ମୋଦୀଙ୍କ ‘ମନ୍‌ କୀ ବାତ୍‌’ର ପ୍ରାସଙ୍ଗିକତା ଓ ମହତ୍ତ୍ବ

ଅନୁରାଗ ସିଂହ ଠାକୁର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ବକ୍ତା, ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଜନଗଣଙ୍କ ସହିତ ତତ୍କାଳ ସମ୍ପର୍କ ସ୍ଥାପନ କରିବାର ଏକ ଅଦ୍ଭୁତ କଳା ତାଙ୍କ ପାଖରେ ରହିଛି। ଜଣେ ଓଜସ୍ୱୀ ବକ୍ତା ଭାବେ ତାଙ୍କର କୌଶଳ ଏହି ଅଭିନବ କ୍ଷମତାର ପ୍ରମାଣ ଦେଇଥାଏ। ତାଙ୍କ ବକ୍ତବ୍ୟରେ ରହିଥିବା ନିଷ୍ଠା, ତାଙ୍କର ଚରିତ୍ରଗତ ସଚ୍ଚୋଟତା ଏବଂ ଗତ ଆଠ ବର୍ଷ ଧରି ଜନସାଧାରଣଙ୍କ ସହିତ ତାଙ୍କର ବିଶ୍ୱାସ ଆଧାରିତ ସମ୍ପର୍କ ତାଙ୍କୁ ଜଣେ ଧୁରୀଣ ଗଣଯୋଗାଯୋଗକାରୀ ବା ‘ମାସ୍‌ କମ୍ୟୁନିକେଟର୍’ ଭାବେ ପ୍ରତିଷ୍ଠିତ କରିପାରିଛି।

ତାଙ୍କର ସମାବେଶୀ ଦୃଷ୍ଟିକୋଣକୁ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସ୍ୱୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ-କୈନ୍ଦ୍ରିକ ବିକାଶ ମଡେଲ ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିଛି। ନିଜର ଅଣ-ଆଭିଜାତ୍ୟପୂର୍ଣ୍ଣ ସ୍ୱଭାବ କାରଣରୁ ସେ ନିରନ୍ତର ଜନସାଧାରଣଙ୍କ ସହିତ ମତ ବିନିମୟ କରିଥାନ୍ତି। ଏହାର ପରିଣାମ ସ୍ୱରୂପ ‘ମନ୍‌ କୀ ବାତ୍‌’ ଭଳି କାର୍ଯ୍ୟକ୍ରମ ଜନ୍ମ ନେଇଛି। ଅକ୍ଟୋବର ୨୦୧୪ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଗତ କିଛି ବର୍ଷ ଧରି ପ୍ରତି ମାସର ଶେଷ ରବିବାରରେ ନିୟମିତ ଭାବେ ପ୍ରସାରିତ ହେଉଛି। ଏକ ରେଡିଓ କାର୍ଯ୍ୟକ୍ରମ ଭାବେ ‘ମନ୍‌ କୀ ବାତ୍‌’ର ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହାକୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଭିନ୍ନ ଭିନ୍ନ ପ୍ଲାଟଫର୍ମ ଜରିଆରେ ପ୍ରସାରଣ କରାଯାଉଛି।

‘ମନ୍‌ କୀ ବାତ୍‌’ରେ ମୋଦୀଙ୍କର ଦୁଇଟି ସ୍ୱରୂପ ଦେଖିବାକୁ ମିଳିଥାଏ- ଜଣେ ହେଉଛନ୍ତି ଦୃଢ଼, ଶକ୍ତିଶାଳୀ, ଏକାଗ୍ରଚିତ୍ତ ପ୍ରଧାନମନ୍ତ୍ରୀ ମୋଦୀ; ଆଉ ଜଣେ ହେଉଛନ୍ତି କୋମଳ, ଦୟାଳୁ, ସଜ୍ଜନ ପିତୃତୁଲ୍ୟ ମୋଦୀ। ଯଦି ଆପଣ ନିଜ ଆଖି ବନ୍ଦ କରି ‘ମନ୍‌ କୀ ବାତ୍‌’କୁ ଶୁଣନ୍ତି, ତା’ହେଲେ ଆପଣ ଅନୁଭବ କରିପାରିବେ ଯେ ମୋଦୀଜୀ ଗାଁର ଏକ ଚଉତରା ଉପରେ ବସିଛନ୍ତି, ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି- ସେମାନଙ୍କ କଥା ଶୁଣୁଛନ୍ତି, ସେମାନଙ୍କୁ କିଛି କହୁଛନ୍ତି ଏବଂ ଆବଶ୍ୟକ କ୍ଷେତ୍ରରେ ଉଚିତ ପରାମର୍ଶ ଦେଉଛନ୍ତି କିମ୍ବା ଆଦର୍ଶ କାର୍ଯ୍ୟ କରିଥିବା କେହି ଜଣେ ବ୍ୟକ୍ତିଙ୍କୁ ପ୍ରଶଂସା କରୁଛନ୍ତି। ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କ ପରିବାରବର୍ଗଙ୍କ ସହିତ ମତବିନିମୟ କରିଥିଲେ ଯେଉଁମାନେ ସାହସିକତା ପୂର୍ବକ ସେମାନଙ୍କ ପ୍ରିୟଜନଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଙ୍ଗଦାନ ଭଳି ଉଚ୍ଚ ବିଚାରକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଏହି ମତବିନିମୟ କାର୍ଯ୍ୟକ୍ରମକୁ ବ୍ୟବହାର କରିଥିଲେ।
ଜଳବାୟୁ ଜନିତ ଚରମ ପରିସ୍ଥିତିର ମୁକାବିଲା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପର୍ଯ୍ୟନ୍ତ, ପୁଣି ଅସାଧାରଣ ହୃଦୟ ଥିବା ସାଧାରଣ ଲୋକଙ୍କୁ ସେମାନଙ୍କ ଭଲ କାମ ପାଇଁ ପ୍ରଶଂସା କରିବା ପର୍ଯ୍ୟନ୍ତ ଏମିତି ସଂଖ୍ୟାଧିକ ଉଦାହରଣ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କୀ ବାତ୍‌’ରେ ବାସ୍ତବ ଜୀବନର କାହାଣୀ ଓ ଅନୁଭୂତି ଶୁଣିବାକୁ ମିଳିଥାଏ। ଏସବୁ ହେଉଛି ଆଭିଜାତ୍ୟପୂର୍ଣ୍ଣ ଦିଲ୍ଲୀର ସଙ୍କୀର୍ଣ୍ଣ ସୀମା ଠାରୁ ବାହାରେ ଥିବା ପ୍ରକୃତ ଭାରତର କାହାଣୀ। କେବଳ ଏହି କାରଣରୁ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ବ୍ୟାପକ ଲୋକପ୍ରିୟତା ଅର୍ଜନ କରିଛି ଏବଂ ଲକ୍ଷ ଲକ୍ଷ ଲୋକ ଏହାକୁ ପ୍ରଶଂସା କରୁଛନ୍ତି। ଏହା ଜନସାଧାରଣଙ୍କ ସହ ଜଡ଼ିତ ଏବଂ ଏଥିରେ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଏ।

‘ମନ କୀ ବାତ୍‌’ର ପ୍ରଥମ ଅଧ୍ୟାୟ ୩ ଅକ୍ଟୋବର ୨୦୧୪ରେ ପ୍ରସାରଣ କରାଯାଇଥିଲା। ୩୦ ଏପ୍ରିଲ ୨୦୨୩ରେ ଏହି କାର୍ଯ୍ୟକ୍ରମର ୧୦୦ତମ ଅଧ୍ୟାୟ ପ୍ରସାରିତ ହେବ। ବିଷୟବସ୍ତୁ, ଡିଜାଇନ ଏବଂ ସାମୂହିକ ଭାବରେ ଜନସାଧାରଣ ଓ ସମାଜ ସହିତ ମତବିନିମୟ କରିବାର ପଦ୍ଧତି ଦୃଷ୍ଟିରୁ ‘ମନ କୀ ବାତ୍‌’ ଏକ ଅଭିନବ କାର୍ଯ୍ୟକ୍ରମ। ୨୬୨ଟି ବେତାର କେନ୍ଦ୍ର ଏବଂ ୩୭୫ରୁ ଅଧିକ ଘରୋଇ ଓ ଗୋଷ୍ଠୀ ବେତାର କେନ୍ଦ୍ର ସହିତ ବିଶ୍ୱର ସବୁଠୁ ବଡ଼ ରେଡିଓ ନେଟ୍‌ୱର୍କ ‘ଆକାଶବାଣୀ’ ଜରିଆରେ, ଭାରତର ପ୍ରଧାନମନ୍ତ୍ରୀ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଦୃଷ୍ଟିରୁ ବିବିଧ ଜନସଂଖ୍ୟାର ଏକ ବଡ଼ ଭାଗ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପ୍ରସଙ୍ଗରେ ପରାମର୍ଶ ଦେବା ସହିତ ଜଳବାୟୁ ପରିବର୍ତ୍ତନ, ବର୍ଜ୍ୟବସ୍ତୁ ପରିଚାଳନା, ଇନ୍ଧନ ସଙ୍କଟ ଭଳି ବିଭିନ୍ନ ଜାଗତିକ ସମସ୍ୟାର ସମାଧାନ କରିବା ଲାଗି ଅନୁପ୍ରାଣିତ ଓ ସକ୍ରିୟ କରିପାରିଛନ୍ତି।

ଭାରତର ଲୋକ ସେବା ପ୍ରସାରଣକାରୀ ‘ପ୍ରସାର ଭାରତୀ’ ୫୨ଟି ଭାଷା/ଉପଭାଷାରେ ‘ମନ କୀ ବାତ୍‌’ର ଅନୁବାଦ ଏବଂ ପ୍ରସାରଣ କରିଥାଏ, ଯେଉଁଥିରେ ୧୧ଟି ବିଦେଶୀ ଭାଷା ସାମିଲ ରହିଛି। ଫଳରେ ଏହି କାର୍ଯ୍ୟକ୍ରମ ଦେଶର ସବୁଠୁ ଉପାନ୍ତ ଅଞ୍ଚଳ ସମେତ ବିଦେଶରେ ରହୁଥିବା ଭାରତୀୟମାନଙ୍କ ନିକଟରେ ପହଞ୍ଚି ପାରୁଛି। ‘ମନ କୀ ବାତ୍‌’ ହେଉଛି ଭାରତର ପ୍ରଥମ ଭର୍ଚୁଆଲ ରେଡିଓ କାର୍ଯ୍ୟକ୍ରମ ଯାହାକୁ ସମାନ୍ତରାଳ ଭାବେ ଟିଭି ଚାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଛି। ଦୂରଦର୍ଶନ ନେଟ୍‌ୱର୍କର ୩୪ଟି ଚାନେଲ ଏବଂ ୧୦୦ରୁ ଅଧିକ ଘରୋଇ ସାଟେଲାଇଟ୍‌ ଟିଭି ଚାନେଲ ଏହି ଅଭିନବ କାର୍ଯ୍ୟକ୍ରମକୁ ସାରା ଦେଶରେ ପ୍ରସାରଣ କରୁଛନ୍ତି। ଫଳରେ ଏହି ପାରମ୍ପରିକ ସଞ୍ଚାର ମାଧ୍ୟମ ସମ୍ପର୍କରେ ଏକ ନୂଆ ରୁଚି ଓ ସଚେତନତା ସୃଷ୍ଟି ହୋଇପାରିଛି। ଫେବ୍ରୁଆରି ୨୦୨୨ ପରଠାରୁ ପ୍ରତ୍ୟେକ ମାସରେ ବିଶେଷଜ୍ଞ ଏବଂ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କ ଲେଖା ସହିତ ସୁନ୍ଦର ଭାବେ ପ୍ରସ୍ତୁତ ଏକ ପୁସ୍ତିକା ପ୍ରକାଶିତ ହେଉଛି, ଯାହାକି ଡିଜିଟାଲ ମାଧ୍ୟମରେ ୬୦ ନିୟୁତରୁ ଅଧିକ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଛି।

ଜନମାନସରେ ଏତେ ବଡ଼ ପ୍ରଭାବ ସହିତ ‘ମନ କୀ ବାତ୍‌’କୁ ସର୍ବତ୍ର ତଥା ଯଥୋଚିତ ଭାବେ ଏକ ସାମାଜିକ ବିପ୍ଳବ ବୋଲି କୁହାଯାଉଛି ଏବଂ ଜନଭାଗୀଦାରିରେ ଏହାର ସୁଦୃଢ଼ ଆଧାର ରହିଛି। ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ କାର୍ଯ୍ୟକାରିତାରେ ନାଗରିକମାନଙ୍କର ଭାଗୀଦାରି ଓ ସମ୍ପୃକ୍ତିର ବିଚାର ରହିଛି। କାର୍ଯ୍ୟକ୍ରମ ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏଥିରେ ସାମିଲ କରୁଥିବା ବିଷୟବସ୍ତୁ ଏବଂ କାର୍ଯ୍ୟାନୁଷ୍ଠାନର ଆହ୍ୱାନ ପର୍ଯ୍ୟନ୍ତ ସବୁଥିରେ ଜନସାଧାରଣଙ୍କ ଭାଗୀଦାରି ରହୁଛି। ପ୍ରଧାନମନ୍ତ୍ରୀ ଏହି ମାସିକ କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧ୍ୟାୟ ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ ରହିଥିବା ଅଦ୍ଭୁତ ପରିବର୍ତ୍ତନକାରୀ ଶକ୍ତି ବିଷୟରେ ସ୍ମରଣ କରାଇ ଦେଉଛନ୍ତି। ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ପ୍ରଶାସନରେ ଜନଭାଗୀଦାରିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ କୋଟି କୋଟି ଲୋକଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇପାରିଛନ୍ତି। ସେ ଏହି ପ୍ଲାଟଫର୍ମକୁ ଉପଯୋଗ କରି ଦେଶ ପାଇଁ ରହିଥିବା ନିଜର ଦୂରଦୃଷ୍ଟି ସମ୍ପର୍କରେ ଜଣାଇବା ସହିତ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ନାଗରିକମାନଙ୍କ ଯୋଗଦାନ ପାଇଁ ଆହ୍ୱାନ କରୁଛନ୍ତି।

‘ମନ କୀ ବାତ୍‌’ କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦେଶର ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକମାନଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବା। ପ୍ରତ୍ୟେକ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ପତ୍ର ମିଳୁଛି, ଏ ସମ୍ପର୍କରେ ସେ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥାନ୍ତି। କାର୍ଯ୍ୟକ୍ରମ ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ପ୍ରାୟତଃ ସାଧାରଣ ଲୋକଙ୍କ ସହିତ ଟେଲିଫୋନରେ ବାର୍ତ୍ତାଳାପ କରୁଛନ୍ତି। ନିର୍ବାଚିତ ନେତା ଏବଂ ଜନଗଣଙ୍କ ମଧ୍ୟରେ ଯୋଗାଯୋଗର ଏପରି ଏକ ମାଧ୍ୟମ ଉଲ୍ଲେଖନୀୟ ଭାବେ ଗଣତନ୍ତ୍ର ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରୁଛି।

ଆଠ ବର୍ଷ ଧରି ‘ମନ କୀ ବାତ୍‌’ର ୯୯ଟି ଅଧ୍ୟାୟ ସଫଳତାପୂର୍ବକ ପ୍ରସାରିତ ହୋଇଛି। ଏହି କାର୍ଯ୍ୟକ୍ରମ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେବଳ ଜନସଚେତନତା ସୃଷ୍ଟି କରିନାହିଁ ବରଂ ସମାଜ ଓ ରାଷ୍ଟ୍ର ହିତରେ ପଦକ୍ଷେପ ନେବା ଲାଗି ଜନଗଣଙ୍କୁ ଅନୁପ୍ରାଣିତ କରିଛି। କାର୍ଯ୍ୟକ୍ରମର ପ୍ରମୁଖ ବିଶେଷତ୍ୱ ମଧ୍ୟରୁ ଗୋଟିଏ ହେଉଛି ପରିବର୍ତ୍ତନ ଆଣୁଥିବା ଲୋକମାନଙ୍କର ପ୍ରେରଣାଦାୟୀ କାହାଣୀ ଏଥିରେ ବର୍ଣ୍ଣିତ ହେଉଛି। ଏମାନେ ନିରନ୍ତର ଓ ନିଃସ୍ୱାର୍ଥପର ଭାବରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

‘ମନ କୀ ବାତ୍‌’ ଆରମ୍ଭ ହେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଜନସମୁଦାୟଙ୍କୁ ସାମିଲ କରି ସାମାଜିକ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଥିବା ଜନଭାଗୀଦାରିର ଏକ ପ୍ରଭାବୀ ମାଧ୍ୟମ ଭାବେ ଉଭା ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଦେଉଥିବା ବାର୍ତ୍ତା କିଛି ଘଣ୍ଟା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ବହୁଚର୍ଚ୍ଚିତ ପ୍ରସଙ୍ଗ ପାଲଟି ଯାଉଛି ଏବଂ କିଛି ସପ୍ତାହ ମଧ୍ୟରେ ଏହା ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ ହେଉଛି। ସ୍ୱଚ୍ଛ ଭାରତ ଅଭିଯାନ, ବେଟୀ ବଚାଓ ବେଟୀ ପଢ଼ାଓ, କୋଭିଡ୍‌ ଟିକାକରଣ ଏବଂ ହର ଘର ତିରଙ୍ଗା ଆଦି ଏହାର କେତେକ ଗୌରବଶାଳୀ ଉଦାହରଣ। କିଛି ଦିନ ପୂର୍ବରୁ ‘ମନ କୀ ବାତ୍‌’ର ୮୮ତମ ଅଧ୍ୟାୟରେ, ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନାଗରିକମାନଙ୍କୁ ସେମାନଙ୍କ ଅଞ୍ଚଳରେ ଅମୃତ ସରୋବର ନିର୍ମାଣ ପାଇଁ ନିବେଦନ କରିଥିଲେ। କିଛି ମାସ ମଧ୍ୟରେ, ଏହି ବାର୍ତ୍ତା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ସ୍ଥାନୀୟ ପ୍ରଶାସନିକ ସଂସ୍ଥା ସହାୟତାରେ ଜନସାଧାରଣଙ୍କ ଦ୍ୱାରା ସଂଖ୍ୟାଧିକ ଅମୃତ ସରୋବର ନିର୍ମାଣ କରାଯାଇଥିଲା। ଏହାପରେ ‘ମନ କୀ ବାତ୍‌’ର ୯୨ତମ ଅଧ୍ୟାୟରେ, ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଲଳିତପୁର ସ୍ଥିତ ଭଗତ ସିଂହ ଅମୃତ ସରୋବର ଏବଂ କର୍ଣ୍ଣାଟକର ବିଲକେରୁର ଅମୃତ ସରୋବର ଭଳି କିଛି ଅମୃତ ସରୋବର ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କର ସକ୍ରିୟ ପ୍ରୟାସକୁ ପ୍ରଶଂସା କରିଥିଲେ।

‘ସଶକ୍ତ ଭାରତ’ ନିର୍ମାଣ ସଂକଳ୍ପକୁ ଆଗକୁ ନେବା ସହିତ, ‘ମନ କୀ ବାତ୍‌’ ଦେଶର ଜାତୀୟ ଓ ଅନ୍ତର୍ଜାତୀୟ ସଫଳତାଗୁଡ଼ିକୁ ଲୋକଲୋଚନକୁ ଆଣିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହା ନାଗରିକମାନଙ୍କ ମଧ୍ୟରେ ଗୌରବ, ଆପଣାପଣ ଏବଂ ରାଷ୍ଟ୍ରବାଦର ଭାବନା ସୃଷ୍ଟି କରି ଦେଶର ବିକାଶରେ ସହଭାଗୀ ହେବା ଲାଗି ଦେଶବାସୀଙ୍କୁ ଅନୁପ୍ରାଣିତ କରୁଛି। ୮୯ତମ ଅଧ୍ୟାୟରେ, ପ୍ରଧାନମନ୍ତ୍ରୀ ଦେଶରେ ୟୁନିକର୍ଣ୍ଣଗୁଡ଼ିକର ସଂଖ୍ୟା ୧୦୦ ଛୁଇଁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ୯୧ତମ ଅଧ୍ୟାୟରେ ହର ଘର ତିରଙ୍ଗା ଅଭିଯାନରେ ଜନ ଭାଗୀଦାରି ଏବଂ ଏହାର ରାଷ୍ଟ୍ରବ୍ୟାପୀ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ କହିବା ପରେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠିଥିଲା। ଏମିତି ଅନେକ ଉଦାହରଣ ରହିଛି ଯାହା ପ୍ରମାଣିତ କରିଥାଏ ଯେ ‘ମନ କୀ ବାତ୍‌’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତର ସାମଗ୍ରିକ ବିକାଶର ଏକ ପ୍ରତିଫଳନ ଏବଂ ଜନଭାଗୀଦାରିର ଏକ ଅଭିବ୍ୟକ୍ତି।

‘ମନ କୀ ବାତ୍‌’ ସହିତ ପ୍ରଧାନମନ୍ତ୍ରୀ ସଫଳତାପୂର୍ବକ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ଯାହା ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ନୀତିକୁ ପ୍ରତ୍ୟେକ ସ୍ତରର ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଛି ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରୁଛି। କେବଳ ସେତିକି ନୁହେଁ, ଏସବୁ ଯୋଜନା କିଭଳି ତୃଣମୂଳ ସ୍ତରରେ ଲୋକମାନଙ୍କୁ ଲାଭାନ୍ୱିତ କରିପାରୁଛି ତାହାର କାହାଣୀ ମଧ୍ୟ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ କହୁଛନ୍ତି ଯାହାକି ଅଧିକରୁ ଅଧିକ ଲୋକଙ୍କୁ ହିତାଧିକାରୀ ହେବା ଲାଗି ଅନୁପ୍ରାଣିତ କରୁଛି।
ସଂକଟ ସମୟରେ ଲୋକମାନଙ୍କୁ ସୂଚନା ଦେବା କ୍ଷେତ୍ରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଦାହରଣ ସ୍ୱରୂପ କୋଭିଡ୍‌ ମହାମାରୀ ସମୟରେ ଏହା ଜନସାଧାରଣଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ଟିକା ନେବା ପାଇଁ ଅନୁପ୍ରାଣିତ କରିଥିଲା। ଭାରତର କୋଭିଡ୍‌ ଟିକାକରଣ ସଫଳ ହେବାର ଶ୍ରେୟ ଅନେକାଂଶରେ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମକୁ ଦେବା ଉଚିତ୍‌ ହେବ। ‘ମନ କୀ ବାତ୍‌’ର ପ୍ରାସଙ୍ଗିକତା ଏବଂ ଆମ ଜୀବନରେ ଏହାର ମହତ୍ତ୍ବ ନିମନ୍ତେ ଏହା ହିଁ ହେବ ଉପଯୁକ୍ତ ସମ୍ମାନ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ, ଭାରତ ସରକାର

ସମ୍ବନ୍ଧିତ ଖବର