କ୍ରୋଧ ଛାଡ଼ି ଦେଇ ଆସିଛି

କଥାଟିଏ-ଯାଯାବର

ଦିନେ ମୁଲ୍ଲା ନସିରୁଦ୍ଦିନ ଶୁଣିଲେ ଯେ ରାଜା ତୀର୍ଥ ଯାଇ ସେଠାରେ କ୍ରୋଧକୁ ପରିତ୍ୟାଗ କରି ଆସିଛନ୍ତି। ମୁଲ୍ଲା ପର ଦିନ ରାଜାଙ୍କ ପାଖରେ ପହଞ୍ଚି ପଚାରିଲେ- ଜାହାଁପନା, ତୀର୍ଥରେ ଆପଣ କ’ଣ ଛାଡ଼ି ଆସିଲେ? ରାଜା ତୃପ୍ତିର ହସଟିଏ ହସି ମୁଲାୟମ ଗଳାରେ କହିଲେ- କ୍ରୋଧ।
ମୁଲ୍ଲା ମୁଣ୍ଡ ହଲାଇ ବାହାରକୁ ଚାଲିଗଲେ। କିଛି ସମୟ ପରେ ରାଜା ତାଙ୍କ ବନ୍ଧୁମାନଙ୍କ ସହିତ ଆଳାପରତ ଥିବା ବେଳେ ହଠାତ୍ ମୁଲ୍ଲା ଅତର୍କିତ ପଚାରିଲେ- ଜାହାଁପନା ତୀର୍ଥରେ ଆପଣ କ’ଣ ଛାଡ଼ି ଆସିଛନ୍ତି?
ରାଜା ଏଥର ଟିକିଏ କଠିନ ଗଳାରେ ଉତ୍ତର ଦେଲେ- ଥରେ କହିଲି ପରା କ୍ରୋଧ!
କିଛି ସମୟ ପରେ ରାଜା ଆଖି ବୁଜି ଗୀତ ଶୁଣାରେ ତଲ୍ଲୀନ ଥିବା ବେଳେ ମୁଲ୍ଲା ପୁଣି ତାଙ୍କୁ ପଚାରିଲେ- ମଣିମା, ତୀର୍ଥରେ…..?
କଥା ନ ସରୁଣୁ ରାଜା ଚିଡ଼ି ଯାଇ କହିଲେ- କି ଆଶ୍ଚର୍ଯ୍ୟ? ତୁମେ ଜଣେ କାଲ କି? ଶହେ ଥର ପରା କହିଲିଣି କ୍ରୋଧ! ତୁମେ କ’ଣ ବୁଝି ପାରୁନା?
ମୁଲ୍ଲା ଏଥର ବି ଚାଲିଗଲେ।
କିଛି ସମୟ ପରେ ରାଜା ବିଛଣାରେ ପଡ଼ି ହାଲୁକା ନିଦ କୋଳରେ ହଜି ଯାଉଥିବା ବେଳେ ମୁଲ୍ଲା ତାଙ୍କୁ ହଠାତ୍‌ ହଲାଇ ଦେଇ ପଚାରିଲେ- ମଣିମା, ଆପଣ ତୀର୍ଥରେ କ’ଣ …?
ଉତ୍ତରରେ ଏଥର କେବଳ ଶୁଭିଲା ରାଜାଙ୍କ ଚିତ୍କାର- କିଏ ଅଛରେ? ଏ ପାଗଳ ମୁଲ୍ଲାକୁ ଫାଶୀରେ ଝୁଲାଇ ଦିଅ ରେ!
ମୁଲ୍ଲା କହିଲେ- ଭୁଲ ହୋଇଗଲା ମଣିମା। ମୁଁ ଭାବିଥିଲି ଆପଣ ସତରେ କ୍ରୋଧକୁ ଛାଡ଼ି ଦେଇ ଆସିଛନ୍ତି!

ସମ୍ବନ୍ଧିତ ଖବର