ହିନ୍ଦୁ ଧର୍ମରେ ଉଦାରବାଦ

ଯୋଗେନ୍ଦ୍ର ଯାଦବ

ମହାନ ସମାଜବାଦୀ ନେତା ସ୍ବର୍ଗତ ରାମ ମନୋହର ଲୋହିଆ ତାଙ୍କର କାଳଜୟୀ ଲେଖା ‘ହିନ୍ଦୁ ବନାମ ହିନ୍ଦୁ’ରେ ଭାରତର ରାଜନୈତିକ ଭବିଷ୍ୟତ ଓ ହିନ୍ଦୁ ସମାଜର ଆଭ୍ୟନ୍ତରୀଣ ଦ୍ବନ୍ଦ୍ବ ମଧ୍ୟରେ ରହିଥିବା ସମ୍ପର୍କକୁ ଉଲ୍ଲେଖ କରିଥିଲେ। ଭାରତୀୟ ଗଣତନ୍ତ୍ରର ଦୀର୍ଘମିଆଦି ଭବିଷ୍ୟତ ବିଷୟରେ ବୁଝିଥିବା ଓ ଚିନ୍ତିତ ଥିବା ପ୍ରତ୍ୟେକ ନାଗରିକ ଜାନୁଆରି ୨୨ ପରେ ଲୋହିଆଙ୍କ କଥା ମନେ ରଖିବା ଉଚିତ। ଏହା ମଧ୍ୟ ଏଇଥି ପାଇଁ ଗୁରୁତ୍ବପୂର୍ଣ୍ଣ ଯେ ପ୍ରଧାନମନ୍ତ୍ରୀ ମୋଦୀ ବେଳେ ବେଳେ ଡକ୍ଟର ଲୋହିଆଙ୍କୁ ବହୁତ ଶ୍ରଦ୍ଧାରେ ମନେ ପକାଇଥା’ନ୍ତି।
ଲୋହିଆଙ୍କ ଅନୁଯାୟୀ, ଭାରତୀୟ ଇତିହାସରେ ସବୁଠୁ ବଡ଼ ଲଢ଼େଇ ହେଉଛି ହିନ୍ଦୁ ଧର୍ମର ଉଦାରବାଦୀ ଓ କଠୋରପନ୍ଥୀଙ୍କ ଭିତରେ ଥିବା ଲଢ଼େଇ, ଯାହା ପାଞ୍ଚ ହଜାର ବର୍ଷରୁ ଅଧିକ ସମୟ ଧରି ଚାଲି ଆସୁଛି। ତାଙ୍କ ବୁଝିବା ଅନୁଯାୟୀ, ଭାରତର ରାଜନୈତିକ ଇତିହାସକୁ ହିନ୍ଦୁ ଧର୍ମର ଏହି ଅନ୍ତର୍ଦ୍ବନ୍ଦ୍ବ ଚଷମା ଜରିଆରେ ଦେଖାଯାଇପାରିବ। ହିନ୍ଦୁ ଯେତେବେଳେ ଉଦାରବାଦୀ ହୋଇଥାଏ, ସେତେବେଳେ ଦେଶ ସ୍ଥିରତା ହାସଲ କରିଥାଏ ଏବଂ ତାହାର ଆଭ୍ୟନ୍ତରୀଣ ଓ ବାହ୍ୟଶକ୍ତିର ବିସ୍ତାର ହୋଇଥାଏ। ମାତ୍ର ଯେବେ ଯେବେ ଏକ କଠୋରପନ୍ଥୀ ଦଳ ଜିତିଥାଏ, ସେତେବେଳେ ଭାରତର ରାଷ୍ଟ୍ରଶକ୍ତି ଦୁର୍ବଳ ହୋଇପଡ଼େ, ଦେଶ ବିଭାଜିତ ହୋଇଯାଏ।
ଏଠାରେ ଲୋହିଆ ଉଦାରବାଦୀ ଓ କଠୋରପନ୍ଥୀ କହିବାର ଅର୍ଥ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଉଦାରତା ବା କଠୋରତା ନୁହେଁ। ଲୋହିଆ ଏହାର ଚାରିଟି ଦିଗକୁ ଉଲ୍ଲେଖ କରିଛନ୍ତି: ବର୍ଣ୍ଣ ଓ ଜାତି ଉପରେ ଆଧାରିତ ଭେଦଭାବ, ପୁରୁଷ ଓ ମହିଳା ମଧ୍ୟରେ ଅସମାନତା, ଜନ୍ମ ଆଧାରରେ ସମ୍ପତ୍ତି ଉପରେ ଅଧିକାରର ମାନ୍ୟତା ଏବଂ ଧର୍ମ ଭିତରେ ସହିଷ୍ଣୁତା। ଲୋହିଆଙ୍କ ଅନୁସାରେ, ହିନ୍ଦୁ-ମୁସଲମାନ ପ୍ରସଙ୍ଗରେ ଉଦାରତା ଅନ୍ୟ ତିନିଟି ଦିଗ ସହିତ ଜଡ଼ିତ। ଲୋହିଆଙ୍କ ଭାଷାରେ ‘ଉଦାରବାଦୀ ତଥା ମୌଳବାଦୀ ହିନ୍ଦୁମାନଙ୍କ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ବାହ୍ୟରୂପ ଆଜିକାଲି ମୁସଲମାନଙ୍କ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରାଯିବା ଉଚିତ, ତାହା ଉପରେ ପର୍ଯ୍ୟବସିତ। ମାତ୍ର କ୍ଷଣିକ ପାଇଁ ମଧ୍ୟ ଆମେ ଭୁଲିଯିବା ଉଚିତ ହେବ ନାହିଁ ଯେ, ଏହା କେବଳ ବାହ୍ୟରୂପ ଏବଂ ଅଦ୍ୟାବଧି ଅସମାହିତ ହୋଇ ରହିଥିବା ମୌଳବାଦ ଝଗଡ଼ା ହେଉଛି ଅଧିକ ନିର୍ଣ୍ଣାୟକ।’ ଏହାର ଅର୍ଥ ହେଉଛି, ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଯାହା ଲଢ଼େଇ ଭାବରେ ପ୍ରତୀତ ହୋଇ ଆସିଛି, ତାହା ମୂଳରେ ହିନ୍ଦୁ ବନାମ ହିନ୍ଦୁଙ୍କ ବିବାଦ ରହିଛି।
ଏହି ପ୍ରବନ୍ଧରେ ଲୋହିଆ ସମଗ୍ର ଭାରତୀୟ ଇତିହାସକୁ ବ୍ୟାଖ୍ୟା କରିନାହାନ୍ତି। ସେଥିପାଇଁ ଆମକୁ ଇତିହାସର ଚକ୍ର ବାବଦରେ ତାଙ୍କ ଅବଧାରଣାକୁ ଦେଖିବାକୁ ପଡ଼ିବ। କିନ୍ତୁ ଆଧୁନିକ ଯୁଗର ବ୍ୟାଖ୍ୟା କଲା ବେଳେ ଲୋହିଆ ମନେ ପକାଇ ଦେଇଛନ୍ତି ଯେ ଆମ ସମୟରେ ଯଦି କେହି ହିନ୍ଦୁ ହୋଇଥା’ନ୍ତି, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ତେଣୁ କଠୋରପନ୍ଥୀ ହିନ୍ଦୁମାନେ ଗାନ୍ଧୀଙ୍କୁ ହିଁ ସବୁଠୁ ବଡ଼ ବିପଦ ଭାବେ ବିବେଚନା କରୁଥିଲେ। ଲୋହିଆଙ୍କ ମତରେ, ଗାନ୍ଧୀଜୀଙ୍କ ହତ୍ୟା ଥିଲା ଉଦାରବାଦୀ ଓ ମୌଳବାଦୀ ହିନ୍ଦୁମାନଙ୍କ ମଧ୍ୟରେ ଚାଲିଥିବା ଐତିହାସିକ ବିବାଦର ଏକ ମୋଡ଼।

ଲୋହିଆଙ୍କ ଇତିହାସ ଦୃଷ୍ଟିରୁ ଜାନୁଆରି ୨୨ର ଆୟୋଜନ ନିଃସନ୍ଦେହରେ ଉଦାରବାଦୀ ହିନ୍ଦୁଙ୍କ ଉପରେ କଠୋରପନ୍ଥୀ ହିନ୍ଦୁଙ୍କ ବିଜୟକୁ ବୁଝାଉଛି। ଏଭଳି ପରିସ୍ଥିତିରେ ଲୋହିଆଙ୍କ ପରି ଜଣେ ଐତିହାସିକଙ୍କ ଚେତାବନୀକୁ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତ ପରି ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବୁଝୁଥିବା ଓ ବଜାୟ ରଖିବାକୁ ଚାହୁଁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଦାରବାଦୀ ହିନ୍ଦୁ ଧର୍ମକୁ ରକ୍ଷା କରିବା ଆଜି ସବୁଠୁ ବଡ଼ ଆହ୍ବାନ ରୂପେ ଉଭା ହୋଇଛି।

ଆମ ସମୟରେ ‘ଉଦାରବାଦୀ ଓ କଠୋରପନ୍ଥୀ ହିନ୍ଦୁମାନଙ୍କ ମଧ୍ୟରେ ଲଢ଼େଇ ହିନ୍ଦୁ ଧର୍ମରେ ସବୁଠୁ ଜଟିଳ ଲଢ଼େଇ ହୋଇ ଉଭା ହୋଇଛି ଏବଂ ସମ୍ଭବତଃ ଏହାର ଅନ୍ତ ମଧ୍ୟ ଖୁବ୍‌ ଶୀଘ୍ର ଘଟିବ। କଠୋରପନ୍ଥୀ ହିନ୍ଦୁମାନେ ଯଦି ସଫଳ ହୁଅନ୍ତି, ତେବେ ସେମାନଙ୍କ ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି, ଭାରତୀୟ ରାଜ୍ୟଗୁଡ଼ିକ ଖଣ୍ଡ ଖଣ୍ଡ ହୋଇଯିବ, ତାହା ପୁଣି କେବଳ ହିନ୍ଦୁ-ମୁସଲମାନ ଦୃଷ୍ଟିକୋଣରୁ ନୁହେଁ, ବରଂ ଜାତି ଏବଂ ରାଜ୍ୟ ଦୃଷ୍ଟିକୋଣରୁ ମଧ୍ୟ।’ ଅର୍ଥାତ୍‌ ଯଦି ଭାରତର ଏକତା ଓ ଅଖଣ୍ଡତା ପ୍ରତି କୌଣସି ବଡ଼ ବିପଦ ରହିଛି, ତେବେ ତାହା ହିନ୍ଦୁ ମୌଳବାଦୀଙ୍କ ଯୋଗୁଁ। ସେମାନଙ୍କ ବୁଝାମଣା ଓ ଉଦ୍ଦେଶ୍ୟ ଯାହା ବି ହେଉ, ସେମାନେ ସଚ୍ଚୋଟତାର ସହ ନିଜ ଦୃଷ୍ଟିରେ ଦେଶକୁ ମଜଭୁତ କରିପାରନ୍ତି, ଦେଖିଥାଇ ପାରନ୍ତି, ମାତ୍ର ତାହାର ଫଳାଫଳ ଦେଶର ଏକତାକୁ ଭାଙ୍ଗିଦେବ।
ତାଙ୍କ କଥା ବୁଝିବାରେ ସନ୍ଦେହର ସ୍ଥାନ ନ ଛାଡ଼ିବା ପାଇଁ ସେ ସ୍ପଷ୍ଟ ଭାବରେ କହିଛନ୍ତି, ‘କେବଳ ଉଦାରବାଦୀ ହିନ୍ଦୁମାନେ ରାଷ୍ଟ୍ର ପ୍ରତିଷ୍ଠା କରିପାରିବେ। ତେଣୁ ପାଞ୍ଚ ହଜାର ବର୍ଷରୁ ଅଧିକ ଅବଧିର ଲଢ଼େଇ ସମ୍ପ୍ରତି ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ଏକ ରାଜନୈତିକ ସମୁଦାୟ ଏବଂ ରାଷ୍ଟ୍ର ରୂପରେ ହିନ୍ଦୁସ୍ଥାନର ଜନତାମାନଙ୍କର ସ୍ଥିତି ହିନ୍ଦୁଧର୍ମର ମୌଳବାଦୀଙ୍କ ବିରୋଧରେ ଉଦାରବାଦୀଙ୍କ ବିଜୟ ଉପରେ ନିର୍ଭର କରୁଛି।’
ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଅବସରରେ ସାରା ଦେଶରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ଏହି ପ୍ରସଙ୍ଗରେ ଦେଖାଯିବା ଉଚିତ। ଏହା ନିଃସନ୍ଦେହ ଯେ, ତାହା କୋଟି କୋଟି ଆସ୍ଥାବାନ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣର ଏକ ବିଶେଷ ପର୍ବ ଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କ ମନରେ କୌଣସି କଠୋରବାଦ ରହିନଥିବ। ମାତ୍ର ଏହାର ଆୟୋଜକ ଓ ପ୍ରାୟୋଜକମାନେ ଏହାର ରାଜନୈତିକ ପ୍ରଭାବକୁ ସନ୍ଦେହ କରିବା ପାଇଁ କୌଣସି ଅବସର ଛାଡ଼ିନାହାନ୍ତି। ଆମକୁ କୁହାଯାଉଛି କି, ଏହା ହେଉଛି ହିନ୍ଦୁମାନଙ୍କର ଶତାବ୍ଦୀ ଶତାବ୍ଦୀ ଧରି ହଜିଯାଇଥିବା ଅସ୍ତିତ୍ବକୁ ହାସଲ କରିବାର ଉତ୍ସବ। କୁହାଯାଉଛି କି, ହଜାରେ ବର୍ଷର ଦାସତ୍ବରୁ ମୁକ୍ତ ହେବା ପରେ ହିନ୍ଦୁମାନେ ବର୍ତ୍ତମାନ ଏକ ଶକ୍ତିଶାଳୀ ସମ୍ପ୍ରଦାୟ ଭାବରେ ଉଭା ହୋଇଛନ୍ତି। ଏହାକୁ ଏକ ନୂତନ ଜାତୀୟ ଆତ୍ମାର ଉତ୍‌ଥାନ ବୋଲି ଉପସ୍ଥାପନ କରାଯାଉଛି।
ଏହି ଦାବିଗୁଡ଼ିକର ସତ୍ୟତା ଯାଞ୍ଚ କରିବାର କୌଣସି ସୁଯୋଗ ନାହିଁ। ଏହି ବିଜୟ ବାସ୍ତବ କି ନୁହେଁ, ତାହା କେବଳ ଇତିହାସ ହିଁ ବତାଇବ। ପ୍ରଥମ ନଜରରେ ତ ଏହା ହିନ୍ଦୁ ଧର୍ମକୁ ଏକ ବିଦେଶୀ ‘ରିଲିଜନ୍‌’ର ରୂପରେଖରେ ପରିଣତ କରିବାର ପ୍ରୟାସ ପରି ମନେ ହୁଏ; ଧର୍ମର ବିଜୟ ପରିବର୍ତ୍ତେ ଏହା ଧର୍ମ ଉପରେ କ୍ଷମତାର ବିଜୟ ପରି ପ୍ରତୀତ ହେଉଛି। ସେ ଯାହା ବି ହେଉ, ଏହା ସ୍ପଷ୍ଟ ଯେ, ସହିଷ୍ଣୁତା ସହିତ ଏହି ବିଜୟ ସ୍ଲୋଗାନର କୌଣସି ସମ୍ପର୍କ ରହିପାରିବ ନାହିଁ। ଟିକେ ଭଲ ଭାବରେ ଦେଖିଲେ, ଏହି ବିଜୟ ଉତ୍ସବରେ ପୁରୁଷତ୍ବ, ବ୍ରାହ୍ମଣବାଦୀ ଆଧିପତ୍ୟ ଓ ପୁଞ୍ଜିର ଉପସ୍ଥିତି ଲୁକ୍କାୟିତ ନୁହେଁ। ଲୋହିଆଙ୍କ ଇତିହାସ ଦୃଷ୍ଟିରୁ ଜାନୁଆରି ୨୨ର ଆୟୋଜନ ନିଃସନ୍ଦେହରେ ଉଦାରବାଦୀ ହିନ୍ଦୁଙ୍କ ଉପରେ କଠୋରପନ୍ଥୀ ହିନ୍ଦୁଙ୍କ ବିଜୟକୁ ବୁଝାଉଛି। ଏଭଳି ପରିସ୍ଥିତିରେ ଲୋହିଆଙ୍କ ପରି ଜଣେ ଐତିହାସିକଙ୍କ ଚେତାବନୀକୁ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତ ପରି ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ବୁଝୁଥିବା ଓ ବଜାୟ ରଖିବାକୁ ଚାହୁଁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଦାରବାଦୀ ହିନ୍ଦୁ ଧର୍ମକୁ ରକ୍ଷା କରିବା ଆଜି ସବୁଠୁ ବଡ଼ ଆହ୍ବାନ ରୂପେ ଉଭା ହୋଇଛି।
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ

ସମ୍ବନ୍ଧିତ ଖବର