ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କ ଭୂମିକାରେ ଅଭିନୟ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ନିର୍ମାତା ସନ୍ଦୀପ ସିଂହ ଓ ଲୋକପ୍ରିୟ ଅଭିନେତା ସୁରେଶ ଓବେରଏଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ । ଏହି ଫିଲ୍ମରେ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କ ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରିବେ ତା’ର ଖୁଲାସା ଏବେ ହୋଇଛି। ଖାଲି ସେତିକି ନୁହେଁ ଏହି ବାୟୋପିକ୍‌ ଫିଲ୍ମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଭୂମିକାରେ କିଏ ଅଭିନୟ କରିବେ ,ତାହା ବି ଜଣାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ରେ ହୀରାବେନ୍‌ ମୋଦୀ ଚରିତ୍ରରେ ଅଭିନେତ୍ରୀ ଜରିନା ଓ୍ଵହାବ୍‌ ଅଭିନୟ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ଜରିନା କହିଛନ୍ତି ଏହା ତାଙ୍କପାଇଁ ସୌଭାଗ୍ୟର ବିଷୟ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ଭୂମିକା ନିଭାଉଛନ୍ତି। ଏହା ତାଙ୍କ କ୍ୟାରିଅର୍‌ର ସବୁଠୁଁ ମହତ୍ୱପୂର୍ଣ୍ଣ ଚରିତ୍ର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନିର୍ମାତା ସନ୍ଦୀପ ସିଂହ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ ମୋଦୀଙ୍କ ମାଆ ଓ ପତ୍ନୀଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ସେ ଖୁସି ଯେ ଜରିନା ଓ୍ଵହାବ୍‌ ହୀରାବେନ୍‌ଙ୍କ ଭୂମିକା ନିଭାଇବାକୁ ରାଜି ହୋଇଛନ୍ତି।

ଅମିତ ଶାହାଙ୍କ ଭୂମିକା ନିଭାଇବା ଲାଗି ଜଣାଶୁଣା ଅଭିନେତା ମନୋଜ ଯୋଶୀ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ଜରିନା ଓ୍ଵହାବ୍‌ ହେଉଛନ୍ତି ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପତ୍ନୀ ଓ ସୂରଜ ପାଞ୍ଚୋଲିଙ୍କ ମାଆ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ରେ ବିବେକ ଓବେରଏ ଟାଇଟଲ ରୋଲରେ ଅଛନ୍ତି।

ସମ୍ବନ୍ଧିତ ଖବର