ଜଣେ ଭିକାରି ଥିଲା। ତା’ ପାଖରେ ଭଗବାନଙ୍କର ଗୋଟିଏ ଛୋଟ ମୂର୍ତ୍ତି ଥିଲା। ସେଇ ମୂର୍ତ୍ତିକୁ ସେ ନିଜ ଅଣ୍ଟାରେ ଖୋସି ବୁଲୁଥିଲା। କେବେ ବି ପୂଜା କରୁ ନ ଥିଲା। ତେବେ ଖାଇବା ପୂର୍ବରୁ ଅଳ୍ପ କିଛି ତାଙ୍କ ସାମନାରେ ଥୋଇ ‘ଆପଣ ଖାଆନ୍ତୁ’ ବୋଲି କହି ନିଜେ ଖାଉଥିଲା। ଶୋଇବା ବେଳେ ପାଖରେ ରଖି ଶୋଉଥିଲା।
ଦିନେ ଏ କଥା ଦେଖିଲେ ଜଣେ ବ୍ରାହ୍ମଣ। ସେ ତାକୁ କହିଲେ- ହଇରେ ପାପୀ, ତୁ ଭଗବାନଙ୍କ ମୂର୍ତ୍ତିଟିଏ ରଖି ଏ କି କାରବାର କରୁଛୁ? ଭଗବାନ ରାଗିବେ।
ଭିକାରି କହିଲା- ଆଜ୍ଞା, ମୋ ଭଗବାନ ରାଗନ୍ତି ନାହିଁ।
ବ୍ରାହ୍ମଣ ତାକୁ ମୂର୍ଖ ବୋଲି କହି ତା’ ଠାରୁ ମୂର୍ତ୍ତିଟି ନେଇ ଯିବାକୁ ବସିଲେ। ଭିକାରି କହିଲା- ସେ ଯଦି ଆପଣଙ୍କ ପାଖରେ ଖୁସିରେ ରହିବେ ତେବେ ନେଇ ଯାଆନ୍ତୁ। କିଛି କଥା ନାହିଁ।
ଏ କଥା ଦେଖୁଥିଲେ ଜଣେ ସଧୁ। ସେ ବ୍ରାହ୍ମଣଙ୍କୁ ପଚାରିଲେ- ଆପଣ କାହିଁକି ଏହି ମୂର୍ତ୍ତିଟିକୁ ନେଇ ଯିବାକୁ ବସିଛନ୍ତି?
ବ୍ରାହ୍ମଣ କହିଲେ- ଠିକଣା ବିଧିରେ ମୂର୍ତ୍ତି ପୂଜା ନ କଲେ ଅମଙ୍ଗଳ ହୁଏ। ମୋ ଆଖି ସାମନାରେ ଏଭଳି ଅନୀତି ହୋଇ ପାରିବ ନାହିଁ।
ସାଧୁ କହିଲେ- କିନ୍ତୁ ଗୋଟିଏ କଥା ଜାଣନ୍ତୁ। ଭଗବାନଙ୍କ ପ୍ରତି ଆପଣଙ୍କ ମନରେ କେବଳ ଭୟ ଭାବ ରହିଛି। କିନ୍ତୁ ଭିକ୍ଷୁକ ମନରେ ଯାହା ରହିଛି ତାହା ହେଉଛି ସ୍ନେହ। ଆପଣ ଈଶ୍ବରଙ୍କ ଆରାଧନାରେ ସାରା ଜୀବନ କାଟି ଦେଲେ ମଧ୍ୟ ସବୁ ବେଳେ ଈଶ୍ବରଙ୍କ ପ୍ରତି ସନ୍ଦେହ ଦୃଷ୍ଟି ରଖିବେ, କାଳେ କେଉଁଠି ପୂଜାରେ ଭୁଲ୍‌ ହୋଇଗଲେ, ସେ ମୋର ଅମଙ୍ଗଳ ଘଟାଇ ଦେବେ। ଈଶ୍ବରଙ୍କୁ ପିତା ବୋଲି ସଂବୋଧନ କରିବେ, କିନ୍ତୁ ସଂପର୍କରେ ସହଜତା ପାଇବେ ନାହିଁ। କିନ୍ତୁ ଭିକ୍ଷୁକ ତା’ ସ୍ନେହ କାରଣରୁ ଭଗବାନଙ୍କ ସହିତ ଏକ ସହଜ ସଂପର୍କ ରଖି ପାରିବ।