ଗର୍ବ, ଈର୍ଷା

ତେଣେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ଫେଡେରାଲ୍‌ ରିଜର୍ଭ‌ର ଚେଆର୍‌ମ୍ୟାନ୍‌ ଜେରମ୍‌ ପାୱେଲ୍‌ ନିକଟରେ ସେ ଦେଶରେ ମୁଦ୍ରାସ୍ଫୀତିକୁ ଗ୍ରହଣୀୟ ସ୍ତରକୁ ଖସାଇବା ପାଇଁ ସୁଧ ହାରରେ ବୃଦ୍ଧି ଘଟାଇବା ନିମିତ୍ତ ସେ ବଦ୍ଧପରିକର ବୋଲି ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନ୍ୟ ବିକାଶଶୀଳ ଦେଶମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କୁ ସେମାନଙ୍କର ସୁଧ ହାର ହ୍ରାସ କରିବାରୁ ନିବୃତ୍ତ କରିବ। ଏହାର ଅର୍ଥ ଦେଶରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ସୁଧ ହାରରେ ଆବଶ୍ୟକ ହ୍ରାସ ଘଟାଇ ପାରିବ ନାହିଁ। ଏଣୁ ବର୍ତ୍ତମାନ ପାଇଁ ଭାରତର ଅଭିବୃଦ୍ଧି ହାର ଜି-୨୦ ନେତାମାନଙ୍କ ସମ୍ମୁଖରେ ଆମର ସମ୍ମାନ ରକ୍ଷା କରିଥିଲେ ମଧ୍ୟ, ଭବିଷ୍ୟତରେ ଯଦି ଏଥିରେ ଶିଥିଳତା ଦେଖାଦିଏ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

‘‘ଯଦି ଏପରି ଏକ ଦୁନିଆ ଥାନ୍ତା, ଯେଉଁଠି ସମସ୍ତ ଲୋକ ହୋଇଥାନ୍ତେ ଦାର୍ଶନିକ, ତା’ହେଲେ ସେମାନଙ୍କ ଦ୍ବାରା ଦୈନିକ ମାତ୍ର ଘଣ୍ଟାଏ କି ଦୁଇ ଘଣ୍ଟାର ଶାରୀରିକ ଶ୍ରମ ଦ୍ବାରା ଯେତିକି ଉତ୍ପାଦନ ସମ୍ଭବ ହୁଅନ୍ତା, ତାହା ସମସ୍ତଙ୍କର ପାର୍ଥିବ ଆବଶ୍ୟକତା ପୂରଣ ନିମିତ୍ତ ଯଥେଷ୍ଟ ହୁଅନ୍ତା।’’ ବିଂଶ ଶତାବ୍ଦୀର ପ୍ରଖ୍ୟାତ ସ୍ପେନୀୟ-ଆମେରିକୀୟ ଦାର୍ଶନିକ ଜର୍ଜ ସାଣ୍ଟାୟାନାଙ୍କର ଏହି ପ୍ରସିଦ୍ଧ ଉକ୍ତି ପଛରେ ନିହିତ ଥିବା କାରଣ ବୁଝିବା କଷ୍ଟ ନୁହେ‌ଁ: ଦାର୍ଶନିକମାନଙ୍କର ପାର୍ଥିବ ଆବଶ୍ୟକତା ହେଉଛି ଅତ୍ୟନ୍ତ ସୀମିତ। ଏପରି ଏକ ଦୁନିଆ ବା ଦେଶ ସମ୍ବନ୍ଧରେ ଆମେ ଦମ୍ଭ ସହକାରେ ଗୋଟିଏ ଭବିଷ୍ୟବାଣୀ କରିପାରନ୍ତେ: ସେଠାରେ ‘ମୋଟ ବାର୍ଷିକ ଜାତୀୟ ଉତ୍ପାଦ’ ବା ଆମର ଅତି ପ୍ରିୟ ‘ଜିଡିପି’ ନାମକ ଅର୍ଥନୈତିକ ଧାରଣା କେବେହେ‌େଲ ଜନ୍ମ ନିଅନ୍ତା ନାହିଁ।
‘ଜିଡିପି’ ହେଉଛି ବସ୍ତୁବାଦୀ ଦୁନିଆର ଆରାଧ୍ୟ ଈଶ୍ବର, ‌େଯଉଁ ଦୁନିଆରେ ଦାର୍ଶନିକମାନେ ବିରଳ ବାତୁଳ ବ୍ୟତିକ୍ରମ ରୂପେ ବିବେଚିତ ହୋଇଥାନ୍ତି। ଏହି ଦୁନିଆର ଅଧିବାସୀମାନଙ୍କ ପାଇଁ ‘ଜିଡିପି’ରେ ବୃଦ୍ଧି ଅର୍ଥ ହେଉଛି ଦ୍ରବ୍ୟ ଓ ସେବା ଆଦିର ଉତ୍ପାଦନରେ ବୃଦ୍ଧି ଯାହାଦ୍ବାରା ଆୟ ଓ ଉପଭୋଗରେ ବୃଦ୍ଧି ଘଟିଥାଏ। ଏକ ଅଣ-ଦାର୍ଶନିକ, ବାସ୍ତବ ଦୁନିଆ ତେଣୁ ସର୍ବଦା ‘ଜିଡିପି’ରେ ବୃଦ୍ଧିକୁ ସ୍ବାଗତ କରିଥାଏ, ଏହି ବୃଦ୍ଧି ଯେତେ ଅଧିକ ଦ୍ରୁତ, ସେତେ ଅଧିକ ସ୍ବାଗତଯୋଗ୍ୟ। ‘ଜିଡିପି’ରେ ଏକ ଉଚ୍ଚ ଅଭିବୃଦ୍ଧି ହାର ସମ୍ପୃକ୍ତ ଦେଶ ପାଇଁ ମର୍ଯ୍ୟାଦାର ଚିହ୍ନ ହୋଇଥିବା ବେଳେ ଅନ୍ୟ ଦେଶମାନଙ୍କ ପାଇଁ ଈର୍ଷାର ବିଷୟ ହୋଇଥାଏ।
ଏହି ଦୃଷ୍ଟିରୁ ତେଣୁ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଦେଶମାନଙ୍କର ଶିଖର ସମ୍ମିଳନୀର ଅବ୍ୟବହିତ ‌ପୂର୍ବରୁ ‘ନେସନାଲ୍‌ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌’ (‘ଏନ୍‌ଏସ୍‌ଓ’) ଦ୍ବାରା ୨୦୨୩-୨୪ ବିତ୍ତ ବର୍ଷ‌ର ଏପ୍ରିଲ-ଜୁନ୍‌ ପ୍ରଥମ ଚଉଠ‌େର ଭାରତର ‘ଜିଡିପି’ର ଆଚରଣ ସମ୍ବନ୍ଧ‌େର ପ୍ରକାଶିତ ପରିସଂଖ୍ୟାନ ଭାରତ ପାଇଁ ଯେତିକି ଗର୍ବବୋଧ ସୃଷ୍ଟି କରୁଥିବ, ଅତିଥି ଦେଶମାନଙ୍କ ଠାରେ ସେତିକି ଈର୍ଷା ସୃଷ୍ଟି କରିବାର ସମ୍ଭାବନା ବହନ କରୁଛି। ସଂକ୍ଷେପରେ କହିଲେ, ଭାରତ ହାସଲ କରିଥିବା ‘ଜିଡିପି’ରେ ୭.୮ ଶତାଂଶ ବୃଦ୍ଧି ହାର (ଯାହା ଅନ୍ୟ ଭାଷାରେ ହେଉଛି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର) ହେଉଛି ଜି-୨୦ ଗୋଷ୍ଠୀର ୨୦ଟି ବିକଶିତ ଓ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ସର୍ବୋଚ୍ଚ। ସେତିକି ନୁହେଁ, ଏହି ସଦ୍ୟତମ ପରିସଂଖ୍ୟାନ ମଧ୍ୟ ପୁଣି ଥ‌େର ସାବ୍ୟସ୍ତ କରିଛି ଯେ କୋଭିଡ୍‌-୧୯ ପାଣ୍ଡେମିକ୍‌ ପରଠାରୁ ଭାରତ ପୃଥିବୀର ସର୍ବୋଚ୍ଚ ଅଭିବୃଦ୍ଧି ହାର ହାସଲକାରୀ ବୃହତ୍‌ ଅର୍ଥନୀତି ରୂପେ ନିଜର ସ୍ଥାନ ବଜାୟ ରଖି ଚାଲିଛି।
ଏହା ନିଶ୍ଚିତ ରୂପେ ଦେଶବାସୀ, ସରକାର ଓ ଭାରତୀୟ ଅର୍ଥନୀତିର ପରିଚାଳକମାନଙ୍କ ପାଇଁ ଗର୍ବର ବିଷୟ। କିନ୍ତୁ ଏକ ବିଡ଼ମ୍ବନା ଭଳି ଏହା ସେମାନଙ୍କ ପାଇଁ ଏକ ସନ୍ତୋଷର ବିଷୟ ନ ହୋଇଥାଇପାରେ। ଅସନ୍ତୋଷର ବିଭିନ୍ନ କାରଣମାନ ମଧ୍ୟରୁ ଗୋଟିଏ ହେଲା, ଏହି ଅଭିବୃଦ୍ଧି ହାର ଅପେକ୍ଷାକୃତ ଉଚ୍ଚ ହୋଇଥିଲେ ହେଁ, ଏହା ଆଶା କରାଯାଉଥିବା ଅଭିବୃଦ୍ଧି ହାର ଠାରୁ ସାମାନ୍ୟ କିମ୍ବା ବିଶେଷ କମ୍‌ ହୋଇଛି। ଯେମିତି, ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପୂର୍ବାନୁମାନ କରିଥିବା ଅଭିବୃଦ୍ଧି ହାର ୮.୦ ଶତାଂଶ ଠାରୁ ଏହା ସାମାନ୍ୟ କମ୍‌ ହୋଇଛି। ଅନ୍ୟ କେତେକ ଅର୍ଥନୈତିକ ବିଶେଷଜ୍ଞ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ବାର୍ଷିକ ୮.୦ ଶତାଂଶରୁ ମଧ୍ୟ ଅଧିକ ହେବ ବୋଲି ପୂର୍ବାନୁମାନ କରିଥି‌େଲ।
ଅର୍ଥନୀତିର ସାମଗ୍ରିକ ଉପଲବ୍‌ଧିରୁ ଦୃଷ୍ଟି ହଟାଇ ଯଦି ନିର୍ଦ୍ଦିଷ୍ଟ କ୍ଷେତ୍ରମାନଙ୍କର ଉପଲବ୍‌ଧି ଉପରେ ଦୃଷ୍ଟି ନିବଦ୍ଧ କରାଯାଏ, ତେବେ ସେଥିମଧ୍ୟରୁ କେତେକ ଚିତ୍ର ଉତ୍ସାହଜନକ ମନେ ହୋଇନଥାଏ। ଉଦାହରଣ ସ୍ବରୂପ ବିତ୍ତ ବର୍ଷ‌ର ପ୍ରଥମ ଚଉଠରେ କୃଷି କ୍ଷେତ୍ରରେ ହାସଲ ହୋଇଥିବା ୩.୫ ଶତାଂଶ ଅଭିବୃଦ୍ଧି ହାର ହେଉଛି ଏହାର ପୂର୍ବ ଚଉଠରେ ଅର୍ଥାତ୍‌ ପୂର୍ବ ବିତ୍ତ ବର୍ଷର ଚତୁର୍ଥ ଚଉଠରେ ପରିଦୃଷ୍ଟ ହୋଇଥିବା ୫.୫ ଶତାଂଶ ଅଭିବୃଦ୍ଧି ହାରଠାରୁ ପୂରା ୨ ଶତାଂଶ କମ୍‌। ତେବେ ସାନ୍ତ୍ବନାର କଥା ଯେ ପୂର୍ବ ବର୍ଷର ପ୍ରଥମ ଚଉଠ ତୁଳନାରେ ଏହା ଉଚ୍ଚତର ହୋଇଛି। କିନ୍ତୁ ଚିନ୍ତାଜନକ ଭାବରେ ‘ଏଲ୍‌ ନିନୋ’ର ପ୍ରଭାବରେ ମୌସୁମୀ ବର୍ଷାର ସ୍ଥାନଗତ ଓ କାଳଗତ ବଣ୍ଟନରେ ଦେଖା ଦେଉଥିବା ବିଭ୍ରାଟ ଯୋଗୁଁ ଆଗାମୀ ସମୟରେ ଦେଶରେ କୃଷି ଉତ୍ପାଦନ ଗୁରୁତର ଭାବରେ ବାଧାପ୍ରାପ୍ତ ହେବାର ଦୃଢ଼ ସମ୍ଭାବନା ରହିଛି।
ଶିଳ୍ପ ଉତ୍ପାଦନ ବା ମାନୁଫାକ୍‌ଚରିଙ୍ଗ୍‌ ହେଉଛି ଏକ ଆଧୁନିକ ଅର୍ଥନୀତିର ମେରୁଦଣ୍ଡ ସଦୃଶ। ପ୍ରଥମ ଚଉଠରେ ଏହି କ୍ଷେତ୍ରରେ ପ୍ରଦର୍ଶନ ହତାଶାଜନକ ହୋଇଛି ବୋଲି କୁହାଯାଇପାରେ। ଏଇ ଚଉଠରେ ଏଥିରେ ଅଭିବୃଦ୍ଧି ହାର ମାତ୍ର ୪.୭ ଶତାଂଶ ହୋଇଥିବା ବେଳେ ଗତ ବିତ୍ତ ବର୍ଷର ଏଇ ଚଉଠରେ ତାହା ହୋଇଥିଲା ଏହାର ଦୁଇ ଗୁଣରୁ ସାମାନ୍ୟ ଅଧିକ, ୯.୫ ଶତାଂଶ। ଅବଶ୍ୟ ଗତ ବର୍ଷର ଶେଷ ଚଉଠର ଅଭିବୃଦ୍ଧି ହାର ୪.୫ ଶତାଂଶ ଠାରୁ ଏହା ସାମାନ୍ୟ ଅଧିକ ହୋଇଛି। ନିର୍ମାଣ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଦର୍ଶନ ଏହା ଠାରୁ ଅଧିକ ଚିନ୍ତାଜନକ ‌‌ହୋଇଛି। ଗତ ବିତ୍ତ ବର୍ଷର ପ୍ରଥମ ଚଉଠରେ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ଏକ ବେଶ୍‌ ଉଚ୍ଚ ୧୬ ଶତାଂଶ ହୋଇଥିବା ବେଳେ ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ତାହା ହୋଇଛି ତା’ର ଅଧାରୁ ମଧ୍ୟ ସାମାନ୍ୟ କମ୍‌, ୭.୯ ଶତାଂଶ। ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏଇ ଚଉଠରେ ଅଭିବୃଦ୍ଧି ହାର ହୋଇଛି ଏକ ଅଙ୍କ ବିଶିଷ୍ଟ, ୯.୨ ଶତାଂଶ। ଗତ ବର୍ଷର ଏଇ ଚଉଠରେ ହାସଲ ହୋଇଥିବା ଏକ ସୁଉଚ୍ଚ ୨୫.୭ ଶତାଂଶ ଅଭିବୃଦ୍ଧି ହାର ତୁଳନାରେ ଏହା ବେଶ୍‌ କମ୍‌।
ମହାନ୍‌ ଅର୍ଥନୀତିଜ୍ଞ କେନ୍‌ସଙ୍କ ସମୟରୁ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ କରିବାରେ ସାମଗ୍ରିକ ଚାହିଦାର ଗୁରୁତ୍ବପୂର୍ଣ୍ଣ ଭୂମିକା ସାବ୍ୟସ୍ତ ହୋଇଆସିଛି। ଅଣ-ଦାର୍ଶନିକସୁଲଭ ଘରୋଇ ବ୍ୟକ୍ତିଗତ ଖାଉଟି ଖର୍ଚ୍ଚ ହେଉଛି ଏହି ସାମଗ୍ରିକ ଚାହିଦାର ଏକ ବିଶେଷ ଅଂଶ। ପ୍ରଥମ ଚଉଠରେ ଏହି ଖର୍ଚ୍ଚର ମୋଟ ପରିମାଣରେ ବୃଦ୍ଧି ଘଟିବା ଦେଖାଯାଇଛି, ଯାହା ଉତ୍ସାହଜନକ ମନେ ହୋଇଥାଏ। କିନ୍ତୁ ଯାହା ମଧ୍ୟ ନିରୁତ୍ସାହଜନକ, ତାହା ହେଲା ‘ଜିଡିପି’ର ଅନୁପାତ ଆକାରରେ ଏଥିରେ ଏକ-ଶତାଂଶ ହ୍ରାସ ଘଟିଛି: ଗତ ବର୍ଷର ପ୍ରଥମ ଚଉଠରେ ଏହା ୫୮.୩ ଶତାଂଶ ଥିବା ବେଳେ, ଚଳିତ ବର୍ଷର ପ୍ରଥମ ଚଉଠରେ ତାହା ହୋଇଛି ୫୭.୩ ଶତାଂଶ। ସେଇଭଳି ଆନୁପାତିକ ଭାବରେ ନିବେଶ ଖର୍ଚ୍ଚରେ ସ୍ଥାଣୁତା ଦେଖା ଦେଇ ନିବେଶ-‘ଜିଡିପି’ ଅନୁପାତ ୩୪.୭ ଶତାଂଶରେ ସ୍ଥିର ରହିବା ଦେଖାଯାଇଛି। ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ଯଦି କୃଷି ଉତ୍ପାଦନ ବାଧା ପାଏ, ସେଥିଯୋଗୁଁ ଗ୍ରାମାଞ୍ଚଳ ଆୟ ଓ ଚାହିଦାରେ ହ୍ରାସ ଘଟିପାରେ। ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ହ୍ରାସ ଯୋଗୁଁ ମୁଦ୍ରାସ୍ଫୀତି ଉଚ୍ଚା ରହିପାରେ, ଯେଉଁଥିପାଇଁ ପରିବାରମାନଙ୍କର ଇଚ୍ଛାମୂଳକ ଖର୍ଚ୍ଚ ସଂକୁଚିତ ହୋଇପାରେ।
ମୁଦ୍ରାସ୍ଫୀତି ଯଦି ଲାଗି ରହେ, ରିଜର୍ଭ ବ୍ୟାଙ୍କ୍‌ ତା’ର ବର୍ତ୍ତମାନର ବିରତି ଅବସ୍ଥାରୁ ଜାଗି ଉଠି ପୁଣି ସୁଧ ହାରରେ ବୃଦ୍ଧି ଘଟାଇବା ଆରମ୍ଭ କରିପାରେ, ଯାହା ଭବିଷ୍ୟତରେ ଅଭିବୃଦ୍ଧି‌ର କଣ୍ଠରୋଧ କରିବ। ତେଣେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ଫେଡେରାଲ୍‌ ରିଜର୍ଭ‌ର ଚେଆର୍‌ମ୍ୟାନ୍‌ ଜେରମ୍‌ ପାୱେଲ୍‌ ନିକଟରେ ସେ ଦେଶରେ ମୁଦ୍ରାସ୍ଫୀତିକୁ ଗ୍ରହଣୀୟ ସ୍ତରକୁ ଖସାଇବା ପାଇଁ ସୁଧ ହାରରେ ବୃଦ୍ଧି ଘଟାଇବା ନିମିତ୍ତ ସେ ବଦ୍ଧପରିକର ବୋଲି ଘୋଷଣା କରିଛନ୍ତି। ଏହା ଭାରତ ସମେତ ଅନ୍ୟ ବିକାଶଶୀଳ ଦେଶମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କୁ ସେମାନଙ୍କର ସୁଧ ହାର ହ୍ରାସ କରିବାରୁ ନିବୃତ୍ତ କରିବ। ଏହାର ଅର୍ଥ ଦେଶରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ସୁଧ ହାରରେ ଆବଶ୍ୟକ ହ୍ରାସ ଘଟାଇ ପାରିବ ନାହିଁ। ଏଣୁ ବର୍ତ୍ତମାନ ପାଇଁ ଭାରତର ଅଭିବୃଦ୍ଧି ହାର ଜି-୨୦ ନେତାମାନଙ୍କ ସମ୍ମୁଖରେ ଆମର ସମ୍ମାନ ରକ୍ଷା କରିଥିଲେ ମଧ୍ୟ, ଭବିଷ୍ୟତରେ ଯଦି ଏଥିରେ ଶିଥିଳତା ଦେଖାଦିଏ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ସମ୍ବନ୍ଧିତ ଖବର