କମେଡି ଅଫ୍‌ ଏରର୍ସ

ସଞ୍ଜୟ ଲୀଲା ବଂଶାଲୀଙ୍କ ‘ପଦ୍ମାବତୀ’କୁ ନେଇ ବିବାଦ ହେବାଫଳରେ ସେ ଫିଲ୍ମଟି ମୂଳ ଯୋଜନା ମୁତାବକ ରିଲିଜ୍‌ ହୋଇ ପାରିନାହିଁ। ଏହି ସୁଯୋଗରେ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌ କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗୀ’ ଏଇ ୧ ତାରିଖରେ ରିଲିଜ୍‌ ହୋଇଛି। ଉଲ୍ଳେଖନୀୟ କଥା ହେଉଛି, ‘ଫିରଙ୍ଗୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହିତ କପିଲ୍‌ ଏହାର ପ୍ରଯୋଜକ ମଧ୍ୟ। ଫିଲ୍ମଟି ତାଙ୍କ ବ୍ୟାନର୍‌ କେ୯ ଫିଲ୍ମସ୍‌ ବ୍ୟାନର୍‌ରେ ତିଆରି ହୋଇଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାଜିବ ଧିଙ୍ଗ୍ରା। ଆପଣ ଜାଣି ନ ଥିବେ, ରାଜିବ ହେଉଛନ୍ତି କପିଲ୍‌ଙ୍କର ପିଲାଦିନର ସାଙ୍ଗ। ଏ ଫିଲ୍ମରେ କପିଲ୍‌ଙ୍କ ସହିତ ଅଭିନୟ କରିଛନ୍ତି ଈଷିତା ଦତ୍ତା, ମୋନିକା ଗିଲ୍‌ ଓ ଇନାମୁଲ୍‌ ହକ୍‌ ପ୍ରମୁଖ। ଫିଲ୍ମରେ ବ୍ୟାଖ୍ୟାକାର ବା ସୂତ୍ରଧର ରୂପେ ଅମିତାଭ ବଚ୍ଚନ ନିଜର ସ୍ୱର ଦେଇଛନ୍ତି।
‘ଫିରଙ୍ଗୀ’ରେ ଅଛି ଇଂରେଜ ଶାସନ ସମୟର ଏକ ପ୍ରେମ କାହାଣୀ। ତେବେ ଏଥିରେ ଇଂରେଜ ଶାସନ ସମୟକୁ ନେଇ ତିଆରି ହେଉଥିବା ବଲିଉଡ୍‌ ଫିଲ୍ମଗୁଡ଼ିକ ଭଳି ଶୋଷଣ, ଯନ୍ତ୍ରଣା ଓ ଦଙ୍ଗା ହଙ୍ଗାମାର ଚିତ୍ର ନାହିଁ। ଫିଲ୍ମରେ କପିଲ୍‌ ଜଣେ ବେକାର ଯୁବକ ମାଙ୍ଗା ଭୂମିକାରେ ଅଛନ୍ତି। ମାଙ୍ଗା ଜଣେ ଝିଅକୁ ପସନ୍ଦ କରୁଛି ଓ ତା’ ଘରକୁ ବାହାଘର ପ୍ରସ୍ତାବ ପଠାଇଛି। କିନ୍ତୁ କିଛି ରୋଜଗାର କରୁ ନ ଥିବା ଜଣେ ଯୁବକ ହାତରେ ନିଜ ଝିଅକୁ ଦେବାଲାଗି ତା’ ପରିବାରର ଲୋକେ ରାଜି ହୋଇ ନାହାନ୍ତି। ତା’ପରେ ମାଙ୍ଗା ହତାଶ ହୋଇ ଚାକିରି ଖୋଜିଛି। ମାଙ୍ଗା ଭାଗ୍ୟକୁ ଇଂରେଜ ସେନାରେ ଚାକିରି ପାଇ ଯାଇଛି। ତା’ପରେ ଝିଅର ଘରକୁ ଯାଇଛି। କିନ୍ତୁ ଏଥର ଝିଅର ପରିବାର ଲୋକେ ତା’କୁ ଆହୁରି ନାପସନ୍ଦ କରିଛନ୍ତି। କାରଣ ସେମାନେ ସମସ୍ତେ ଗାନ୍ଧିବାଦୀ ଏବଂ ମାଙ୍ଗା ଇଂରେଜମାନଙ୍କ ସେନାରେ କାମ କରୁଛି। ସେମାନେ କହିଛନ୍ତି- ଇଂରେଜଙ୍କ ସେନାରେ ଚାକିରି କରିବାଠୁ ବରଂ ବେକାର ହେଇ ବୁଲିବା ଭଲ! ଏବେ ମାଙ୍ଗା କରେ କ’ଣ…? ଫିଲ୍ମର କାହାଣୀ ଏତିକି ଥାଉ। ଆପଣ ନିଜେ ଦେଖିଲେ, ବାକି କଥା ଜାଣିବେ। ‘ଫିରଙ୍ଗୀ’କୁ ଏକ କମେଡି ଅଫ୍‌ ଏରର୍ସ କୁହା ଯାଇପାରେ। ଏବେ କମେଡି ଫିଲ୍ମକୁ ତ ସବୁ ବୟସ ଓ ଶ୍ରେଣୀର ଦର୍ଶକ ପସନ୍ଦ କରୁଛନ୍ତି, ପୁଣି କପିଲ୍‌ଙ୍କର ଲୋକପ୍ରିୟତା ବି ବହୁତ। ତେଣୁ ‘ଫିରଙ୍ଗୀ’ର ସଫଳତାକୁ ନେଇ ବିଶେଷ ସନ୍ଦେହ ରହିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର