ସରସ ରସ: ଘୃଣାର ଅନ୍ତର୍ନିହିତ ସତ୍ୟ

ସୁଭାଷ ପଟ୍ଟନାୟକ

ସେଦିନ ହୃଦୟର ବାଲକୋନିରେ ବସି ପ୍ରେମ ଓ ଘୃଣା କଥା ହେଉଥିଲେ। ଘୃଣା ପ୍ରେମକୁ କହିଲା, ସାରା ପୃଥିବୀବାସୀ ତୁମକୁ ଚାହିଁଲେ କ’ଣ ହେଲା, ପୃଥିବୀଟା ତ ମୋ ଅକ୍ତିଆରରେ। ତୁମେ ଯେଉଁଠିକି ଯିବ, ସେଠାରେ ମତେ ପାଇବ। ତୁମର ଆବାହନ ପାଇଁ ଶହେ ଶବ୍ଦ ଦରକାର, ମୁଁ ତ କେବଳ ଗୋଟିଏ ଡାକରାରେ ହାଜର ହୋଇଯାଏ। ପ୍ରେମ ଉତ୍ତର ଦେଲା, ତୁମେ ଯେଉଁଠିବି ଥାଅ, ପରିଶେଷରେ ମୁଁ ହିଁ ସତ୍ୟ। ଘୃଣା ହସିଦେଇ କହିଲା, ମୁଁ ମଧ୍ୟ ତୁମ ସତ୍ୟତା ମଧ୍ୟରେ ବାସ କରୁଛି। ତୁମ ଭିତରେ ମୁଁ ହେଉଛି ଲାଳସା, ତୁମ ଭିତରେ ଥାଇ ମୁଁ ହେଉଛି ଈର୍ଷା ଓ ହିଂସାର ସୂତ୍ରଧର, ଘୃଣା।
ଖବରକାଗଜର ପୃଷ୍ଠା ଓଲଟାଇଦେଲେ ମୁଖ୍ୟ ଶିରୋନାମାରେ ଥାଏ କେଉଁଠି ପ୍ରେମିକାକୁ ତା’ ପ୍ରେମିକ ହତ୍ୟାକରି ଟୁକୁରା ଟୁକୁରା କରି ଫିଙ୍ଗି ଦେଇଛି ତ କେଉଁଠି ପତି ପିଟି ପିଟି ହତ୍ୟା କରିଛି ପତ୍ନୀକୁ। କେଉଁଠି ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂଘର୍ଷ ତ କେଉଁଠି ଧର୍ମ ଆଧାରରେ ହାଣକାଟ। ପ୍ରେମ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିବା ବ୍ୟକ୍ତି ପ୍ରେମିକାର ଜୀବନ ନେଇପାରେ କେମିତି? ଭାଇଚାରାର ଆଧାରରେ ବଞ୍ଚୁଥିବା ମନୁଷ୍ୟ ନିଜ ଭିତରେ ହଣାକଟା ହୁଏ କେଉଁ ସ୍ବାର୍ଥ ପାଇଁ? ପ୍ରେମ ଓ ଘୃଣା ଏକ ଜଟିଳ ପଦ୍ଧତି ମଧ୍ୟଦେଇ ପରସ୍ପର ସହିତ ସଂପର୍କିତ। ମନୁଷ୍ୟର ମନକୁ ତା’ର ପ୍ରେମ ଅଥବା ଘୃଣାର ପାତ୍ର ବହୁ ଭାବରେ କବଳିତ କରି ରଖିଥାଏ। ପ୍ରେମ ତଥା ଘୃଣାର ଉତ୍ପତ୍ତି ସ୍ଥଳ ହେଉଛି ମଣିଷର ଅହଂ। “ମୁଁ ତାକୁ ହୃଦୟ ଦେଇ ଭଲପାଏ” କହିବାର ଅର୍ଥ ଭଲ ପାଉଥିବା ବ୍ୟକ୍ତିଠାରୁ ମୁଁ ତତ୍ତୁଲ୍ୟ ଭଲ ପାଇବା ଦାବି କରୁଥାଏ। ସେଥିରେ ସଫଳ ହେଲେ ଅହଂ ତୃପ୍ତ ହୁଏ, ନ ହେଲେ ପ୍ରେମ ରୂପାନ୍ତରିତ ହୋଇଯାଏ କ୍ରୋଧ ଓ ଘୃଣାରେ। ପ୍ରେମ ଏକ ଶାଶ୍ବତ ଆବେଗ ନୁହେଁ ବରଂ ଭଲ ଲାଗୁଥିବା ବସ୍ତୁଟିକୁ ଏକାନ୍ତ ନିଜର କରି ଆତ୍ମସାତ କରିନେବାର ଲୋଭ। ଏ ତ ଗଲା ପ୍ରେମର କଥା, ଘୃଣାର ଅନ୍ୟ ସୃଷ୍ଟି ସ୍ଥଳ ହେଉଛି ନିଜ ଗୋଷ୍ଠୀ ପ୍ରତି ପ୍ରେମ ଓ ଅନ୍ୟ ଗୋଷ୍ଠୀ ପ୍ରତି ଅସୂୟା ଭାବନା। “ସେ ଅନ୍ୟ ଗୋଷ୍ଠୀର” ଏପରି କହିବାର ଅର୍ଥ ମୁଁ ଚାହେଁ ସେ ମୋ ଗୋଷ୍ଠୀରେ ସାମିଲ ହେଉ। ତାହା ହୋଇ ନପାରିଲେ ଘୃଣା ଓ ହିଂସାର ଉତ୍ପତ୍ତି ହୁଏ। ଧର୍ମକୁ ନେଇ ମଧ୍ୟ ସେଇ ଏକା କଥା କୁହାଯାଇପାରେ। ଅନ୍ୟକୁ ଖରାପ କହିବାର ଲୁକ୍କାୟିତ ଭାବନାଟି ହେଲା ନିଜକୁ ଭଲ ସାବ୍ୟସ୍ତ କରିବାର ଇଚ୍ଛା, ଯାହାର ବ୍ୟତିକ୍ରମ ହେଲେ ଘୃଣାର ଉତ୍ପନ୍ନ ସହଜରେ ହୋଇଯାଏ। “ସେ କିଏ”- ଏପରି ଏକ ପ୍ରଶ୍ନରୁ ଘୃଣାର ସୃଷ୍ଟି, “ସେ କ’ଣ” ସେଥିରୁ ନୁହେଁ। ଘୃଣା ଯେ କେବଳ ଅନ୍ୟ ପ୍ରତି ନକାରାତ୍ମକ ଭାବନା ତାହା ନୁହେଁ, ବରଂ ଅନ୍ୟର ବ୍ୟକ୍ତିତ୍ବ, ଭାବନା, ବିଚାର, ବିଶ୍ବାସ ଓ ପରିଚୟ ନିଜଠାରୁ ଭିନ୍ନ ହେଲେ ମନରେ ତାରତମ୍ୟ ସୃଷ୍ଟି ହୋଇ ପରିଶେଷରେ ଘୃଣାକୁ ଜନ୍ମ ଦିଏ। କାରଣ, ସହଜାତ ପ୍ରକୃତି ଆଧାରରେ ମନୁଷ୍ୟ ଚାହେଁ ଅନ୍ୟମାନେ ତା’ର ସ୍ବଭାବ ଓ ଗୁଣାବଳୀକୁ ଉତ୍କୃଷ୍ଟ ଓ ଶ୍ରେଷ୍ଠ ଭାବରେ ଗ୍ରହଣ କରନ୍ତୁ।
ସମଭାବାପନ୍ନ ଓ ସମାନ ବିଚାରଧାରାର ଗୋଟିଏ ଗୋଷ୍ଠୀ ଏକାଠି ହେଲେ ଅନ୍ୟ ଗୋଷ୍ଠୀ ସହିତ ପ୍ରତିଯୋଗିତାର ଭାବନା ଆସେ ଓ ପରିଣତି ହୁଏ ଘୃଣା। ହିଂସାର ଉତ୍ପତ୍ତି ଏହିଠାରୁ। ଗୋଷ୍ଠୀଗତ ହିଂସାରେ ପରିଚୟ ପ୍ରଘଟ ହେବାର ଭୟ ନଥାଏ ଓ ପରିଣତି ତା’ର ଗୋଷ୍ଠୀ ମଧ୍ୟରେ ବାଣ୍ଟି ହୋଇଯାଉଥିବାରୁ ଭୟଶୂନ୍ୟ ହୋଇ ମନୁଷ୍ୟ ହିଂସାରେ ମାତେ। ବିପଦର ଆଶଙ୍କା ହେଲେ ସମଗ୍ର ଗୋଷ୍ଠୀଟି ଏକାଠି ହୋଇ ତା’ ପଛରେ ଛିଡ଼ା ହୋଇଯାଏ।
ଆମେ ଏବେ ଏକ ସଂଘର୍ଷପୂର୍ଣ୍ଣ ସମୟ ମଧ୍ୟ ଦେଇ ଗତି କରୁଛେ, ଯେଉଁଠି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ଲାଗିରହିଛି। ଏପରି ଏକ ସଂଘର୍ଷମୟ ପରିବେଶରୁ ପ୍ରେମ ବଦଳରେ ଘୃଣାର ଉତ୍ପତ୍ତି ହେବା ସ୍ବାଭାବିକ। ପ୍ରତିଯୋଗିତା ଏକ ସଂଗ୍ରାମ ଓ ସଂଗ୍ରାମର ଶେଷ ପରିଣତି ପ୍ରତିହିଂସା। ଏପରିକି ନିଜଠାରୁ ସାମାନ୍ୟ ଭିନ୍ନ ବ୍ୟକ୍ତିତ୍ବକୁ ଆମେ ଏବେ ସନ୍ଦେହ ଓ ଘୃଣା ଚକ୍ଷୁରେ ଦେଖୁଛେ। ପ୍ରେମ ଓ ଘୃଣା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି ଓ ଉଭୟ ଆମ ଚେତନାରେ ଜାଗ୍ରତ ରହି ବିଶ୍ବ ସହିତ ଆମକୁ ଭାବନାତ୍ମକ ସ୍ତରରେ ବାନ୍ଧି ରଖିଛି। ଏ ଉଭୟ ମନୁଷ୍ୟର ଦୁଇଟି ବିପରୀତ ଭାବାବେଗ। ଉଭୟ ମନୁଷ୍ୟ ମନରେ ଦୁଇ ପ୍ରକାରର କାମନା ସୃଷ୍ଟି କରେ। ପ୍ରେମ କିଛି ଉପାଦେୟ ବସ୍ତୁ ପ୍ରାପ୍ତିର କାମନା ହେବାସ୍ଥଳେ ଘୃଣା ସେ ଅଭୀଷ୍ଟ ବସ୍ତୁଟି ନପାଇବାର ନକାରାତ୍ମକ ଭାବାବେଗ। ପ୍ରେମ ଅନ୍ଧ ହେଲେ ଘୃଣା ଏପରି ଏକ ନିଘଞ୍ଚ ଅନ୍ଧକାର ଯାହା ମଧ୍ୟରେ ପ୍ରେମ ବାଟବଣା ହୋଇଯାଏ। ଘୃଣାର ପରିଣତି ଆମକୁ କେଉଁଠି ନେଇ ପହଞ୍ଚାଇବ ସେକଥା କବି ରବର୍ଟ ଫ୍ରଷ୍ଟ୍ ଲେଖିଛନ୍ତି ତାଙ୍କର ‘ଫାୟାର୍ ଏଣ୍ଡ୍ ଆଇସ୍’ କବିତାରେ: “ପୃଥିବୀ ପ୍ରଥମ ଥର ଧ୍ବଂସ ହେବ ମନୁଷ୍ୟର ଲୋଭର ନିଆଁରେ ଓ ଦ୍ବିତୀୟ ବାର ନିଃଶେଷ ହୋଇଯିବ ଘୃଣାର ତୁଷାର ଖଣ୍ଡ ତଳେ”।
ଘୃଣା ସହିତ ପ୍ରେମ ମାନସିକ ସ୍ତରରେ ଅତି ନିବିଡ଼ ଭାବରେ ସଂପର୍କିତ। ଘୃଣା ପ୍ରେମର ବିପରୀତ ନୁହେଁ କି ପ୍ରେମର ଅନୁପସ୍ଥିତି ମଧ୍ୟ ନୁହେଁ। କେବଳ ଅହଂର ଏକ ସୂକ୍ଷ୍ମ ପରଦା ଦ୍ବାରା ଘୃଣା ଓ ପ୍ରେମ ପରସ୍ପର ଠାରୁ ବିଚ୍ଛିନ୍ନ। ପ୍ରେମ ପରି ଘୃଣା ମଧ୍ୟ ଆମର ଭାବନା ଓ ଲକ୍ଷ୍ୟକୁ ଚିତ୍ରାୟିତ କରିଥାଏ। ସେଥିପାଇଁ କୁହାଯାଏ, “ମୁଝସେ ନଫରତ୍ ହି କରନିହୈ ତୋ ଇରାଦେ ମଜବୁତ୍ ରଖନା, ଜରାସି ଭି ଅଗର୍ ଚୁକେ ତୋ ମୁହବତ୍ ହୋ ଯାୟେଗି।” ଘୃଣା କରୁଛ ଯଦି ଉଦ୍ଦେଶ୍ୟ ମଜବୁତ୍ ରଖ, ସାମାନ୍ୟ ଲକ୍ଷ୍ୟ ଭ୍ରଷ୍ଟ ହେଲେ ଘୃଣା ପ୍ରେମ ପାଲଟିଯିବ।
ଘୃଣାର ଭାବନା ଚେତନାର ପ୍ରସାରଣରେ ଏକ ମୁଖ୍ୟ ବାଧକ, ଆଉ ଚେତନାର ପ୍ରସାରଣ ବିନା ମନୁଷ୍ୟର ଊର୍ଦ୍ଧ୍ବାୟନ ଓ ଉତ୍ତରଣ ଅସମ୍ଭବ। ଏବେ ନିଷ୍ପତ୍ତି ଆପଣଙ୍କ ହାତରେ।
[email protected]

ସମ୍ବନ୍ଧିତ ଖବର