ଓଡ଼ିଶାରେ ସର୍ବାଧିକ କରୋନା ଆଲବମ୍

ଚନ୍ଦ୍ରଶେଖରପୁର : ମହାମାରୀ କରୋନାକୁ ନେଇ ରାଜ୍ୟରେ ଅନେକଗୁଡ଼ିଏ ଭଜନ ଓ ଆଲବମ୍ ପ୍ରସ୍ତୁତି ହୋଇଛି। ଆଉ କିଛି ବି ନିର୍ମାଣାଧୀନ ରହିଛି। କରୋନା ବିଷୟବସ୍ତୁକୁ ନେଇ ଗତ ଦେଢ଼ମାସ ମଧ୍ୟରେ ୧୦ରୁ ଅଧିକ ଭଜନ ଓ ଆଧୁନିକ ଆଲବମ୍ ନିର୍ମିତ ହୋଇଛି। ସେଥିମଧ୍ୟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ‘ଝିଅ ନୁହେଁତୁ, କରୋନା ଭାଇରସ୍.. ଗୀତକୁ ନେଇ ବିବାଦ ଦେଖାଯାଇଥିଲା। ମାତ୍ର ସେହି ବିବାଦ ପରେ ବି ଓଡ଼ିଶାରେ ଆହୁରି ଅନେକ ଗୀତ ପ୍ରସ୍ତୁତ କରାଯାଇଛି। ହେଲେ ସେ ସବୁରେ ଶାଳୀନତାକୁ ଅଧିକ ଗୁରୁତ୍ବ ଦିଆଯାଇଛି।

କେତେକ ଘରୋଇ ଚ୍ୟାନେଲ୍ ପକ୍ଷରୁ କରୋନା ଯୋଦ୍ଧା କୁହାଯାଉଥିବା ପୁଲିସ୍, ଡାକ୍ତର, ସ୍ବାସ୍ଥକର୍ମୀ ଓ ସଫେଇକର୍ମଚାରୀଙ୍କୁ ନେଇ ବିଭିନ୍ନ ଆଲବମ୍ ପ୍ରସ୍ତୁତ ହୋଇଛି। ଭୁବନେଶ୍ବର କମିସନରେଟ୍ ପୁଲିସ୍ ଜନ ସଚେତନତା ପାଇଁ ନିଜଆଡ଼ୁ ପ୍ରସ୍ତୁତ କରିଛି କରୋନା ଆଲବମ୍। ଯେଉଁଥିରେ କରୋନାର କଡ଼ା ମୁକାବୁଲା କରିବା ପାଇଁ ଡାକ୍ତର ଓ ପୁଲିସ୍‌ମାନେ ଅହରହ କାମକରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜଧାନୀର ପୃଥକ ପୃଥକ ୬ଟି ଜୋନର ପୁଲିସ୍ କାର୍ଯ୍ୟାଳୟକୁ ନେଇ ପ୍ରସ୍ତୁତ କରାଯାଇଛି ସ୍ବତନ୍ତ୍ର ଆଲବମ୍। କିଛି ଡାକ୍ତର ଓ ପୁଲିସଙ୍କ ବ୍ୟକ୍ତିଗତ ତଥା ପାରିବାରିକ ସମସ୍ୟାକୁ ଏହି ଆଲବମ୍‌ରେ ଉପସ୍ଥାପନ କରାଯାଇଛି। ସେହିଭଳି କିଛି କୋଭିଡ଼୍ ହସ୍ପିଟାଲ୍ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଆଲବମ୍ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ସଚେତନତା କରାଯାଉଛି।

News India

ମହାମାରୀ କରୋନାକୁ ନେଇ ଆଲବମ୍ ଓ ଭଜନ ଗୀତ ପ୍ରସ୍ତୁତ କରିବାରେ ଓଡ଼ିଶା ସବୁଠାରୁ ଆଗରେ ରହିଛି। ସୋସିଆଲ୍ ମିଡିଆ ରେଟିଂରୁ ପ୍ରମାଣିତ ହୋଇଛି ଯେ ଅନ୍ୟ ସବୁ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଲକଡାଉନ୍ ମଧ୍ୟରେ କରେନାକୁ ନେଇ ସର୍ବାଧିକ ଆଲବମ୍ ପ୍ରସ୍ତୁତ କରାଯାଇ ସାରିଲାଣି। କିଛି ଘରୋଇ ମନୋରଂଜନ ଚ୍ୟାନେଲ୍ ମଧ୍ୟ କରେନା ଯୋଦ୍ଧା ତାଲିକାରେ ପୁଲିସ୍‌, ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀଙ୍କ ସହ ସାମ୍ବାଦିକମାନଙ୍କ ଭୂମିକାକୁ ଚିତ୍ରିତ କରି ‘ଜିତିବ ଓଡ଼ିଶା.. ପୁଣି ହସିବ ଓଡ଼ିଶା.. ଆଲବମ୍ ପ୍ରସ୍ତୁତ କରିଛନ୍ତି। କରୋନା ଭଜନ ଆଲବମ୍‌ଗୁଡ଼ିକ ମଧ୍ୟରୁ ଏସ୍.ଚନ୍ଦ୍ରକାନ୍ତଙ୍କ ସଂଗୀତରେ ବୁବୁନ କୁମାର କଣ୍ଠଦାନ କରିଥିବା ଭଜନ ‘କରୋନା ଦାଉରୁ ରଖ ଜଗନ୍ନାଥ..’ ଓ ସିଦ୍ଧାର୍ଥ ମ୍ୟୁଜିକ୍ ପ୍ରସ୍ତୁତ ଶ୍ରୀଚରଣଙ୍କ କଣ୍ଠରେ ‘ଘୋର ବିପଦ ଆଜି ଗ୍ରାସିଲା, କରୋନା ମରଣ ଆସିଲା.. ଆଲବମ୍ ସର୍ବାଧିକ ପ୍ରଶଂସା ପାଇଛି। ସେହିଭଳି ଆଧୁନିକ ଆଲବମ୍‌ ମଧ୍ୟରେ ପ୍ରଦ୍ୟୁମ୍ନ ନାୟକଙ୍କ ସଂଗୀତରେ ପପୁ ପମ୍‌ପମ୍‌ଙ୍କ କଣ୍ଠରେ ‘କୋଉଠି ସାଇତି ରଖିଥିଲା ଏ ଚାଇନା ଭାଇରସ୍… କରୋନା ମା’ର ଡାଲାରେ ଆଲବମ୍ ମଧ୍ୟ ପ୍ରଶଂସା ସାଉଁଟିଛି।

ସମ୍ବନ୍ଧିତ ଖବର