନେକ ଅର୍ଥନୈତିକ ସଂସ୍କାର ଆଣି ପାରିଥିଲେ, ଯାହାର ସୁଫଳ ସ୍ବରୂପ ଭାରତୀୟ ଅର୍ଥନୀତି କ୍ରମେ ଅଧିକରୁ ଅଧିକ ସମୃଦ୍ଧ ହେବାରେ ଲାଗିଛି।
ମୋ: ୯୪୩୭୦୦୫୦୪୦

ସମ୍ବନ୍ଧିତ ଖବର