ଦୁଇ ଥର ସମନ ପାଇ ଗଲେନି ଜାକଲିନ୍, ଇଓଡବ୍ଲୁ ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ: ୨୧୫ କ‌ୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଅଭିଯୁକ୍ତ କରିଛି। ଏନେଇ ପଚରାଉଚରା କରିବାକୁ ୨ଥର ଜାକ୍‌ଲିନଙ୍କୁ ସମନ ପଠାଯାଇଥିବା ବେଳେ ସେ ହାଜର ହୋଇନଥିବା ଜଣାପଡ଼ିଛି। ୨ଥର ସମନ ପଠାଇବା ପରେ ଏବେ ତୃତୀୟ ଥର ଜାକଲିନଙ୍କୁ ସମନ ପଠାଇ ବୁଧବାର ହାଜର ହେବାକୁ କହିଛି ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ୱିଙ୍ଗ (ଇଓଡବ୍ଲୁ)।

ଜାକଲିନଙ୍କୁ ପ୍ରଥମେ ଅଗଷ୍ଟ ୨୯ରେ ଏବଂ ପରେ ସେପ୍ଟେମ୍ବର ୧୨ରେ ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ଅଧିକ କାମ ଥିବା କହି ଜାକଲିନ ଇଓଡବ୍ଲୁ କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏବେ ତାଙ୍କୁ ଆଉ ଏକ ନୂଆ ସମନ ଜାରି କରାଯାଇଛି। ତେବେ ଦିଲ୍ଲୀ ପୁଲିସ କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ତିହାର ଜେଲ ଭିତରୁ ଚାଲିଆସୁଥିବା ବଟି ଆଦାୟ ରାକେଟ ସମ୍ପର୍କରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ସମନ ଜାରି ହୋଇଥିଲେ ବି ସେ ହାଜର ହୋଇନାହାନ୍ତି। ଏହି ମାମଲାରେ ଇଓଡବ୍ଲୁ କିଛି ଦିନ ପୂର୍ବରୁ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ଘଣ୍ଟା ପଚରାଉଚରା କରିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବଟି ଆଦାୟ ଅର୍ଥରେ ସୁକେଶ ଚନ୍ଦ୍ରଶେଖର ଫର୍ଣ୍ଣାଡିଜ୍‌ଙ୍କୁ ୫.୭୧ ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ଏହାଛଡ଼ା, ସେ ଫର୍ଣ୍ଣାଡିଜ୍‌ଙ୍କ ପରିବାର ଲୋକଙ୍କୁ ପ୍ରାୟ ୧୭୩,୦୦୦ ଆମେରିକୀୟ ଏବଂ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର୍‌ ପାଣ୍ଠି ଆକାରରେ ଦେଇଛନ୍ତି ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଆକଳନ କରିଛି। ଅନ୍ୟପକ୍ଷରେ ଜାକଲିନଙ୍କ ଓକିଲ କହିଛନ୍ତି ଯେ, ଜାକଲିନ ସୁକେଶ ସହ ସାମିଲ ନଥାଇ ବି ତାଙ୍କୁ ଫସାଯାଉଛି। ଏନେଇ ଷଡ଼ଯନ୍ତ୍ର କରାଯାଇଛି।

ସମ୍ବନ୍ଧିତ ଖବର