ଏବେ ‘କ୍ରୋନାଲୋଜିକାଲ ଏଜ୍’ ବା ‘କାଳାନୁସାରୀ ବୟସ’ ଓ ‘ବାୟୋଲୋଜିକାଲ ଏଜ୍’ ବା ‘ଜୈବ ବୟସ’ ମଧ୍ୟରେ ବ୍ୟବଧାନ ଖୋଜିବାର ପ୍ରଚେଷ୍ଟା କରାଯାଉଛି। ଚିକିତ୍ସକଙ୍କ ମତରେ ବୟସରେ ବୃଦ୍ଧି ଘଟିବା ସହିତ ଶରୀରର ଅଙ୍ଗ-ପ୍ରତ୍ୟଙ୍ଗରେ ସୃଷ୍ଟ ‘ପ୍ରଦାହ’ (ଇନ୍ଫ୍ଲେମେସନ) ସେଗୁଡ଼ିକୁ ଦୁର୍ବଳ ଏବଂ କ୍ଷୟିଷ୍ଣୁ କରେ, ଯାହା ଜରାବସ୍ଥାର କାରଣ। ତେବେ, ବିଭିନ୍ନ କାରଣରୁ ବିଭିନ୍ନ ମନୁଷ୍ୟଙ୍କ ଶରୀରରେ ପ୍ରଦାହର ମାତ୍ରା ଭିନ୍ନ ଭିନ୍ନ ହେଉଥିବାରୁ କଳାନୁସାରୀ ଜଣେ ବ୍ୟକ୍ତି ସତୁରି ବର୍ଷ ବୟସରେ ପଦାର୍ପଣ କରି ସାରିଥିଲେ ମଧ୍ୟ ତାଙ୍କ ‘ଜୈବ ବୟସ’ ତିରିଶ ବର୍ଷ ହୋଇପାରେ, ଅର୍ଥାତ୍ ଶାରୀରିକ ସାମର୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ଇତ୍ୟାଦି ଦୃଷ୍ଟିରୁ ସେ ସଂପୂର୍ଣ୍ଣ ଯୁବସୁଲଭ ହୋଇପାରନ୍ତି।
ଗଲା ମଙ୍ଗଳବାର, ଯେଉଁ ଦିନ ଏହି ସ୍ତମ୍ଭରେ ‘ଶୁକ୍ଳ କ୍ଳେଶ’ ଶିରୋନାମା ବହନକାରୀଟି ପ୍ରକାଶିତ ହୋଇଥିଲା, ସେହି ଦିନ ଦକ୍ଷିଣ କୋରିଆ ସରକାରଙ୍କ ଆର୍ତ୍ତ ଅଭିବ୍ୟକ୍ତିଟିଏ ମଧ୍ୟ ଗଣମାଧ୍ୟମରେ ଦୃଷ୍ଟିଗୋଚର ହେଲା ଯେ ସେହି ଦେଶ କ୍ରମେ ଜାତୀୟ ବିଲୁପ୍ତି ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ଏହାର କାରଣ ଦକ୍ଷିଣ କୋରିଆର ‘ଟି.ଏଫ୍.ଆର୍’ (ଟୋଟାଲ ଫର୍ଟିଲିଟି ରେଟ୍) ବା ସରଳ ଭାଷାରେ ‘ଜନ୍ମ ହାର’ ଅସହନୀୟ ଭାବେ ନୀଚା .୭୨ରେ ପହଞ୍ଚିଛି; ଅର୍ଥାତ୍ ପ୍ରତି ଏକଶହ ସନ୍ତାନ ସମ୍ଭବା ମହିଳା ମାତ୍ର ୭୨ଟି ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ଆକଳନ ଅନୁସାରେ ଦକ୍ଷିଣ କୋରିଆର ବର୍ତ୍ତମାନର ଜନସଂଖ୍ୟା ପ୍ରାୟ ପାଞ୍ଚ କୋଟି ହ୍ରାସ ପାଇ ଏ ଶତାବ୍ଦୀର ଶେଷ ବେଳକୁ ମାତ୍ର ଅଢ଼େଇ କୋଟିରେ ପହଞ୍ଚିବ। ମନେ ରଖିବା ଉଚିତ ଯେ ଜନ୍ମ ଓ ମୃତ୍ୟୁ ଆଧାରରେ ଜନସଂଖ୍ୟାକୁ ଏକ ଧାରଣକ୍ଷମ ଭାରସାମ୍ୟ ପ୍ରଦାନ କରିବା ଲାଗି ‘ଜନ୍ମ ହାର’ ୨.୧ ରହିବା ଆବଶ୍ୟକ; ଅର୍ଥାତ୍ ଦଶ ଜଣ ମହିଳା ଅତି କମ୍ରେ ୨୧ଟି ସନ୍ତାନର ଜନନୀ ହେବା ଉଚିତ। ପ୍ରକାଶ ଥାଉ କି ବିଗତ କିଛି ବର୍ଷ ଧରି ଜାପାନ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି ଏବଂ କ୍ରମାଗତ ଭାବେ ଦ୍ବିତୀୟ ବର୍ଷ ସକାଶେ ଜନସଂଖ୍ୟାରେ ସଂକୋଚନ ଘଟୁଥିବା ଦେଖି ପୃଥିବୀର ଦ୍ବିତୀୟ ସର୍ବାଧିକ ଜନବହୁଳ ଦେଶ ଚୀନ ମଧ୍ୟ ଉଦ୍ବିଗ୍ନ। ଉଦ୍ବେଗର କାରଣ ହେଲା ଏଭଳି ସ୍ଥିତି ବଳବତ୍ତର ରହିଲେ ତାରୁଣ୍ୟରେ ପାଦ ଦେଉଥିବା ମନୁଷ୍ୟଙ୍କ ତୁଳନାରେ ବାର୍ଦ୍ଧକ୍ୟରେ ପ୍ରବେଶ କରୁଥିବା ମନୁଷ୍ୟଙ୍କ ସଂଖ୍ୟା ଅଧିକ ହେବ; ତଦ୍ଦ୍ବାରା ଶ୍ରମଶକ୍ତିରେ କ୍ଷୟ ଘଟି ରାଷ୍ଟ୍ରର ଉତ୍ପାଦନଶୀଳତା ନିମ୍ନଗାମୀ ହେବା ବେଳକୁ ଶୁକ୍ଳ କେଶାଙ୍କ ବହୁଳତା ରାଷ୍ଟ୍ର ଓ ସମାଜ ଉପରେ ବୟସ ଏବଂ ବ୍ୟାଧିର ବୋଝକୁ ବୃଦ୍ଧି କରି ଚାଲିବ। ଉଲ୍ଲେଖଯୋଗ୍ୟ ଯେ କେତେକ ଆଫ୍ରିକୀୟ ଏବଂ ଏସୀୟ ରାଷ୍ଟ୍ରଙ୍କୁ ବାଦ୍ ଦେଲେ ପୃଥିବୀର ଅନ୍ୟାନ୍ୟ ଅନେକ ରାଷ୍ଟ୍ର ସମତୁଲ ସ୍ଥିତି ଦେଇ ଗତି କରୁଛନ୍ତି; ଯେଉଁ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଯଦିଓ ଏହା ସତ ଯେ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାରତରେ ଅତି ନିକଟ ଭବିଷ୍ୟତ୍ରେ ଏଭଳି ‘ଜନସାଂଖ୍ୟିକ ସଙ୍କଟ’ ଆବିର୍ଭୂତ ହେବାର ସମ୍ଭାବନା ନାହିଁ ଏବଂ ସଂପ୍ରତି ଭାରତୀୟଙ୍କ ‘ମେରିଡିଏନ୍ ବା ‘ମଧ୍ୟାହ୍ନ’ ବୟସ ହେଉଛି ୨୮ ବର୍ଷ, ଯାହା ତାରୁଣ୍ୟରେ ବିଦ୍ୟମାନ, ତଥାପି, ‘ଟିଏଫ୍ଆର୍’ରେ କ୍ରମାଗତ ସ୍ଖଳନ ଘଟୁଥିବାରୁ ୨୦୭୦ ମସିହାେର ଭାରତର ଜନସଂଖ୍ୟା ଶିଖର ସ୍ପର୍ଶ କରିବା ପରେ ନିମ୍ନଗାମୀ ହେବାକୁ ଲାଗିବ ବୋଲି ଜାତିସଂଘ ଆକଳନ କରିଛି। ‘ଶୁକ୍ଳ କ୍ଳେଶ’ରେ ପ୍ରକାଶିତ ହୋଇଥିଲା କିଭଳି ଭାରତର ‘ନିତି ଆୟୋଗ’ର ସଦ୍ୟ ପ୍ରକାଶିତ ‘ଅବସ୍ଥା ପତ୍ର’ ବା ‘ପୋଜିସନ୍ ପେପର’ କହିଛି ଯେ ଭାରତର ଜନସଂଖ୍ୟାରେ ୬୦ ବର୍ଷ ବୟସ ଅତିକ୍ରମ କରିସାରିଥିବା ବରିଷ୍ଠ ନାଗରିକମାନଙ୍କର ଅନୁପାତ ବର୍ତ୍ତମାନ ୮.୬ ଶତାଂଶ, ଯାହା ୨୦୩୦ ସୁଦ୍ଧା ୧୩ ଶତାଂଶ ଓ ୨୦୫୦ ସୁଦ୍ଧା ୨୦ ଶତାଂଶକୁ ବୃଦ୍ଧି ପାଇବ; ସଂଖ୍ୟା ହିସାବରେ ଯାହା ହେବ ପ୍ରାୟ ୩୨ କୋଟି। ସୁତରାଂ, ଏହା ଅତ୍ୟନ୍ତ ଚିନ୍ତାଜନକ। ସେହି ଦୃଷ୍ଟିରୁ ପ୍ରଶ୍ନ ଉଠିଥାଏ ଯେ ଏଭଳି ସମସ୍ୟାର ସମାଧାନ କ’ଣ?
ଦକ୍ଷିଣ କୋରିଆ ବା ଜାପାନ ବା ଚୀନ ଭଳି ଦେଶଗୁଡ଼ିକ ସନ୍ତାନ ଜନ୍ମ ସଂଖ୍ୟାରେ ବୃଦ୍ଧି ଘଟାଇବା ସକାଶେ ଉଭୟ ପ୍ରଲୋଭନ ଏବଂ ପ୍ରୋତ୍ସାହନର ଆଶ୍ରୟ ନେଇଛନ୍ତି; ଯହିଁରେ ଅଧିକ ଦିନ ଲାଗି ସବେତନ ପ୍ରସବକାଳୀନ ଛୁଟି, ଆର୍ଥିକ ପ୍ରୋତ୍ସାହନ, ସବସିଡି, ପାରିତୋଷିକ ଇତ୍ୟାଦି ଅନ୍ତର୍ଭୁକ୍ତ। ଏଥିଲାଗି ସରକାରଗୁଡ଼ିକର ବ୍ୟାକୁଳତାର ପ୍ରମାଣ ମିଳେ ଏ ସଂକ୍ରାନ୍ତ ବ୍ୟୟର ବିପୁଳତାରୁ, ଯେମିତି କି ଦକ୍ଷିଣ କୋରିଆ ୨୦୦୬ ମସିହାରୁ ଏ ପର୍ଯ୍ୟନ୍ତ ଖର୍ଚ୍ଚ କରି ସାରିଲାଣି ୨୭୦ ବିଲିଅନ ଡଲାର। କିନ୍ତୁ ବିଡ଼ମ୍ବନା ହେଲା, ଏଭଳି ଉଦ୍ୟମ ପ୍ରାୟତଃ ବିଫଳ ହେବାରେ ଲାଗିଛି। କାରଣ ସେ ସବୁ ଦେଶରେ ସନ୍ତାନ ପ୍ରତିପାଳନ ଜନିତ ବିଶାଳ ବ୍ୟୟ ଓ ନିଯୁକ୍ତି କ୍ଷେତ୍ରରେ ଦୁଃସ୍ଥିତି ସନ୍ତାନ ଜନ୍ମକୁ ନିରୁତ୍ସାହିତ କରୁଥିବା ବେଳେ ମାନସିକ ଚାପ ବା ପରିବେଶ ପ୍ରଦୂଷଣ କାରଣରୁ ସୃଷ୍ଟ ବନ୍ଧ୍ୟା ଦୋଷ ଏଥିରେ ବିରାମ ଲଗାଇଛି। ଏଭଳି ସ୍ଥଳେ ବଳପୂର୍ବକ ସନ୍ତାନ ଜନ୍ମ ସଂଖ୍ୟାରେ ବୃଦ୍ଧି ଘଟାଇବାର ଦୁଃସାହସ ଚୀନ ଭଳି ରାଷ୍ଟ୍ର ମଧ୍ୟ କରିପାରୁନାହିଁ, କାରଣ ୧୯୬୫ ମସିହାରେ ରୁମାନିଆର ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସକ ନିକୋଲାଇ ଚେଚସ୍କ୍ୟୁଙ୍କ ଏଭଳି ଦୁଃସାହସ ଜାରଜ ସନ୍ତାନ ଏବଂ ଅନାଥାଳୟର ମାତ୍ରାତିରିକ୍ତ ସଂଖ୍ୟା ବୃଦ୍ଧିର କାରଣ ହୋଇଥିଲା। ଏଭଳି ପରିସ୍ଥିତିରେ ସମସ୍ୟାର ସମାଧାନ ସ୍ବରୂପ ଗୋଟିଏ ବର୍ଗର ସମାଜ ବିଜ୍ଞାନୀ ‘ରିସିଲିଏନ୍ଟ ସୋସାଇଟି’ ବା ‘ସ୍ଥିତିସ୍ଥାପକ ସମାଜ’ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ନ୍ତି, ଯହିଁରେ ବରିଷ୍ଠ ନାଗରିକମାନଙ୍କୁ ଅଧିକ କାଳ ଯାଏ କର୍ମମୁଖର ଓ ଉତ୍ପାଦନଶୀଳ କରି ରଖିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ଏଭଳି ସ୍ଥଳେ ବୃତ୍ତିଭୋଗୀମାନଙ୍କ ପାରଂପରିକ ଅବସର ବୟସ ସୀମା ଘୁଞ୍ଚାଇ ଦିଆଯାଇପାରେ ବା ଏଭଳି ଅନୁଷ୍ଠାନମାନଙ୍କ ପରିକଳ୍ପନା କରାଯାଇପାରେ ଯାହା ଶୁକ୍ଳ କେଶାମାନଙ୍କୁ ଅଧିକ ସଂଖ୍ୟାରେ ଏବଂ ଅଧିକ କାଳ ଯାଏ ରାଷ୍ଟ୍ର ଓ ସମାଜ ହିତାର୍ଥେ ନିୟୋଜିତ ହେବାରେ ସାହାଯ୍ୟ କରିବ। ଏହା କ’ଣ ଏକ ବାସ୍ତବତା ନୁହେଁ କି ଯେ ବୃତ୍ତିରୁ ଅବସର ଗ୍ରହଣ କରିବାର ଦିବସ ଏକ କାଳ ବିଭାଜିକା ରୂପେ ଆବିର୍ଭୂତ ହୋଇ ଅଗଣିତ ମନୁଷ୍ୟଙ୍କୁ ସହସା ବାର୍ଦ୍ଧକ୍ୟର ନିସ୍ତରଙ୍ଗ ଜୀବନ ମଧ୍ୟକୁ ନିକ୍ଷେପିତ କରିଦିଏ, ଯେତେବେଳେ କି ଆର୍ଥିକ ସାମର୍ଥ୍ୟ, ଆଭିମୁଖ୍ୟ ଏବଂ ଶାରୀରିକ ସ୍ଥିତି ଦୃଷ୍ଟିରୁ ସେମାନେ ଆହୁରି କିଛି କାଳ ଯାଏ ନିଜକୁ ଅଲୋଡ଼ା ଏବଂ ଶୂନ୍ୟପ୍ରସୂ ବୋଲି ଧିକ୍କାର ନ କରି ରହି ପାରିଥାଆନ୍ତେ!
ଚିକିତ୍ସା ବିଜ୍ଞାନୀମାନେ କହନ୍ତି ଯେ ପ୍ରାକୃତିକ ନିୟମ ଅନୁଯାୟୀ ‘ବାସ୍ତବ’ ସମୟ ଅଣଲେଉଟା ହେବା ସହିତ ସର୍ବଦା ଅଗ୍ରଗତି ଜାରି ରଖି ଶରୀରକୁ ନିରନ୍ତର ପୁରୁଣା କରି ଚାଲୁଥିବା ସତ୍ତ୍ବେ ‘ଜୈବ ଘଡ଼’ ଅନେକ ସମୟରେ ‘ବାସ୍ତବ’ ସମୟର ବିପରୀତ ଦିଗରେ ମଧ୍ୟ ଗତି କରି ପାରେ। ସୁତରାଂ, ଏବେ ‘କ୍ରୋନାଲୋଜିକାଲ ଏଜ୍’ ବା ‘କାଳାନୁସାରୀ ବୟସ’ ଓ ‘ବାୟୋଲୋଜିକାଲ ଏଜ୍’ ବା ‘ଜୈବ ବୟସ’ ମଧ୍ୟରେ ବ୍ୟବଧାନ ଖୋଜିବାର ପ୍ରଚେଷ୍ଟା କରାଯାଉଛି। ଚିକିତ୍ସକଙ୍କ ମତରେ ବୟସରେ ବୃଦ୍ଧି ଘଟିବା ସହିତ ଶରୀରର ଅଙ୍ଗ-ପ୍ରତ୍ୟଙ୍ଗରେ ସୃଷ୍ଟ ‘ପ୍ରଦାହ’ (ଇନ୍ଫ୍ଲେମେସନ) ସେଗୁଡ଼ିକୁ ଦୁର୍ବଳ ଏବଂ କ୍ଷୟିଷ୍ଣୁ କରେ, ଯାହା ଜରାବସ୍ଥାର କାରଣ। ତେବେ, ବିଭିନ୍ନ କାରଣରୁ ବିଭିନ୍ନ ମନୁଷ୍ୟଙ୍କ ଶରୀରରେ ପ୍ରଦାହର ମାତ୍ରା ଭିନ୍ନ ଭିନ୍ନ ହେଉଥିବାରୁ କଳାନୁସାରୀ ଜଣେ ବ୍ୟକ୍ତି ସତୁରି ବର୍ଷ ବୟସରେ ପଦାର୍ପଣ କରି ସାରିଥିଲେ ମଧ୍ୟ ତାଙ୍କ ‘ଜୈବ ବୟସ’ ତିରିଶ ବର୍ଷ ହୋଇପାରେ, ଅର୍ଥାତ୍ ଶାରୀରିକ ସାମର୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ଇତ୍ୟାଦି ଦୃଷ୍ଟିରୁ ସେ ସଂପୂର୍ଣ୍ଣ ଯୁବସୁଲଭ ହୋଇପାରନ୍ତି। ଏହାର ବିପରୀତଟି ମଧ୍ୟ ସତ୍ୟ ଯେ ଜଣେ ତିରିଶ ବର୍ଷ ବୟସର ଯୁବକ ଜଣେ ବୃଦ୍ଧଙ୍କ ତୁଲ୍ୟ ଦୁର୍ବଳ ଏବଂ ବ୍ୟାଧି ଜର୍ଜର ହୋଇପାରନ୍ତି। ଯଦିଓ ଜିନ୍ଗତ ସଂରଚନା ଏହାର ଗୋଟିଏ କାରଣ, ତଥାପି ଚିକିତ୍ସା ବିଜ୍ଞାନୀଙ୍କ ମତରେ ନିୟମିତ ବ୍ୟାୟାମ, ସୁଷମ ଖାଦ୍ୟ ଏବଂ ଏକ ଆଦର୍ଶ ଜୀବନଶୈଳୀ ଜରିଆରେ ଜଣେ ଚାହିଁଲେ ନିଜ ‘ଜୈବ ଘଡ଼ି’କୁ ଓଲଟା ଦିଗରେ ଚଳାଇବାରେ ମଧ୍ୟ ସମର୍ଥ ହୋଇ ପାରିବେ। ଏ ସମ୍ବନ୍ଧରେ ‘ଦ ନେଚର’େର ପ୍ରକାଶିତ ଏକ ଉଚ୍ଚକୋଟୀର ଗବେଷଣା ପ୍ରସୂତ ଆଲେଖ୍ୟ କହିଥାଏ ଯେ ରକ୍ତରେ ‘ସି.ଏକ୍ସ.ସି.ଏଲ୍.୯’ (ଏକ ପ୍ରକାର ପ୍ରୋଟିନ୍ ଅଣୁ)ର ମାତ୍ରା ବୃଦ୍ଧିରୁ ବୟସ ଜନିତ ପ୍ରଦାହକୁ ଠାବ କରି ଚିକିତ୍ସା ଦ୍ବାରା ତାକୁ ଦୂର କରାଯିବା ସମ୍ଭବ, ଯାହା ଶୁକ୍ଳ କେଶାମାନଙ୍କ ଠାରେ ତାରୁଣ୍ୟ ବଳବତ୍ତର ରଖିବ। ସୁତରାଂ, କେଶ ଶୁକ୍ଳ ହୋଇ ଯାଇଥିଲେ ସୁଦ୍ଧା ସେଭଳି ଜଣେ ବ୍ୟକ୍ତି ସୁଯୋଗ ଲାଭ କଲେ ନିଜ ଦେଶ ଲାଗି ‘ପପୁଲେସନ୍ ଡିଭିଡେଣ୍ଡ୍’ ବା ‘ଜନସାଂଖ୍ୟିକ ଲାଭ’ର ଅଂଶ ଓ ଅବଦାନ ହୋଇପାରିବେ; ସୁତରାଂ, ‘ଶୁକ୍ଳ କ୍ଳେଶ’ ମଧ୍ୟ ଅନେକାଂଶରେ ଦୂରୀଭୂତ ହେବାର ବାଟ ଫିଟିପାରେ!