ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ୍ ହେଇଯାଇଛି। ଭୁବନେଶ୍ୱରର ଏକ ତାରକା ହୋଟେଲ୍ ମଧ୍ୟରେ ଉକ୍ତ ସିନେମାର କଳାକାର-କାରିଗରଙ୍କ ସହ ଓଲିଉଡର କେତେଜଣ ଜଣାଶୁଣା କଳାକାରଙ୍କୁ ମଧ୍ୟ ଏହି ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା। ଉତ୍ସବରେ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ସଂସ୍କୃତି ସଚିବ ରଂଜନ କୁମାର ଦାଶ ଯୋଗ ଦେଇଥିଲେ। ଅତିଥିମାନଙ୍କ ସହ ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ବ୍ୟୋମକେଶ ଓ ନିର୍ଦ୍ଦେଶକ ଦିଲୀପ୍ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଅଡିଓ ରିଲିଜ୍ ବେଳେ ଗୀତିକାର ନିର୍ମଳ ନାୟକ, ରଂଜନ ଦାସ, ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଉପସ୍ଥିତ ଥିଲେ। ଏମାନଙ୍କ ସହ ଏସବୁ ଗୀତରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦୀପ୍ତିରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ୍ ନନ୍ଦ ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ। କିଛି ଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ। ‘ଲାଗେ ପ୍ରେମ ନଜର’ ଚଳଚ୍ଚିତ୍ରରେ ନାୟକ ଅମ୍ଳାନ ତିନିଜଣ ନାୟିକା ପ୍ରିୟା, ରିୟା ଓ ରାଗିଣୀଙ୍କ ଉପରେ ନଜର ପକେଇଛନ୍ତି। ଏମାନଙ୍କ ସମେତ ଏଇ ସିନେମାରେ ପପି ସନ୍ତୁକା, ବବି ମିଶ୍ର, ଅମର ପ୍ରମୁଖଙ୍କୁ ଦେଖିବାକୁ ପାଇବେ।