ବ୍ରୁସ ଲିଙ୍କୁ କିଏ ନ ଜାଣେ? ହଂକଂର ଏହି ଚୀନ ମୂଳର ଅଭିନେତା ଗଲା ଶତାବ୍ଦୀର ସପ୍ତମ ଦଶକରେ ହଲିଉଡ୍ ଭିତରକୁ ଝଡ଼ ଭଳି ପଶି ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ। ତାଙ୍କ ଦ୍ବାରା ତିଆରି ଓ ଅଭିନୀତ ସିନେମା ‘ଏନ୍ଟର ଦ ଡ୍ରାଗନ୍’ ସାରା ପୃଥିବୀରେ ଏକ ସୁପରଡୁପର ହିଟ୍ ସିନେମାରେ ପରିଣତ ହୋଇଥିଲା ଏବଂ ଚୀନର ପାରଂପରିକ ସମର କଳା କରାଟେ ଓ କୁଂଫୁର ଲୋକପ୍ରିୟତାକୁ ବିଶ୍ବ ସାରା ଚହଟାଇ ଦେଇଥିଲା। ଜୀବଦ୍ଦଶାରେ ସେ ଗୋଟିଏ କିଂବଦନ୍ତିରେ ପରିଣତ ହୋଇ ସାରିଥିଲେ। ତାଙ୍କୁ କେନ୍ଦ୍ର କରି କାହାଣୀମାନ ଗୁନ୍ଥା ହେବାରେ ଲାଗିଥିଲା। ଲୋକେ କହୁଥିଲେ ଯେ ତାଙ୍କ ଅଙ୍ଗ ଚାଳନାର ବେଗ ଏଭଳି ଦ୍ରୁତ ଯେ ତାଙ୍କୁ ଗୁଳି କଲେ ବି ବୁଲେଟ୍ ତାଙ୍କ ଦେହରେ ବାଜୁ ନ ଥିଲା। ଏକ ରହସ୍ୟମୟତା ତାଙ୍କୁ ଘେରି ରହିଥିଲା। କେବଳ ସମର କଳା ବିଶାରଦ ଭାବେ ନୁହେଁ କି ଚଳଚ୍ଚିତ୍ର ନିର୍ମାତା ବା ଅଭିନେତା ଭାବେ ନୁହେଁ, ଜଣେ ବିଜ୍ଞ ଦାର୍ଶନିକ ଭାବେ ମଧ୍ୟ ସେ ସୁନାମ ପାଇଥିଲେ। ବିଭିନ୍ନ ସମୟରେ ସେ କହିଥିବା ଅନେକ ଉକ୍ତି ଉଦ୍ଧୃତି ଭାବେ ବ୍ୟବହୃତ ହୋଇ ଆସୁଛି, କାରଣ ସେ ସବୁଥିରୁ ପ୍ରଜ୍ଞାର ଝଲକ ମିଳିଥାଏ।
ଥରେ ବ୍ରୁସ ଲି କହିଥିଲେ ଯେ ଯେଉଁ ଲୋକ ଦଶ ହଜାର ପ୍ରକାର କରାଟେ ଲାତ ମାରି ଜାଣିଛି, ସେ ତାକୁ ଭୟ କରନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ଗୋଟିଏ ଲାତକୁ ଦଶ ହଜାର ଥର ଅଭ୍ୟାସ କରେ ତାକୁ ତାଙ୍କର ଭାରି ଭୟ। ଏହି କଥା ଛଳରେ ସେ ଯାହା କହିବାକୁ ଚାହିଥିଲେ ତାହା ହେଲା କେବଳ ଅଭ୍ୟାସ ଦ୍ବାରା ହିଁ ନିପୁଣତା ବା ନିଖୁଣତା ହାସଲ କରି ହୋଇଥାଏ। ସମର କଳା ହେଉ ବା ନୃତ୍ୟ କଳା ବା ଗାୟନ କଳା; ସବୁଥିରେ ଅଭ୍ୟାସକୁ ହିଁ ଗୁରୁତ୍ବ ଦିଆଯାଇଥାଏ। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରରେ ଏହି ଅଭ୍ୟାସକୁ ‘ରେୱାଜ’ ବୋଲି କୁହାଯାଏ। ଶୁଣାଯାଏ ପ୍ରସିଦ୍ଧ ଭାରତୀୟ ତବଲା ବାଦକ ଓସ୍ତାଦ ଅହମଦ ଜାନ ଥିରକୱା ତବଲା ଅଭ୍ୟାସ କଲା ବେଳେ ପାଖରେ ଛୋଟିଆ ଗିନାଟିଏ ରଖୁଥିଲେ। ନିଶାର୍ଦ୍ଧରୁ ତାଙ୍କର ତବଲା ବଜା ଅଭ୍ୟାସ ଆରମ୍ଭ ହେଉଥିଲା। କପାଳରୁ ବିନ୍ଦୁ ବିନ୍ଦୁ ଝାଳକୁ ସେ ସେଇ ଗିନାରେ ନିଗାଡ଼ି ତାହା ପୂର୍ଣ୍ଣ ହେବା ଯାଏ ଅଭ୍ୟାସ ଜାରି ରଖୁଥିଲେ। ତାହା ଏକାଦିକ୍ରମେ ଛଅ ଘଣ୍ଟା ଯାଏ ଚାଲୁଥିଲା। ସେମିତି ଚାର୍ଲି ଚାପଲିନଙ୍କୁ ନେଇ କଥାଟିଏ ଶୁଣାଯାଏ। ଚାପଲିନଙ୍କ ଅଭିନୟ କଳାକୁ କିଏ କେେତ ଆୟତ୍ତ କରିପାରିଛି ବୋଲି କୁଆଡ଼େ ଥରେ ଗୋଟିଏ ପ୍ରତିଯୋଗିତା ହେଲା। ମଜା ଦେଖିବା ଲାଗି ସମସ୍ତଙ୍କ ଅଗୋଚରରେ ଚାପଲିନ ବି ସେଥିରେ ଭାଗ ନେଲେ। ସମସ୍ତେ ଏକା ଭଳି ଦିଶୁଥିବାରୁ ଚାପଲିନଙ୍କୁ ଚିହ୍ନିବାର ଜୁ ନ ଥିଲା। ଦେଖାଗଲା ଯେ େଖାଦ ଚାର୍ଲି ଚାପଲିନ ପ୍ରତିଯୋଗିତାରେ ତୃତୀୟ ହେଲେ। ତାର ଅର୍ଥ ଚାପଲିନଙ୍କ କଳାକୁ ଅଭ୍ୟାସ କରିଥିବା ଲୋକେ ତାଙ୍କୁ ବି ବଳି ଗଲେ।
ବନ୍ଧୁକ ଚାଳନା ହେଉ ବା ତୀରନ୍ଦାଜୀ ହେଉ; ଲକ୍ଷ୍ୟ ଭେଦ କରିବା ଲାଗି ଦରକାର ପଡ଼ିଥାଏ ଗହନ ଅଭ୍ୟାସ। ଜାପାନର ସମୁରାଇ ଯୋଦ୍ଧାମାନେ କାଠ ତରବାରିରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରନ୍ତି ଏବଂ ପେର ଅସଲ ତରବାରି ଧରନ୍ତି। କିନ୍ତୁ ଅଭ୍ୟାସ ବଳରେ ସେମାନେ ଏମିତି ଦୋରସ୍ତ ହୋଇ ଯାଆନ୍ତି ଯେ ଖଣ୍ଡା ବୁଲାଇ ଉଡୁଥିବା ମାଛିକୁ ବି ଦୁଇ ଗଡ଼ କରି ପାରନ୍ତି। ତେଣୁ ଲକ୍ଷ୍ୟ ଭେଦ ଲାଗି ହେଉ ବା ଲକ୍ଷ୍ୟ ହାସଲ ଲାଗି ହେଉ; ଅଭ୍ୟାସ ହିଁ ଏକମାତ୍ର ବାଟ। ଯଦିଓ କୁହାଯାଏ ଯେ ସାହିତ୍ୟଧର୍ମୀ ସର୍ଜନଶୀଳ ଲେଖାଲେଖି ପ୍ରେରଣାରୁ ଆସେ, କିନ୍ତୁ ଯୋଗଜନ୍ମା କବି ବା ଲେଖକମାନେ ପ୍ରତିଦିନ ଲେଖାର ମଧ୍ୟ ଅଭ୍ୟାସ କରନ୍ତି। ଜର୍ଜ ବର୍ନାଡ ଶ’ ପ୍ରତିଦିନ ନିଧାର୍ଯ୍ୟ ପାଞ୍ଚ ପୃଷ୍ଠା ଲେଖୁଥିଲେ। ସେମିତି ଜର୍ମାନ ଲେଖକ ଟମାସ ମାନ ଲେଖୁଥିଲେ ପ୍ରତିଦିନ ଚାରିଶହ ଶବ୍ଦ ବା ଆମେରିକୀୟ ଲେଖକ ଜନ୍ ଷ୍ଟେନବେକ ଲେଖୁଥିଲେ ଦିନକୁ ଦେଢ଼ ହଜାର ଶବ୍ଦ। କେବଳ ଏମାନେ ନୁହନ୍ତି ପ୍ରତି ଭାଷାର ଲେଖକ ଓ କବିମାନେ ସେମାନଙ୍କ ରଚନା କାରିଗରିର ଉତ୍କର୍ଷ ଲାଗି ପ୍ରତ୍ୟହ ଅଭ୍ୟାସ କରନ୍ତି।
ତେଣୁ ସୁନାରା ତାରକସି କାମ ହେଉ ବା ପଥରର କୋଟୀ କାମ ସବୁଥିରେ ନିଖୁଣତା ପାଇବା ଲାଗି ଗୋଟିଏ ମାର୍ଗ ରହିଛି, ତାହା ହେଉଛି ଅଭ୍ୟାସ। ଏପରିକି ଉଚ୍ଚକୋଟୀର ଭାଷଣ ଦେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଂକନ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରୁଥିଲେ।
ତେଣୁ, ବୟସ ନିର୍ବିେଶଷରେ ସମସ୍ତେ କିଛି ନା କିଛି, ଯାହା ସେମାନଙ୍କୁ ଭଲ ଲାଗୁଛି, ଅଭ୍ୟାସ କରନ୍ତୁ। ନିଷ୍ଠାର ସହିତ କଲେ ଏମିତି ସମୟ ଆସିବ, ଯେତେବେଳେ ଦିନେ ଯାହା ଅସମ୍ଭବ ଲାଗୁଥିଲା, ତାହା ସମ୍ଭବରେ ପରିଣତ ହେବ।
୫୦, ଲକ୍ଷ୍ମୀ ବିହାର, ଭୁବନେଶ୍ବର