ଦୁରନ୍ତ ଭାରତ

ଆଜିର ଡିଜିଟାଲ୍‌ ଯୁଗରେ ମଧ୍ୟ ପୃଥିବୀର ସର୍ବାଧିକ ସ˚ଖ୍ୟକ ପୋଷ୍ଟ୍ ଅଫିସ୍‌ କାର୍ଯ୍ୟରତ ଅଛନ୍ତି ଭାରତରେ। ଖୁବ୍‌ ଶୀଘ୍ର ୧୫୦ ବର୍ଷ ବୟସ ଛୁଇଁବାକୁ ଯାଉଥିବା ‘ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ ହେଉଛି ପୃଥିବୀର ଦ୍ରୁତତମ ବେଗରେ କାର୍ଯ୍ୟ କରୁଥିବା ଷ୍ଟକ୍‌ ଏକ୍ସଚେଞ୍ଜ୍‌। ଭାରତର ଶତାୟୁ ସିନେମା ଶିଳ୍ପ ହେଉଛି ପୃଥିବୀର ସର୍ବାଧିକ ସ˚ଖ୍ୟକ ଫିଲ୍ମ ନିର୍ମାଣକାରୀ ଶିଳ୍ପ। ପୃଥିବୀ ସାରାର ବଡ଼ ବଡ଼ କମ୍ପାନିମାନଙ୍କୁ ସର୍ବାଧିକ ସ˚ଖ୍ୟକ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବା ‘ସିଇଓ’ ଯୋଗାଇଥିବା ଦେଶ ହେଉଛି ଭାରତ। ଭାରତରେ ତମାଖୁ ଦ୍ରବ୍ୟ ପ୍ୟାକେଟ୍‌ ଉପରେ ଛାପା ହେଉଥିବା ସତର୍କବାଣୀ ଓ ଚିତ୍ର ଦଖଲ କରୁଥିବା ସ୍ଥାନର ଅନୁପାତ (୮୫ ଶତା˚ଶ) ହେଉଛି ପୃଥିବୀର ସର୍ବୋଚ୍ଚ। ସର୍ବୋପରି ଗଣତାନ୍ତ୍ରିକ ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଓ ଭାରତର ଯୁବପିଢ଼ି ହେଉଛି ପୃଥିବୀର ବିଶାଳତମ ଯୁବପିଢ଼ି, ଯେଉଁମାନେ ଆଗାମୀ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଶିଖରରେ ପହଞ୍ଚାଇ ଦେବାକୁ ଉଦ୍ୟମ କରି ଚାଲିବେ।

ପ୍ରାୟ ଏକ ହଜାର ବର୍ଷ ଧରି ବିଭିନ୍ନ କିସମର ବିଦେଶୀ ଶାସନ କବଳରୁ ମୁକୁଳି ଭାରତ ଏକ ସ୍ବାଧୀନ ଦେଶରେ ପରିଣତ ହେବାର ଆଜି ୭୬ ବର୍ଷ ପୂରଣ ହୋଇଛି। ପରାଧୀନତାର ସୁଦୀର୍ଘ ସମୟ ତୁଳନାରେ ସ୍ବାଧୀନତାର ଏହି ସମୟ ହେଉଛି ଅତ୍ୟନ୍ତ ସ˚କ୍ଷିପ୍ତ। କିନ୍ତୁ ଏକ ସ୍ରୋତସ୍ବିନୀ ନଦୀର ସ୍ରୋତକୁ ଦୀର୍ଘକାଳ ଧରି ଅଟକାଇ ରଖିଥିବା ବନ୍ଧ ଯେତେବେଳେ ଭୁଶୁଡ଼ି ଯାଏ, ସେତେବେଳେ ସେ ବନ୍ଧନମୁକ୍ତ ଜଳସ୍ରୋତ ନିମିଷକ ମଧ୍ୟରେ ଦୁରନ୍ତ ବେଗରେ ଆଗକୁ ମାଡ଼ିଯିବା ଭଳି ଏହି ସ˚କ୍ଷିପ୍ତ ସମୟରେ ନିଜର ଆତ୍ମବିଶ୍ବାସ ଫେରି ପାଇଥିବା ଭାରତ ଆଜି ନିଜର ଯେଉଁ ନୂତନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି ତାହା ପୁଣି ଏବେ ବିଶ୍ବ ସମୁଦାୟକୁ ସେଇଭଳି ଚମତ୍କୃତ କରିଛି, ଯେଉଁଭଳି ପ୍ରାଚୀନ କାଳରେ ଭାରତୀୟମାନଙ୍କର ଜ୍ଞାନ ଗରିମା ଓ ସମୃଦ୍ଧି ସମସାମୟିକ ଦୁନିଆକୁ ଚମତ୍କୃତ କରୁଥିଲା।
ଏହାର ଏକ ଉଦାହରଣ ସ୍ବରୂପ ଆଜି ଯେତେବେଳେ ଆମେ ଆମର ୭୭ତମ ସ୍ବାଧୀନତା ଦିବସ ଉତ୍ସବ ପାଳନ କରୁଛୁ, ତାହାର ପ୍ରାୟ ଏକ ସପ୍ତାହ ପରେ ଅଗଷ୍ଟ ୨୩ରେ ଭାରତ ପ୍ରେରଣ କରିଥିବା ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଉଦ୍ୟତ ହେଉଛି। ଯଦି ଏଥର କୌଣସି ବିଘ୍ନ ନ ଘଟେ ତା’ହେଲେ ଏହି ଅଭିଯାନର ତିନିଟି ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି: ଚନ୍ଦ୍ରମାର ଭୂଇଁରେ ଅବତରଣ ଯାନ ‘ବିକ୍ରମ’ର ଏକ କୋମଳ ଅବତରଣ; ସେଠାରେ ଦୂର-ନିୟନ୍ତ୍ରଣ ଦ୍ବାରା ରୋଭର୍‌ ‘ପ୍ରଜ୍ଞାନ’ର ବିଚରଣ; ସେଠାରେ କେତେକ ବୈଜ୍ଞାନିକ ପରୀକ୍ଷଣ ପରିଚାଳନା। ଏହି ଅବସରରେ ଏସବୁ ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା ଏଥି ପୂର୍ବରୁ ପୃଥିବୀର ମାତ୍ର ଆଉ ତିନି ଗୋଟି ଦେଶ ଏଭଳି ଅଭିଯାନରେ ସଫଳ ହୋଇଛନ୍ତି। ସେମାନେ ହେଲେ- ରୁଷିଆ, ଆମେରିକା ଓ ଚୀନ୍‌।
ଏହାର ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ତଥା ଆମୋଦଦାୟକ ଦିଗ ହେଲା ଏହା ଯେ ଭାରତ ସହିତ ପ୍ରତିଯୋଗିତା କରିବା ଭଳି ଏଇ ସମୟରେ ହିଁ ରୁଷିଆ ୧୯୭୬ ପରେ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ଏକ ଯାନ ପ୍ରେରଣ କରିଛି, ଯାହା ମଧ୍ୟ ସେଇ ଅଗଷ୍ଟ ୨୩ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଅନୁମାନ କରାଯାଉଛି। ସେତିକି ନୁହେଁ, ଭାରତର ଚନ୍ଦ୍ରଯାନ ଚନ୍ଦ୍ରର ଯେଉଁ ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାକୁ ଯାଉଛି, ରୁଷୀୟ ଯାନଟି ମଧ୍ୟ ସେଇ ଅଞ୍ଚଳରେ ଅବତରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆମୋଦଦାୟକ ଭାବରେ ଆନ୍ତର୍ଜାତିକ ଗଣମାଧ୍ୟମରେ ବର୍ତ୍ତମାନ କାହାର ଯାନ ପ୍ରଥମେ ଚନ୍ଦ୍ରରେ ଅବତରଣ କରିବ, ସେ ନେଇ ସେଇଭଳି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି, ଯେଉଁଭଳି ଦିନେ ଆମେରିକା-ରୁଷିଆ ମଧ୍ୟରେ ମହାକାଶ ପ୍ରତିଯୋଗିତା ଚାଲିଥିବା ବେଳେ ଦେଖାଯାଉଥିଲା।
ପୃଥିବୀ ବାହାରେ ଭାରତ ପ୍ରଦର୍ଶନ କରିଥିବା ଏହି ଚମତ୍କାରିତା ଠାରୁ ବହୁଗୁଣ ଅଧିକ ପ୍ରଭାବଶାଳୀ ହେଉଛି ପୃଥିବୀ ପୃଷ୍ଠରେ ସେ ହାସଲ କରିଥିବା ବିଭିନ୍ନ ସଫଳତା। ଆଜିର ଅବସରରେ ସେଥିମଧ୍ୟରୁ ମାତ୍ର କେତୋଟି ଏଠାରେ ଉଲ୍ଲେଖ କରିବା ଯଥାର୍ଥ ହେବ। ଏହା ବର୍ତ୍ତମାନ ବିଶ୍ବ ସମୁଦାୟ ମୁକ୍ତ କଣ୍ଠରେ ସ୍ବୀକାର କରିବାରେ ଲାଗିଛନ୍ତି ଯେ, ଭାରତ ହେଉଛି ପୃଥିବୀର ଏକମାତ୍ର ବୃହତ୍‌ ଅର୍ଥନୀତି ଯିଏ ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ ଧରି ବିଶ୍ବ ଅର୍ଥନୀତିକୁ ବିଧ୍ବସ୍ତ କରିଦେଇଥିବା ଚୀନା କରୋନା ଭୂତାଣୁଜନିତ କୋଭିଡ୍‌-୧୯ ପାଣ୍ତେମିକ୍‌ର ସଫଳ ମୁକାବିଲା କରିପାରିଛି। ଭାରତର ଏହି ସଫଳତା ତାକୁ ବର୍ତ୍ତମାନ ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍‌ ଅର୍ଥନୀତିରେ ପରିଣତ କରିଛି, ଯେଉଁ ସମୟରେ ଅନ୍ୟ ଦେଶମାନେ ଏବେ ବି ନିଜକୁ ଏକ ଅର୍ଥନୈତିକ ଅବପାତରୁ ରକ୍ଷା କରିବା ନିମିତ୍ତ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଆଉ ଭାରତର ଏହି ଦ୍ରୁତ ଅଭିବୃଦ୍ଧିକୁ ଅଧିକ ଚମକ ପ୍ରଦାନ କଲା ଭଳି, ଏହା ଭାରତକୁ ନିକଟରେ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରି ତୋଳିଛି। ଆଉ ବର୍ଷ କେଇଟାରେ ଭାରତ ଏହି ମାନ୍ୟତା ତାଲିକାରେ ନିଜର ଆରୋହଣ ଅବ୍ୟାହତ ରଖି ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି ବିଶେଷଜ୍ଞ ପର୍ଯ୍ୟବେକ୍ଷକମାନେ ଭବିଷ୍ୟବାଣୀ କରି ଚାଲିଛନ୍ତି।
ତେବେ ଭାରତୀୟ ଅର୍ଥନୀତିର ଏହି ଚମକପ୍ରଦ ସଫଳତାର ଅସଲ ଗୁରୁତ୍ବ ହେଲା ଏହା ଯେ ଏହା କେବଳ କେତେକ ଶୀତଳ ପରିସ˚ଖ୍ୟାନରେ ସୀମିତ ନ ରହି ଜନସାଧାରଣଙ୍କ ବାସ୍ତବ ଜୀବନରେ ଉନ୍ନତି ଆଣିବାରେ ସହାୟକ ହୋଇଛି। ଏହାର ଅନେକ ଉଦାହରଣ ମଧ୍ୟରୁ ଗୋଟିଏ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ତାହା ହେଲା, ଏକ ଚହଳ ସୃଷ୍ଟିକାରୀ ନିକଟରେ ପ୍ରକାଶିତ ସୂଚନା ଅନୁସାରେ ନିକଟ ଅତୀତରେ ଭାରତରେ ‘ବହୁମୁଖୀ ଦାରିଦ୍ର୍ୟ’ରେ ଏକ ଉଲ୍ଲେଖନୀୟ ସ୍ଖଳନ ଘଟିବା ଦେଖାଯାଇଛି। ପୂର୍ବେ କେବଳ ବ୍ୟକ୍ତି ବା ପରିବାରର ଆର୍ଥିକ ସ୍ଥିତି ଭିତ୍ତିରେ ଦାରିଦ୍ର୍ୟର ଆକଳନ କରାଯାଉଥିଲା। ‘ବହୁମୁଖୀ ଦାରିଦ୍ର୍ୟ’ ଆକଳନ କରିବା ପାଇଁ କିନ୍ତୁ ୨୦୧୦ ଠାରୁ ଜାତିସ˚ଘ ସ˚ସ୍ଥା ‘ୟୁଏନ୍‌ଡିପି’ ଏକ ଫର୍ମୁଲା ବ୍ୟବହାର କରି ଆସୁଛି, ଯେଉଁଥିରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣର ମାନକୁ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ଭାରତରେ ଅନୁଷ୍ଠିତ ‘ନେସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ’ ରିପୋର୍ଟମାନଙ୍କରୁ ଏ ବାବଦରେ ଉପଲବ୍‌ଧ ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୫-୧୬ରେ ଭାରତର ଜନସ˚ଖ୍ୟାରେ ‘ବହୁମୁଖୀ ଦାରିଦ୍ର୍ୟ’ ପ୍ରପୀଡ଼ିତମାନଙ୍କର ଅନୁପାତ ପ୍ରାୟ ୨୫ ଶତା˚ଶ ଥିବା ବେଳେ ୨୦୧୯-୨୧ ବେଳକୁ ସେଥିରେ ହ୍ରାସ ଘଟି ହୋଇଥିଲା ପ୍ରାୟ ୧୫ ଶତା˚ଶ। ସ˚ଖ୍ୟା ଆକାରରେ କହିଲେ ଏହି ପାଞ୍ଚ ବର୍ଷର ସମୟ କାଳ ମଧ୍ୟରେ ପ୍ରାୟ ୧୩.୫ କୋଟି ଭାରତୀୟ ବହୁମୁଖୀ ଦାରିଦ୍ର୍ୟ କବଳରୁ ସ୍ବାଧୀନତା ଲାଭ କରିଛନ୍ତି, ଯାହା ହେଉଛି ଭାରତ ହାସଲ କରିଥିବା ରାଜନୈତିକ ସ୍ବାଧୀନତାର ମୁଖ୍ୟ ଲକ୍ଷ୍ୟ। ଏହା ଜାତିସ˚ଘ ଦ୍ବାରା ସ୍ଥାପିତ ‘ସସ୍‌ଟେନେବ୍‌ଲ ଡେଭେଲପ୍‌ମେଣ୍ଟ୍‌ ଗୋଲ୍‌ସ’ ହାସଲ ଦିଗରେ ପରିଦୃଷ୍ଟ ଅଗ୍ରଗତିରେ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିଛି।
ଯଦି ଭାରତର ଏ ସମସ୍ତ ଓଜନଦାର ଉପଲବ୍‌ଧି କାହାକୁ ଯଥେଷ୍ଟ ପ୍ରଭାବଶାଳୀ ମନେ ହେଉ ନଥାଏ, ତେବେ ନିମ୍ନୋକ୍ତ କେତେକ ଅପେକ୍ଷାକୃତ ହାଲୁକା କ୍ଷେତ୍ରରେ ଭାରତ ଦଖଲ କରିଥିବା ନେତୃସ୍ଥାନ ହୁଏତ ସେମାନଙ୍କ ଅସନ୍ତୋଷ ଦୂର କରିପାରେ। ‘ଏନ୍‌ଓପି ଵାର୍ଲଡ୍‌ କଲ୍‌ଚର‌୍‌ ସ୍କୋର‌୍‌ ଇଣ୍ତେକ୍ସ’ ଅନୁସାରେ ଭାରତୀୟମାନେ ବର୍ତ୍ତମାନ ହେଉଛନ୍ତି ପୃଥିବୀର ସର୍ବାଧିକ ପଠନପ୍ରିୟ ପୁସ୍ତକ କୀଟ। ସର୍ବେକ୍ଷଣ ଅନୁସାରେ ସେମାନେ ସପ୍ତାହକୁ ହାରାହାରି ୧୦.୭ ଘଣ୍ଟା କିଛି ନା କିଛି ପଢ଼ିବାରେ ବିତାଇଥାନ୍ତି, ଯାହା ବ୍ରିଟେନ୍‌ ଓ ଆମେରିକାର ପ୍ରାୟ ଦୁଇ ଗୁଣ। ନିମ୍ନଲିଖିତ କୃଷିଜାତ ପଦାର୍ଥମାନଙ୍କର ପୃଥିବୀରେ ସର୍ବବୃହତ୍‌ ଉତ୍ପାଦନକାରୀ ହେଉଛି ଭାରତ: ତୁଳା, ଚାଉଳ, ମାଣ୍ତିଆ, ବୁଟ, ପାଚିଲା କଦଳୀ, ଆମ୍ବ, ଅମୃତଭଣ୍ତା, ଜିରା, ଅଦା, କଞ୍ଚାଲଙ୍କା, ହଳଦୀ। ଆଜିର ଡିଜିଟାଲ୍‌ ଯୁଗରେ ମଧ୍ୟ ପୃଥିବୀର ସର୍ବାଧିକ ସ˚ଖ୍ୟକ ପୋଷ୍ଟ୍ ଅଫିସ୍‌ କାର୍ଯ୍ୟରତ ଅଛନ୍ତି ଭାରତରେ। ଖୁବ୍‌ ଶୀଘ୍ର ୧୫୦ ବର୍ଷ ବୟସ ଛୁଇଁବାକୁ ଯାଉଥିବା ‘ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ ହେଉଛି ପୃଥିବୀର ଦ୍ରୁତତମ ବେଗରେ କାର୍ଯ୍ୟ କରୁଥିବା ଷ୍ଟକ୍‌ ଏକ୍ସଚେଞ୍ଜ୍‌। ଭାରତର ଶତାୟୁ ସିନେମା ଶିଳ୍ପ ହେଉଛି ପୃଥିବୀର ସର୍ବାଧିକ ସ˚ଖ୍ୟକ ଫିଲ୍ମ ନିର୍ମାଣକାରୀ ଶିଳ୍ପ। ପୃଥିବୀ ସାରାର ବଡ଼ ବଡ଼ କମ୍ପାନିମାନଙ୍କୁ ସର୍ବାଧିକ ସ˚ଖ୍ୟକ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବା ‘ସିଇଓ’ ଯୋଗାଇଥିବା ଦେଶ ହେଉଛି ଭାରତ। ଭାରତରେ ତମାଖୁ ଦ୍ରବ୍ୟ ପ୍ୟାକେଟ୍‌ ଉପରେ ଛାପା ହେଉଥିବା ସତର୍କବାଣୀ ଓ ଚିତ୍ର ଦଖଲ କରୁଥିବା ସ୍ଥାନର ଅନୁପାତ (୮୫ ଶତା˚ଶ) ହେଉଛି ପୃଥିବୀର ସର୍ବୋଚ୍ଚ। ସର୍ବୋପରି ଗଣତାନ୍ତ୍ରିକ ଭାରତ ହେଉଛି ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଓ ଭାରତର ଯୁବପିଢ଼ି ହେଉଛି ପୃଥିବୀର ବିଶାଳତମ ଯୁବପିଢ଼ି, ଯେଉଁମାନେ ଆଗାମୀ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଶିଖରରେ ପହଞ୍ଚାଇ ଦେବାକୁ ଉଦ୍ୟମ କରି ଚାଲିବେ। ଆଜି ଦିନରେ ଏହା ହିଁ ଆମର ଆଶା ଓ ଦୃଢ଼ ବିଶ୍ବାସ।

ସମ୍ବନ୍ଧିତ ଖବର