ନୁହ ହିଂସାର ପାଞ୍ଚଟି ଅର୍ଦ୍ଧସତ୍ୟ

ଯୋଗେନ୍ଦ୍ର ଯାଦବ

‘ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁ ଶ୍ରଦ୍ଧାଳୁମାନଙ୍କ ଉପରେ ମୁସଲିମ୍‌ ଦଙ୍ଗାକାରୀଙ୍କ ଦ୍ବାରା ସୁନିୟୋଜିତ ଆକ୍ରମଣ… ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ବେଳେ ପୁଲିସ ଅସହାୟ’। ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ନୁହ ବାବଦରେ ଏଭଳି ଖବର ଦେଖି ମୋ’ ଚିନ୍ତା ବଢ଼ିଯାଇଥିଲା। ବିଗତ ୨୨ ବର୍ଷ ହେଲା ହରିୟାଣାର ମେଵାତ ଇଲାକା ସହିତ ମୋର ଯୋଗାଯୋଗ ରହି ଆସିଛି। ତହିଁ ପରଦିନ ଅଗଷ୍ଟ ୧ରେ ମୁଁ ଦେଶର ସବୁଠୁ ପଛୁଆ ଜିଲ୍ଲା ନୁହର ମୁଖ୍ୟାଳୟରେ ପହଞ୍ଚିଲି। ସେଠାରେ କଲେକ୍ଟର ଓ ଏସ୍‌ପିଙ୍କ ସହ ସାକ୍ଷାତ ହେଲା। ଆମେ ଘଟଣାସ୍ଥଳକୁ ଯାଇ ହିଂସାର ଶିକାର ହୋଇଥିବା କିଛି ଲୋକଙ୍କୁ ଭେଟିଲୁ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ କଥା ହେଲୁ। ସେଇ ଘଟଣା ସମ୍ପର୍କରେ ଆସିଥିବା ଅନେକ ଭିଡିଓ ଏବଂ ପ୍ରମାଣ ମୁଁ ଦେଖିଆସିଛି, ଗଣମାଧ୍ୟମ ଓ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ଦ୍ବାରା ପ୍ରସାରିତ ପ୍ରୋପାଗଣ୍ଡାକୁ ବି ଦେଖୁଛି। ମୋଟ ଉପରେ, ଦେଶ ଆଗରେ ଅର୍ଦ୍ଧସତ୍ୟରେ ପରିପୂର୍ଣ୍ଣ ଏକ ବିଭ୍ରାନ୍ତିକର ଚିତ୍ର ସୃଷ୍ଟି କରାଯାଉଛି ଯାହା ଜାତୀୟ ଏକତା ପ୍ରତି ବିପଜ୍ଜନକ। ସେଥିପାଇଁ ଉକ୍ତ ଘଟଣାର ଏବଂ ଏହି ପ୍ରସଙ୍ଗର ସଂପୂର୍ଣ୍ଣ ସତ୍ୟକୁ ଦେଶ ଆଗରେ ରଖିବା ଜରୁରୀ ହୋଇପଡ଼ିଛି।
ପ୍ରଥମ ଅର୍ଦ୍ଧସତ୍ୟ ହେଲା- ‘ତାହା ମୁସଲିମ୍‌ ଦଙ୍ଗାକାରୀଙ୍କ ଦ୍ବାରା ସୁନିୟୋଜିତ ଆକ୍ରମଣ ଥିଲା।’ ଏକଥା ସତ ଯେ ପଥରମାଡ଼ ଓ ହିଂସାର ଆରମ୍ଭ ମୁସଲିମ୍‌ ଭିଡ଼ ଦ୍ବାରା କରାଯାଇଥିଲା। ଏକଥା ମଧ୍ୟ ସତ ଯେ ଉକ୍ତ ମୁସଲିମ୍‌ ବହୁଳ ଇଲାକାରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କର ସୁରକ୍ଷାର ନୈତିକ ଦାୟିତ୍ବ ହେଉଛି ମୁସଲମାନ ସମାଜର। ମାତ୍ର ଅପରାଧୀଙ୍କ ଚିହ୍ନଟ କରିବା ଲାଗି ଉଦ୍ଦିଷ୍ଟ ଏହି ବିବୃତିରେ ଅନେକ ମିଛ ଲୁଚି ରହିଛି। ପ୍ରଥମେ, ଏହି ବିବୃତିରେ ଅଳ୍ପ କିଛି ମୁସଲମାନ ଗୁଣ୍ଡାଙ୍କ କୁକର୍ମକୁ ସମଗ୍ର ମୁସଲମାନ ସମାଜ ଉପରେ ଲଦି ଦିଆଯାଇଛି। ଯଦି ଏହାକୁ ଗ୍ରହଣ କରାଯାଏ, ତା’ହେଲେ ଗୁରୁଗ୍ରାମର ମସଜିଦ ଉପରେ ହୋଇଥିବା ଆକ୍ରମଣ ଓ ମୌଲବୀଙ୍କୁ ହତ୍ୟା ପାଇଁ ସମଗ୍ର ହିନ୍ଦୁ ସମାଜକୁ ଦାୟୀ କରାଯାଇପାରିବ କି? ଦ୍ବିତୀୟରେ, ଏହା ନିଃସନ୍ଦେହ ଯେ କୌଣସି ପ୍ରସ୍ତୁତି ବିନା ଏତେ ବଡ଼ ହିଂସା ସଂଘଟିତ ହୋଇପାରିବ ନାହିଁ, ମାତ୍ର ଏଥିରେ କୌଣସି ସଂଗଠନର ହାତ ଥିବାର କୌଣସି ପ୍ରମାଣ ନାହିଁ। ତୃତୀୟରେ, ଏଥିରେ ଆଉ ଏକ ସତକୁ ଲୁଚାଯାଇଛି ଯେ ସେଠାରେ କିଛି ମୁସଲମାନ ଆକ୍ରମଣ ଆରମ୍ଭ କରିଥିବା ବେଳେ ନୁହର ମାଜିଷ୍ଟ୍ରେଟ୍‌, ଭାଦସ ଗାଁର ଗୁରୁକୁଳ ଏବଂ ବଡ଼କଲୀ ଛକର ହିନ୍ଦୁ ଦୋକାନୀମାନଙ୍କୁ ଆକ୍ରମଣ ବେଳେ ଉଦ୍ଧାର କରିଥିବା ଲୋକମାନେ ମଧ୍ୟ ମୁସଲମାନ ଥିଲେ।

ଅଶାନ୍ତିର ସଂପୂର୍ଣ୍ଣ ଆଶଙ୍କା ସତ୍ତ୍ବେ ରାଜ୍ୟ ସରକାରଙ୍କ ଇସାରା ବିନା ଦଙ୍ଗା ଘଟାଇବା ସମ୍ଭବ ନଥିଲା। ହରିୟାଣାରେ ଚତୁର୍ଥ ଥର (ହିସାର, ପଞ୍ଚକୁଲା, ଇଜ୍ଜର ଓ ନୁହ) ଏପରି ହିଂସା ହେଲା ବେଳେ ପୁଲିସ ଅନ୍ତର୍ଦ୍ଧାନ ହୋଇଯାଇଛି। ଏହି ହିଂସା ପରେ ରାଜ୍ୟର ଅନ୍ୟ ଇଲାକାରେ ବସବାସ କରୁଥିବା ମୁସଲମାନମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି, ଯେଉଁଥି ପାଇଁ ହଜାର ହଜାର ଗରିବ ମୁସଲମାନଙ୍କୁ ରାତାରାତି ଘରଦ୍ବାର ଛାଡ଼ି ପଳାୟନ କରିବାକୁ ପଡ଼ିଛି।

ଅର୍ଦ୍ଧସତ୍ୟ ୨: ‘ଏକ ଧାର୍ମିକ ଶୋଭାଯାତ୍ରାରେ ସାମିଲ ଥିବା ହିନ୍ଦୁ ଶ୍ରଦ୍ଧାଳୁମାନେ ଏହି ହିଂସାର ଶିକାର ହୋଇଥିଲେ’। ଏହି ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଥିବା ଏହି ବିବୃତିରେ ମଧ୍ୟ ଏକ ଅର୍ଦ୍ଧସତ୍ୟ ରହିଛି। ଏହା ସତ ଯେ, ନଲହଡ଼ର ଶିବମନ୍ଦିର ପରମ୍ପରା ଅନୁସାରେ ଉକ୍ତ ଶୋଭାଯାତ୍ରାରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସୁତରାଂ କେହି ଦଙ୍ଗା ସୃଷ୍ଟି କରିବାକୁ ଆସିନଥିଲେ। ଏକଥା ମଧ୍ୟ ସତ ଯେ, ପ୍ରାରମ୍ଭିକ ହିଂସାର ଶିକାର ହୋଇଥିବା ଅଧିକାଂଶ ଲୋକ ହିନ୍ଦୁ ଥିଲେ। ମାତ୍ର ପ୍ରକୃତ କଥା ହେଉଛି, ଉକ୍ତ ଜଳାଭିଷେକ ଶୋଭାଯାତ୍ରାରେ ସାଧାରଣ ଶ୍ରଦ୍ଧାଳୁଙ୍କ ସାଙ୍ଗରେ ବହୁସଂଖ୍ୟାରେ ଅସ୍ତ୍ରଶସ୍ତ୍ରଧାରୀ ଦଙ୍ଗାକାରୀ ବି ସାମିଲ ଥିଲେ। ସେମାନେ କୌଣସି ଧାର୍ମିକ ଉଦ୍ଦେଶ୍ୟରେ ନୁହେଁ, ବରଂ ଦଙ୍ଗା ପାଇଁ ଉତ୍ତେଜନା ସୃଷ୍ଟି କରିବାର ଉଦ୍ଦେଶ୍ୟ ଓ ଦଙ୍ଗା ଭିଆଇବାର ପ୍ରସ୍ତୁତି ସହ ଆସିଥିଲେ। ଶ୍ରଦ୍ଧାଳୁଙ୍କ ସହ ହିଂସା ଓ ପ୍ରତିହିଂସାର କୌଣସି ସମ୍ବନ୍ଧ ନଥିଲା। ଉକ୍ତ ଯାତ୍ରାରେ ସାମିଲ ହୋଇଥିବା ମହିଳାଙ୍କ ସହ କୌଣସି ପ୍ରକାର ଯୌନଶୋଷଣ କି ଅସଦାଚରଣର ଘଟଣା ଘଟିନାହିଁ ବୋଲି ଏଡିଜିପି ମମତା ସିଂହ କହିଛନ୍ତି। ହିଂସାରୁ ବର୍ତ୍ତିବା ଲାଗି ମନ୍ଦିରରେ ଜମା ହୋଇଥିବା ତୀର୍ଥଯାତ୍ରୀମାନଙ୍କୁ ଚାରିଆଡୁ ଘେରିଯାଇ ଯୋଜନାବଦ୍ଧ ଆକ୍ରମଣ କରାଯାଇଥିବା କଥା ମଧ୍ୟ ସତ ନୁହେଁ। ମନ୍ଦିରର ପୂଜାରୀ ନିଜେ ଏହାକୁ ଅସ୍ବୀକାର କରିଛନ୍ତି।
ଅର୍ଦ୍ଧସତ୍ୟ ୩: ‘ଦୁଇ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା’। ଏହା ସତ ଯେ ଏହି ଲଢ଼େଇର ଗୋଟିଏ ପଟେ ହିନ୍ଦୁ ଓ ଅନ୍ୟପଟେ ମୁସଲମାନ ରହିଥିଲେ, କିନ୍ତୁ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ନଥିଲା। ଗୋଟିଏ ପାର୍ଶ୍ବରେ ମୁସଲମାନ ଦଙ୍ଗାକାରୀ ଥିଲେ, ଅନ୍ୟ ପଟରେ ହିନ୍ଦୁ ଦଙ୍ଗାକାରୀ ଥିଲେ। ୩୧ ତାରିଖରୁ ଆଜି ଯାଏ ମେଵାତର କେଉଁଠି ବି ପୂର୍ବୋତ୍ତର ଦିଲ୍ଲୀ ପରି ସ୍ଥାନୀୟ ହିନ୍ଦୁ ଓ ମୁସଲମାନ ସମୁଦାୟ ମଧ୍ୟରେ ହିଂସା କିମ୍ବା ସଂଘର୍ଷର କୌଣସି ଘଟଣା ହୋଇନାହିଁ।
ଅର୍ଦ୍ଧସତ୍ୟ ୪: ‘ହଠାତ୍‌ ସୃଷ୍ଟି ହୋଇଥିବା ଏହି ଦଙ୍ଗା ଆଗରେ ପୁଲିସ ଓ ପ୍ରଶାସନ ଅସହାୟ ହୋଇପଡ଼ିଥିଲେ’। ଏକଥା ସତ ଯେ, ଜୁଲାଇ ୩୧ରେ ଘଟିଥିବା ଏହି ହିଂସାରେ ହଠାତ୍‌ କିଛି ଘଟିନଥିଲା। ଦୁଇ ବର୍ଷ ତଳେ ଏପରି ଜଳାଭିଷେକ ଶୋଭାଯାତ୍ରାରେ ସମାଧି ଭଙ୍ଗାଯିବାର ଘଟଣା ଘଟିଥିଲା। ୨୫-୨୬ ଜୁଲାଇ ସୁଦ୍ଧା ମୋନୁ ମାନେସର ଓ ବିଟ୍ଟୁ ବଜରଙ୍ଗୀଙ୍କ ଉତ୍ତେଜନାମୂଳକ ଭିଡିଓ ପ୍ରସାରଣ କରାଯାଉଥିବାର ଗୁପ୍ତଚର ରିପୋର୍ଟ ଆସିଥିଲା। ଜୁଲାଇ ୨୭ରେ ସ୍ଥାନୀୟ ଶାନ୍ତି କମିଟିର ବୈଠକରେ ଏହି ଭିଡିଓଗୁଡ଼ିକ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ଦେଖାଇ ଦିଆଯାଇଥିଲା। ତଥାପି ଏହି ଶୋଭାଯାତ୍ରାରେ ସାମିଲ ହେବାକୁ ଦେଢ଼ ଶହରୁ ଅଧିକ ଗାଡ଼ିକୁ ଅନୁମତି ଦିଆଗଲା, ଶୋଭାଯାତ୍ରା ଭିତରେ ଦଙ୍ଗା ଆହ୍ବାନକୁ ଅଟକା ନ ଗଲା ଏବଂ ସେମାନଙ୍କୁ ଠେଙ୍ଗା, ଖଣ୍ଡା ଓ ବନ୍ଧୁକ ଧରି ଯିବାକୁ ଦିଆଗଲା। ତେଣୁ ଏହା ସ୍ପଷ୍ଟ ଯେ ତାହା ପୁଲିସ ଓ ପ୍ରଶାସନର ଅବହେଳା ଥିଲା ଅଥବା ଜାଣିଶୁଣି ସେପରି କରିବାକୁ ଦିଆଯାଇଥିଲା।
ଅର୍ଦ୍ଧସତ୍ୟ ୫: ‘ସ୍ଥାନୀୟ ସ୍ତରରେ ଯାହା ବି ଭୁଲ୍‌ ହୋଇଛି, ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେଠାରେ ଏବେ ଶାନ୍ତି ସ୍ଥାପନ କରିପାରିଛନ୍ତି’। ଉପରୁ ଦେଖିଲେ ସେପରି ମନେ ହୋଉଛି କିନ୍ତୁ ସତ କଥା ହେଲା ଏହି ଅଶାନ୍ତିର ମୂଳରେ ରାଜ୍ୟର ବିଜେପି ସରକାର ଥିଲେ ଏବଂ ବର୍ତ୍ତମାନ ସେଠାରେ ଶାନ୍ତି ବଦଳରେ ଦୀର୍ଘକାଳୀନ ଅଶାନ୍ତିର ମଞ୍ଜି ବୁଣାଯାଉଛି। ଏ ସନ୍ଦେହ ସ୍ବାଭାବିକ ଯେ କିଷାନ ଆନ୍ଦୋଳନରେ ଝଟକା ଖାଇଥିବା ହରିୟାଣାର ବିଜେପି, ନୁହର ନିଆଁଝୁଲକୁ ନିଜର ନିର୍ବାଚନୀ ଚୁଲି ଜଳାଇବା ପାଇଁ ବ୍ୟବହାର କରିଛି। ଅଶାନ୍ତିର ସଂପୂର୍ଣ୍ଣ ଆଶଙ୍କା ସତ୍ତ୍ବେ ରାଜ୍ୟ ସରକାରଙ୍କ ଇସାରା ବିନା ଦଙ୍ଗା ଘଟାଇବା ସମ୍ଭବ ନଥିଲା। ହରିୟାଣାରେ ଚତୁର୍ଥ ଥର (ହିସାର, ପଞ୍ଚକୁଲା, ଇଜ୍ଜର ଓ ନୁହ) ଏପରି ହିଂସା ହେଲା ବେଳେ ପୁଲିସ ଅନ୍ତର୍ଦ୍ଧାନ ହୋଇଯାଇଛି। ଏହି ହିଂସା ପରେ ରାଜ୍ୟର ଅନ୍ୟ ଇଲାକାରେ ବସବାସ କରୁଥିବା ମୁସଲମାନମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି, ଯେଉଁଥି ପାଇଁ ହଜାର ହଜାର ଗରିବ ମୁସଲମାନଙ୍କୁ ରାତାରାତି ଘରଦ୍ବାର ଛାଡ଼ି ପଳାୟନ କରିବାକୁ ପଡ଼ିଛି। ହିଂସା ସହ ଜଡ଼ିତ ଥିବା ଅପରାଧୀମାନଙ୍କୁ ଚିହ୍ନଟ କରିବା ପରିବର୍ତ୍ତେ ବେଆଇନ ଭାବେ ଆଖିବୁଜା ଗିରଫ କରାଯାଇଥିଲା। ତା’ପରେ ଆଇନକୁ ଜଳାଞ୍ଜଳି ଦେଇ ନୁହରେ ବୁଲଡୋଜର ଶାସନ ଚାଲିଲା ଏବଂ ଅତିକ୍ରମଣର ଆଳ ଦେଖାଇ ୨୦୦ରୁ ୩୦୦ ସଂଖ୍ୟକ ବାସଗୃହ ଓ ଦୋକାନ ଭାଙ୍ଗି ଦିଆଗଲା। ଅବଶ୍ୟ ଶେଷରେ ହାଇକୋର୍ଟ ତାହାକୁ ରୋକିଲେ। ଏ ସବୁ ପଦକ୍ଷେପ ଶାନ୍ତି ସ୍ଥାପନା ବଦଳରେ ଗୋଟିଏ ପକ୍ଷର ଅନ୍ୟ ପକ୍ଷ ପ୍ରତି ପ୍ରତିଶୋଧାତ୍ମକ କାର୍ଯ୍ୟ ଭଳି ଦେଖାଯାଉଛି। ଇତିହାସ ସାକ୍ଷୀ ଯେ, ଏପରି ନିଆଁରେ କେବଳ ଗୋଟିଏ ପକ୍ଷ ଜଳିନଥାଏ। ଅନ୍ୟାୟ ଓ ଦମନ ଦ୍ବାରା କେବେ ଶାନ୍ତି ସ୍ଥାପନ କରାଯାଇପାରିବ ନାହିଁ। ଏହା ଦ୍ବାରା ଦୀର୍ଘ କାଳ ଧରି ଅସନ୍ତୋଷ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ସୃଷ୍ଟି ହୋଇଥାଏ।

ସମ୍ବନ୍ଧିତ ଖବର