ନଥିପତ୍ରରେ କେବଳ ଜଙ୍ଗଲ ସୁରକ୍ଷା, ବିପଦରେ ୨୭ ସଂରକ୍ଷିତ ଜଙ୍ଗଲାଞ୍ଚଳ

ଖୋର୍ଦ୍ଧା: କୌଣସି ଅଞ୍ଚଳର ପରିବେଶର ସୁସ୍ଥତା ଏହାର ଜଙ୍ଗଲ ଓ ବୃକ୍ଷଲତାର ପରିମାଣକୁ ନେଇ ନିର୍ଦ୍ଧାରର କରାଯାଇଥାଏ। ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟର ନିୟମାନୁସାରେ, ଏକ ନିର୍ଦ୍ଦିଷ୍ଟ ଜନବସତି ଥିବା ଭୂଭାଗର ସର୍ବନିମ୍ନ ୨୦-୨୫ ପ୍ରତିଶତ ଜଙ୍ଗଲ ରହିବା କଥା। କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବନଖଣ୍ଡରେ ଜଙ୍ଗଲ ପରିମାଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ବର୍ତ୍ତମାନ ଜଙ୍ଗଲ ବିଭାଗ ଦ୍ୱାରା ଚିହ୍ନିତ ହୋଇଥିବା ୨୭ଟି ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ବର୍ତ୍ତମାନ ବିପଦଗ୍ରସ୍ତ ଅବସ୍ଥାରେ ରହିଛି। ଖୋର୍ଦ୍ଧା ବନଖଣ୍ଡର ତଥ୍ୟାନୁସାରେ, ଖୋର୍ଦ୍ଧା, ବାଲୁଗାଁ, ଟାଙ୍ଗୀ, ବାଲିପାଟଣା, ନୟାଗଡ଼ର ରଣପୁର ଓ ପୁରୀର ଡେଲାଙ୍ଗ, କଟକର ବାଙ୍କୀ ବନାଞ୍ଚଳରେ ୩୯୬୭୫.୮୮ ହେକ୍ଟର ଆରକ୍ଷିତ ଜଙ୍ଗଲ (ରିଜର୍ଭ ଫରେଷ୍ଟ), ୧୬୬୦୨.୫୯ ହେକ୍ଟର ଚିହ୍ନିତ ସଂରକ୍ଷିତ ଜଙ୍ଗଲ (ଡିପିଏଫ୍), ୫୨୭.୨୮ ହେକ୍ଟର ସଂରକ୍ଷିତ ଆରକ୍ଷିତ ଜଙ୍ଗଲ (ଆର୍ପିଏଫ୍), ୯୨୪.୬୧୭ ହେକ୍ଟର ଗ୍ରାମ୍ୟ ଜଙ୍ଗଲ, ଏଭଳି ମୋଟ ୫୭୭୭୩୦.୩୭ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି। ଏହା ମଧ୍ୟରୁ ଖୋର୍ଦ୍ଧା ବନାଞ୍ଚଳରେ ୫୫୬୬.୯୮ ହେକ୍ଟର ଆରକ୍ଷିତ ଜଙ୍ଗଲ, ଚିହ୍ନିତ ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲ ରହିଥିବା ବେଳେ ରଣପୁରରେ ୧୫୭୪୨.୪୭ ହେକ୍ଟର, ବାଲୁଗାଁରେ ସର୍ବାଧିକ ୨୩୦୩୪.୩୯ ହେକ୍ଟର, ଟାଙ୍ଗୀରେ ୧୨୮୫୯.୨୫ ହେକ୍ଟର, ଡେଲାଙ୍ଗ ବନାଞ୍ଚଳରେ ୪୩୦ ହେକ୍ଟର, ବାଲିପାଟଣାରେ ୯୭.୨୮ ହେକ୍ଟର ଜଙ୍ଗଲ ରହିଛି। ରାଜ୍ୟ ଜଙ୍ଗଲ ନିୟମାନୁସାରେ, ଆରକ୍ଷିତ ଜଙ୍ଗଲ, ପିଆର୍ଏଫ୍ ଓ ଡିଏପ୍ଏଫ୍କୁ ଲାଲ ଅଞ୍ଚଳ (ରେଡ୍ ଜୋନ୍)ରେ ରଖାଯାଇଛି, ଅର୍ଥାତ୍ ଏହି ଅଂଚଳରେ କୌଣସି ଜନବସତି, ନିର୍ମାଣ ଆଦି କାର୍ଯ୍ୟ କରାଯାଇପାରିବ ନାହିଁ। କିନ୍ତୁ ଖୋର୍ଦ୍ଧା ବନଖଣ୍ଡର ବରୁଣେଇ ଆର୍ଏଫ, ନାଗପାଲି ଆର୍ଏଫ୍, ପାଂଚଗଡ଼ ଆର୍ଏଫ୍, ଜୟମଙ୍ଗଳ ଆର୍ଏଫ୍, ଭ୍ରମରୀଦେବୀ ଆର୍ଏଫ୍, ଡୁବୁରୀ ଡିପିଏଫ୍, ପଟିଆ ଆର୍ଏଫ୍, କୁହୁଡ଼ି ଆର୍ଏଫ୍, ଧନୀ ଆର୍ଏଫ (ଦକ୍ଷୀଣ), ଧନୀ ଆର୍ଏଫ୍ (ଉତ୍ତର), ସୁଲିଆ ଆରଏଫ୍, କୁଂଜୁରି ଆର୍ଏଫ୍, ଜଲଭ ଡିପିଏଫ୍, ଭୂଷଣ୍ଡପୁର ଡିପିଏଫ୍, ରାମେଶ୍ୱର ଡିପିଏଫ୍, ଅରାଙ୍ଗ ଆରଏଫ୍, ବଙ୍କଡ଼ା ଆର୍ଏଫ୍, କଟୋଆଳ ଆର୍ଏଫ୍, ଟମଣା ଆର୍ଏଫ୍, ରାଜନୀ ଆରଏଫ୍, ଷଣ୍ଢମାଳ ଆର୍ଏଫ୍, ସୋଲାରୀ ଡିପିଏଫ୍, ଚମ୍ପାଗଡ଼ ଡିପିଏଫ୍, ମାଳ ଆର୍ଏଫ୍, ମଣିନାଗ ଆର୍ଏଫ୍, ସାତଭାୟା ଆର୍ଏଫ୍ ଓ ସୁଲିଆ (ଖ) ପିଆର୍ଏଫରେ ବେଆଇନ ଭାବେ ଜନବସତି, ସ୍କୁଲ-କଲେଜ, ଶିଳ୍ପାନୁଷ୍ଠାନ ଆଦି ଗଢ଼ିଉଠିଛି।

Sambad

ଏହାମଧ୍ୟରୁ ଜୟମଙ୍ଗଳ, ବରୁଣେଇ, ତରାବୋଇ, ପଟିଆ, ଡୁବୁରୀ ଆଦିରେ ଶିଳ୍ପାନୁଷ୍ଠାନ, ସ୍କୁଲ-କଲେଜ ଆଦି ନିର୍ମାଣ ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ବେଆଇନ ଭାବେ ଜଙ୍ଗଲ ଧ୍ୱଂସ କରି ନୂତନ ଜନବସତି ଗଠିତ ହୋଇଛି। ଖୋର୍ଦ୍ଧା ବନଖଣ୍ଡର ୨୦୨୨-୨୩ ତଥ୍ୟାନୁସାରେ ଏହି ଜଙ୍ଗଲ ଅଂଚଳ ମଧ୍ୟରେ ପ୍ରାୟ ୫୦ହଜାରରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି। କେବଳ ଏହାନୁହେଁ ନିୟମିତ ଭାବେ ମାଙ୍କଡ଼ା ପଥର, ମୋରମ, ମୁଗୁନିପଥର ଆଦି ପାଇଁ ବେଆଇନ ଭାବେ ଅନେକ ଜଙ୍ଗଲ ନିୟମିତ ଭାବେ କଟାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏହି ସମସ୍ତ ବେଆଇନ ଦଖଲ, ନିର୍ମାଣ ଓ ଜଙ୍ଗଲ ଧ୍ୱଂସ ନେଇ ବନବିଭାଗ ଜାଣିଥିଲେ ମଧ୍ୟ କିଭଳି ଓ କାହାରି ପ୍ରୋରଚନାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବନବିଭାଗର ନିରବତା ଓ ବେଆଇନ ଜଙ୍ଗଲ ଜମିର ଅଧିଗ୍ରହଣ ଚାଲେ ତେବେ ଆଉ କିଛି ବର୍ଷ ପରେ ଖୋର୍ଦ୍ଧା ଅଂଚଳରୁ ଜଙ୍ଗଲ ପ୍ରାୟତଃ ଶୂନ୍ୟ ହୋଇଯିବ ବୋଲି ପ୍ରକୃତିପ୍ରେମୀ ଓ ପରିବେଶବିଦ୍ମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର