ମିଠା..ନାମକୁ ମାତ୍ର ମିଳୁଛି, କମ୍ ଦୋକାନ ଖୋଲୁଛି, ଭିଡ଼ ଜମୁଛି

ଅଧିକ ଦୋକାନ ଖୋଲିପାରୁନି, ପାହାଳ ମିଠା ବଜ‌ାର ଏବେ ନୁହେଁ

ଭୁବନେଶ୍ବର : ମିଠା…। ଭାରତୀୟ ଓ ଓଡ଼ିଆଙ୍କ ଅତି ପ୍ରିୟ ଓ ସେମାନଙ୍କ ଖ‌ାଦ୍ୟ ସାରଣୀର ଏକ ଗୁରୁତ୍ବପୂର୍ଣ୍ଣ ଆଇଟମ୍‌। କିନ୍ତୁ ପ୍ରାୟ ୪୦ ଦିନର ଲକ୍‌ଡାଉନ୍‌ରେ ମିଠାର ସ୍ବାଦ ଯେମିତି ଭୁଲିଯାଇଥିଲେ ରାଜଧାନୀବାସୀ। କିଛି କିଛି ଲୋକ ନିଜ ମିଠାର କ୍ଷୁଧା ମେଣ୍ଟାଇବାକୁ ୟୁ-ଟ୍ୟୁବ୍‌ ଦେଖି ନିଜେ ନିଜେ ଘରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି। ରାସନ୍‌ ଦୋକାନରୁ ଗୋଲାପଜାମ୍ ପାଉଡର୍‌ର ଅଧିକା ବିକ୍ରି ହୋଇଥିବାର ମଧ୍ୟ ଖବର ରହିଛି। କିନ୍ତୁ ଏବେ ସରକାର ମିଠା ଦୋକାନ ଖୋଲିପାରିବ ବୋଲି ନିର୍ଦ୍ଦେଶ ଦେବା ପରେ ମିଠା ପ୍ରେମୀଙ୍କ ମନରେ ହସ ଫୁଟିଛି।

କିନ୍ତୁ ଏ ନିଷ୍ପତ୍ତି ନେଇ ମିଠା ବ୍ୟବସାୟୀମାନେ ଏତେ ଖୁସି ନ ଥିବା ଦେଖାଯାଉଛି। ରାଜଧାନୀରେ କିଛି ଦୋକାନ ଖୋଲି ଥିବାରୁ ‌ସେ ସବୁରେ ମିଠାର ଚାହିଦ‌ା ବେଶ୍‌ ରହିଛି। ଅନ୍ୟ ପଟେ ମିଠା ପ୍ରସ୍ତୁତିରେ ନାନା ଅସୁବିଧା ଓ ଗ୍ରାହକଙ୍କ ଅଭାବ ମିଠା ବ୍ୟବସାୟରେ ବେଡ଼ି ବାନ୍ଧିଦେଇଛି। ଭୁବନେଶ୍ବର ମିଠା ବ୍ୟବସାୟର ଏକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଓଡ଼ିଶା ପ୍ରସିଦ୍ଧ ପାହାଳ ରସଗୋଲା ମିଠା ଷ୍ଟଲ କିନ୍ତୁ ବନ୍ଦ ରହିଛି।

ଓଡ଼ିଶାରେ ପ୍ରତିବର୍ଷ ୩୫୦୦ କୋଟି ଟଙ୍କାର ମିଠା କାରବାର ହୁଏ। ଅର୍ଥାତ ମାସକୁ ପାଖାପାଖି ୩୦୦ କୋଟି ଟଙ୍କାର ବ୍ୟବସାୟ। କିନ୍ତୁ ଲକ୍‌ଡାଉନ୍‌ ସ‌ାରା ଓଡ଼ିଶାର ମିଠା ବ୍ୟବସ‌ାୟ ଉପରେ ଜୋର୍‌ରେ ପ୍ରହାର ପକାଇଛି। ମାସକୁ ପ୍ରାୟ ୩୦୦ କୋଟି ଟଙ୍କା‌ର ବ୍ୟବସାୟ ଠପ୍‌ ହୋଇଯିବା ଦ୍ବାରା ବିପୁଳ କ୍ଷତିରେ ପଡ଼ିଛନ୍ତି ମିଠା ବ୍ୟବସାୟୀ ଓ ପ୍ରଭାବିତ ହୋଇଛନ୍ତି ଏହାସହ ଜଡ଼ିତ କ୍ଷୀର ଚାଷୀଙ୍କ ଜୀବନ ଜୀବିକା। ସରକାର ଏବେ ମିଠା ଦୋକାନ ଖୋଲିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମିଠା ଦୋକାନ ଖୋଲିବା ଏବେ ସମ୍ଭବ ହେଉନି। କାରଣ ଆବଶ୍ୟକ ମାନବ ସମ୍ବଳର ଅଭାବ, ଦୁଗ୍ଧ ଚାଷୀମାନେ ଆସି ଦୁଗ୍ଧ/ଛେନା ଯୋଗାଇ ନ ପାରିବା ଏବଂ ସରକାରଙ୍କ ନିର୍ଦ୍ଦେଶନାମାରେ ବାରମ୍ବାର ପରିବର୍ତ୍ତନ ବୋଲି କୁହାଯାଉଛି।

ଉତ୍କଳ ମିଠା ବ୍ୟବସାୟୀ ସଂଘର ରାଜ୍ୟ ସଭାପତି ବିମ୍ବାଧର ବେହେରା କହିଛନ୍ତି, କେବଳ ଭୁବନେଶ୍ବରରେ ପ୍ରାୟ ୧୨୨୦ଟି ମିଠା ଦେକାନ ରହିଛି। ସରକାରଙ୍କ କୋହଳ ନିୟମ ସତ୍ତ୍ବେ ଏବେ ମିଠା ଦୋକାନ ଖୋଲିବା ସମ୍ଭବ ନୁହେଁ। ଲକ୍‌ଡାଉନ୍‌ କାରଣରୁ ସମସ୍ତ ମିଠା କାରିଗର ଓ ମିସ୍ତ୍ରି ଘରକୁ ପଳାଇଛନ୍ତି। ପୁଣି ଛେନା ଓ ଦୁଗ୍ଧଜାତ ଦ୍ରବ୍ୟ ଆମଦାନୀରେ ଏବେ ନାନା ଅସୁବିଧା ରହିଛି। ଅନ୍ୟପଟେ ସରକାର ବାରମ୍ବାର ନିୟମ ବଦଳାଉଛନ୍ତି। ଗତ ଦୁଇ ଦିନ ତଳେ ଅରେଞ୍ଜ ଜୋନ୍‌ ଥିବା ଭୁବନେଶ୍ବର ପୁଣି ରେଡ୍‌ ଜୋନ୍‌ ଭାବେ ଘୋଷିତ ହୋଇଛି। ଏଭଳି ଦ୍ବନ୍ଦ୍ବ ଯୋଗୁଁ ଦୋକାନ ଖୋଲିବାରେ ନାନା ଅସୁବିଧା ଉପୁଜୁଛି। ସବୁଠାରୁ ବଡ଼ ସମସ୍ୟା ହେଉଛି ଗ୍ରାହକଙ୍କ ଅଭାବ। ଆମେ କିଛି ଦୋକାନ ଖୋଲି ଦେଖିଛୁ ଯେ ପୂର୍ବ କାରବାର ଠାରୁ ବର୍ତ୍ତମାନ ୯୦% କାରବାର କମିଯାଇଛି। ଅର୍ଥାତ୍‌ ଏବେ ମିଠା ଦୋକାନ ଖୋଲିଲେ ୧୨ରୁ ୧୫% ହିଁ କାରବାର ହେବ। ଫଳରେ ଘୋଡ଼ା ୬ ଟଙ୍କାକୁ ଦାନା ନ’ ଟଙ୍କା ଭଳି ପରିସ୍ଥିତି ହେବ। ସାଧାରଣତଃ ବିବାହ, ବିଭିନ୍ନ ଧାର୍ମିକ ସମାରୋହ ଓ ପୂଜାପାର୍ବଣରେ ମିଠା କାରବାର ଅଧିକ ହୋଇଥାଏ। ଏବେ ସେ ସବୁ ବି ବନ୍ଦ ରହିଛି। ପୁଣି ଏବେ ସରକାର ନିୟମ କଲେଣି ଯେ, ସଂଧ୍ୟା ୭ଟାରୁ ସକାଳ ୭ଟା ଦୋକାନ ଖୋଲାଯିବ ନାହିଁ। ଭୁବନେଶ୍ବରର ବଜାର ସାଧାରଣତଃ ସଂଧ୍ୟାର ବଜାର। ସଂଧ୍ୟାରେ ହିଁ କିଣାବିକା ଅଧିକା ହୁଏ। ଏମିତି ଅନେକ କାରଣ ରହିଛି ଦୋକାନ ନ ଖୋଲିବାର ବୋଲି ଶ୍ରୀ ବେହେରା କହିଛନ୍ତି।

ଅନ୍ୟପଟେ ପାହାଳର ମିଠା ହବ୍‌ ବି ବନ୍ଦ ରହିଛି। ୮୦ଟି ଦୋକାନକୁ ନେଇ ଏଇ ହବ୍‌ ଲକ୍‌ଡାଉନ୍‌ ପରଠାରୁ ବନ୍ଦ ଅଛି ଯେ ଏଯାଏଁ ଖୋଲିନି କି ନିକଟ ଭବିଷ୍ୟତରେ ବି ଖୋଲିବାର ସମ୍ଭାବନା ନାହିଁ। ପାହାଳ ରସଗୋଲା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତିର ସଭାପତି ଅକ୍ଷୟ କୁମାର ଲେଙ୍କା କହିଛନ୍ତି, ଜାତୀୟ ରାଜପଥ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ପାହାଳର ମିଠା ଦୋକାନ ଖୋଲିବ ନାହିଁ। ସ୍ଥାନୀୟ ଜନତାକୁ ନୁହେଁ, ଜାତୀୟ ରାଜପଥରେ ଯାଉଥିବା ଲୋକମାନଙ୍କୁ ନେଇ ଆମ ବ୍ୟବସାୟ। ଗୋଟିଏ ପଟେ ରାସ୍ତାରେ ଯା’ ଆସ ଉପରେ କଟକଣା ଲାଗିଥିବାରୁ ଗ୍ରାହକଙ୍କ ଅଭାବ ଏବଂ ଅନ୍ୟପଟେ କରୋନା ଭୟ ଯୋଗୁଁ ‌ଦୋକାନ ଖୋଲି ପାରୁନି ବୋଲି ସେ କହିଛନ୍ତି। ରାସ୍ତାରେ ଯାଉଥିବା ସମସ୍ତ ଗ୍ରାହକଙ୍କୁ ସାନିଟାଇଜ୍‌ କରିବା ସମ୍ଭବ ନୁହେଁ। ଏଣୁ ବ୍ୟବସାୟୀ ଓ ଗ୍ରାହକଙ୍କ ହିତ ପାଇଁ ଦୋକାନ ବନ୍ଦ ରହିଛି। ସବୁ ସ୍ବାଭାବିକ ହେବା ପରେ ହିଁ ଏସବୁ ଖୋଲିବାର ଆଶା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର