ହାତୀ ହାଲଚାଲ

ଜିତଶତ୍ରୁ ମହାନ୍ତି

ସର୍ବବୃହତ୍ ସ୍ଥଳଚର ପ୍ରାଣୀ ହାତୀ ମାନବ ସଭ୍ୟତା, ସଂସ୍କୃତି ଓ ସଂହତିର ନିଦର୍ଶନ ଭାବରେ ପ୍ରାଚୀନ କାଳରୁ ସୁପରିଚିତ। ଏହି ଜୀବଟି ଦିନେ ସମୃଦ୍ଧ ସାମ୍ରାଜ୍ୟର ସମ୍ରାଟମାନଙ୍କ ସମ୍ବଳ ଓ ସାମରିକ ସାମର୍ଥ୍ୟର ସୂଚକ ଥିଲା। ଆମ ଦେଶରେ ସିଦ୍ଧିଦାତା ଗଣେଶ ଓ ଧନଧାତ୍ରୀ ଗଜଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ହାତୀ ସର୍ବତ୍ର ପୂଜନୀୟ। ଭାରତୀୟ ସମାଜ ଓ ସଂସ୍କୃତିରେ ଏହାର ଗୁରୁତ୍ବକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ଭାରତ ସରକାର ଏହାକୁ ଜାତୀୟ ଐତିହ୍ୟ ପ୍ରାଣୀର ମାନ୍ୟତ ପ୍ରଦାନ କରିଛନ୍ତି। ନିକଟରେ (୧୨ ଅଗଷ୍ଟ) ବିଶ୍ବ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଏହି ଦୂରଭ୍ରମଣକାରୀ ତୃଣଭୋଜୀ ଜୀବ ଜଙ୍ଗଲ ପରିସଂସ୍ଥାର ଚାବିକାଠି। ଏହା ନାନାବିଧ ବୃକ୍ଷଲତାର ପ୍ରଜନନ ଓ ପ୍ରସାର ପ୍ରଚେଷ୍ଟାରେ ନିରନ୍ତର ନିୟୋଜିତ। ଏହା ଅନେକ କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଖାଦ୍ୟ ଯୋଗାଣକାରୀ ଏବଂ ଜୈବ ବିବିଧତା, ଅରଣ୍ୟର ସୁସ୍ଥତା ପ୍ରତି ଏହାର ଅବଦାନ ଅତୁଳନୀୟ। ଯଥାର୍ଥରେ ଏହାକୁ ବନଯନ୍ତ୍ରୀ ଓ ଭୂପୃଷ୍ଠ ମାଳୀ କୁହାଯାଏ।
ଏକଦା ବିଶ୍ୱର ଅନେକ ପ୍ରାନ୍ତରେ ଆଧିପତ୍ୟ ବିସ୍ତାର କରିଥିବା ଏହି ବିଶାଳ ପ୍ରାଣୀ ବର୍ତ୍ତମାନ କେତେକ ଆଫ୍ରିକୀୟ ଓ ଏସୀୟ ଦେଶରେ ସୀମିତ। ଅଧୁନା ପୃଥିବୀରେ ତିନିଟି ଜାତିର ହାତୀ ଅଛନ୍ତି। ସେଗୁଡ଼ିକ ହେଲେ ଆଫ୍ରିକୀୟ ଚାରଣ ଭୂମୀୟ ହାତୀ, ଆଫ୍ରିକୀୟ ଜଙ୍ଗଲି ହାତୀ ଓ ଏସୀୟ ହାତୀ। ସର୍ବଶେଷ ଗଣନା ଅନୁସାରେ ପୃଥିବୀରେ ପ୍ରାୟ ୫ ଲକ୍ଷ ଆଫ୍ରିକୀୟ ହାତୀ ଅଛନ୍ତି। ୧୩ଟି ଦେଶ ଯଥା ଭାରତ, ବାଂଲାଦେଶ, ଭୁଟାନ, କାମ୍ବୋଡ଼ିଆ, ଚୀନ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମିଆଁମାର, ନେପାଳ, ଶ୍ରୀଲଙ୍କା, ଥାଇଲାଣ୍ଡ ଓ ଭିଏତ୍‌ନାମରେ ମାତ୍ର ୫୦ ହଜାର ଏସୀୟ ହାତୀ ଅଛନ୍ତି। ଭାରତରେ ଥିବା ହାତୀ ସଂଖ୍ୟା ପ୍ରାୟ ୨୭,୩୧୨। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ଓଡ଼ିଶା, ତାମିଲନାଡୁ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଏମାନଙ୍କର ପ୍ରମୁଖ ବାସସ୍ଥାନ। କର୍ଣ୍ଣାଟକରେ ସର୍ବାଧିକ ୬୦୪୯ଟି ହାତୀ ଥିବା ବେଳେ ଆସାମ ଓ କେରଳରେ ଯଥାକ୍ରମେ ୫୭୧୯ ଓ ୫୭୦୬ ହାତୀ ଥାଇ ଦ୍ୱିତୀୟ ଓ ତୃତୀୟ ହାତୀବହୁଳ ରାଜ୍ୟ ଭାବରେ ପରିଗଣିତ ହୋଇଥାନ୍ତି।
୨୦୧୭ର ଗଣନା ଅନୁସାରେ ଆମ ରାଜ୍ୟରେ ୧୯୭୬ଟି ହାତୀ ଥିଲେ। ବିଗତ କେତେକ ଚାରିବର୍ଷୀୟ ଗଣନା ଅନୁସାରେ ଓଡ଼ିଶାରେ ହାତୀ ସଂଖ୍ୟା ପାଖାପାଖି ୨୦୦୦ରେ ସ୍ଥିର ରହୁଛି। ଅନିବାର୍ଯ୍ୟ କାରଣକୁ ୨୦୨୧ ମସିହାରେ ହେବାକୁ ଥିବା ଗଣନା ଏ ପର୍ଯ୍ୟନ୍ତ ହୋଇନାହିଁ। ତେଣୁ ବର୍ତ୍ତମାନର ହାତୀ ସଂଖ୍ୟା ଅଜଣା।
ବିଡ଼ମ୍ବନାର ବିଷୟ ଯେ ଓଡ଼ିଶା ହାତୀ-ମଣିଷ ସଂଘର୍ଷର ରଣକ୍ଷେତ୍ର ପାଲଟିଛି। ସାଧାରଣ ଜନତା ଠାରୁ ଜଙ୍ଗଲ ବିଭାଗ ମୁଖ୍ୟ ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବିଗ୍ନ। ବିଗତ ୧୦ ବର୍ଷରେ ବିଭିନ୍ନ କାରଣରୁ ମୋଟ ୭୯୪ଟି ହାତୀର ପ୍ରାଣହାନୀ ଘଟିଥିବା ବେଳେ ହାତୀ ଆକ୍ରମଣରେ ୯୯୬ ଜଣ ମଣିଷ ମୃତ୍ୟୁବରଣ କରିଛନ୍ତି। ବିଦ୍ୟୁତ୍ ଆଘାତ, ବିଷ ପ୍ରୟୋଗ, ଶିକାର, ରେଳ ଧକ୍କା, ସଡ଼କ ଦୁର୍ଘଟଣା ଇତ୍ୟାଦି ହାତୀ ମୃତ୍ୟୁର ପ୍ରଧାନ କାରଣ ବୋଲି ଜଣାପଡ଼ିଛି। ଏହାର ମୂଳରେ ଅଛି କ୍ଷତିଗ୍ରସ୍ତ ଲୋକମାନଙ୍କର ପ୍ରତିଶୋଧାତ୍ମକ ମନୋଭାବ। ତିଷ୍ଠି ରହିବା ପାଇଁ ହାତୀ ନିଜର ଶାରୀରିକ ସାମର୍ଥ ଓ ଶକ୍ତି ଅହରହ ପ୍ରଦର୍ଶନ କରୁଥିବା ବେଳେ ମଣିଷ ନିଜର ବୁଦ୍ଧି ବଳରେ ହାତୀକୁ କବଳିତ କରି ନିଜର ଆଧିପତ୍ୟ ଜାହିର କରିବା ପାଇଁ ତତ୍ପର ହେଉଛି। ଏହି ସ୍ଥିତି ଘୋର ଉଦ୍‌ବେଗଜନକ।
ହାତୀ-ମଣିଷ ସଂଘର୍ଷ ଉପରେ ଅନେକ ବାଦାନୁବାଦ ଦେଖାଦେଉଛି। ଏ ନେଇ କେତେକ ଜନସ୍ୱାର୍ଥ ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଅଛି। ଏ ବିଷୟରେ ଆଲୋଚନା, ପର୍ଯ୍ୟାଲୋଚନା, ସାମାଲୋଚନା, ଆରୋପ ଓ ପ୍ରତ୍ୟାରୋପ ଲଗାତାର ହେଉଛି। କିନ୍ତୁ ଏହାର ସମୁଚିତ ଓ ସଫଳ ନିରାକରଣ ପାଇଁ ସମ୍ମିଳିତ ଉଦ୍ୟମର ଘୋର ଅଭାବ ଦେଖା ଦେଉଛି। ବାସ୍ତବରେ ଏହାର ସମାଧାନ ସମୟସାପେକ୍ଷ। ତେଣୁ ଜନସାଧାରଣ ସମସ୍ୟାକୁ ହୃଦୟଙ୍ଗମ କରିବା ଏକାନ୍ତ ଅପରିହାର୍ଯ୍ୟ।
ଭାରତ ସରକାର ରାଜ୍ୟୱାରି ଗଜଉତ୍ସବର ଆୟୋଜନ କରି ଜନସଚେତନତା ସୃଷ୍ଟି ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ହେବା ପାଇଁ ସ୍ଥିର ହୋଇଛି। ହାତୀ ସୁରକ୍ଷାରେ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସରକାର ‘ଗଜ ଗୌରବ’ ପୁରସ୍କାର ପ୍ରଚଳନ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଯୁଗ୍ମ କାର୍ଯ୍ୟଗୋଷ୍ଠୀ ଗଠନ କରି ଏକ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏହା ସ୍ୱଳ୍ପ ଓ ଦୀର୍ଘ ମିଆଦୀ ପନ୍ଥା ମାଧ୍ୟମରେ ଉଭୟ ହାତୀ ଓ ମଣିଷର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ଇତିମଧ୍ୟରେ ହାତୀ ଉପଦ୍ରବର ଉପଶମ ନିମନ୍ତେ ଏକର ପିଛା ଧାନ ଶସ୍ୟ ପାଇଁ ୨୦ ହଜାର ଟଙ୍କା, ଅର୍ଥକରୀ ଫସଲ ପାଇଁ ୨୫ ହଜାର ଟଙ୍କା ଓ ପ୍ରାଣହାନୀ ପାଇଁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଉଛି। ସମ୍ପୃକ୍ତ ସମସ୍ତ ପକ୍ଷ ସହଯୋଗ ପୂର୍ବକ କାମ କଲେ ବର୍ତ୍ତମାନର ସଙ୍ଗିନ ସ୍ଥିତିରୁ ମୁକୁଳି ଅତୀତର ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପରିବେଶ ସୃଷ୍ଟ ହୋଇପାରିବ।
ମୋ: ୯୪୩୭୦୮୦୨୩୩

ସମ୍ବନ୍ଧିତ ଖବର