ଅତୁଳନୀୟ ରବର

କଥାଟିଏ-ଯାଯାବର

ଦିନେ ପୁଅ ବାପାଙ୍କୁ ପଚାରିଲା- ଆପଣ କେମିତି ଏତେ ଶାନ୍ତିରେ ଥାଆନ୍ତି? ଆପଣଙ୍କ ମୁହଁରୁ କେବେ ହେଲେ ହସ ଲିଭେନାହିଁ। ଆପଣ ସମସ୍ତଙ୍କୁ ଅନାବିଳ ଭାବେ ସ୍ନେହ କରିପାରନ୍ତି, ଘୃଣାର ଲେଶ ମାତ୍ର ଚିହ୍ନ ଆପଣଙ୍କ ଠାରେ ନ ଥାଏ?
ବାପା କହିଲେ- ମୋ ପାଖରେ ଏମିତି ଜିନିଷ ଅଛି ଯେଉଁଥିରେ ମୁଁ ବହୁତ କିଛି ଲିଭାଇ ଦେଇପାରେ।
ପୁଅ କହିଲା- ବୁଝାଇ କହନ୍ତୁ।
ବାପା କହିଲେ- ଆମେ କାହିଁକି ଅନ୍ୟ ଉପରେ ରାଗୁ, ଅସନ୍ତୁଷ୍ଟ ହେଉ, କାହିଁକି ଅନ୍ୟକୁ ଭଲ ପାଇ ପାରୁନା? ଉତ୍ତର ହେଲା, ଆମ ଜାଣତ ଓ ଅଜାଣତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମକୁ କଷ୍ଟ ଦିଅନ୍ତି, ଆମ ମନରେ ଦାଗ ଲଗାଇ ଦିଅନ୍ତି। ସେମିତି ଦାଗସବୁକୁ ଲିଭାଇବା ଲାଗି ମୋ ପାଖରେ ରବର ଅଛି।
ପୁଅ କହିଲା- କିନ୍ତୁ ବାପା, ସମସ୍ତେ ତ ପେନ୍‌ସିଲ୍‌ରେ ଦାଗ ଲଗାନ୍ତିି ନାହିଁ ଯେ ରବରରେ ଲିଭିଯିବ! ଲୋକେ ଏମିତି କାଳିରେ ଦାଗ ଲଗାନ୍ତି ଯେ କୌଣସି ରବର ତାକୁ ଲିଭାଇ ପାରିବ ନାହିଁ। ସେତିକି ବେଳେ ଆପଣ କ’ଣ କରିବେ?
ବାପା ଏଥର ପୁଅର ଚଟୁଳତାରେ ହସି ଦେଇ କହିଲେ- ବାବୁ, ମୋ ପାଖରେ ଯେଉଁ ରବର ଅଛି ତାହା ସମସ୍ତ ପ୍ରକାର ଦାଗକୁ ଲିଭାଇ ଦେଇ ପାରିବ। ସେଇ ରବରଟି ସମସ୍ତଙ୍କ ପାଖରେ ଅଛି। କିନ୍ତୁ ବହୁତ କମ୍‌ ଲୋକ ତା’ର ବ୍ୟବହାର କରି ଜାଣନ୍ତି। ସେଇ ରବରଟି ହେଲା କ୍ଷମା। ତୁମେ ଯଦି ସବୁ ଭୁଲ୍‌, ତ୍ରୁଟି ଓ ବିଚ୍ୟୁତିକୁ କ୍ଷମା କରିପାରିବାର କୌଶଳଟିକୁ ଜାଣିଗଲ, ତେବେ ତୁମ ମନରେ ଆଉ କୌଣସି ଦାଗ ଅଲିଭା ହୋଇ ରହିଯିବ ନାହିଁ। ସମସ୍ତଙ୍କୁ ଭଲ ପାଇବା କିନ୍ତୁ କ୍ଷମା କଲା ଭଳି ରବରଟିଏ ପାଖରେ ରଖିପାରିବା ଭାରି କଷ୍ଟକର ବ୍ୟାପାର।

ସମ୍ବନ୍ଧିତ ଖବର