ଏଲିନାଙ୍କ ନୂଆ ପାର୍ଟନର

ଓଲିଉଡରେ ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟଙ୍କୁ ୨୦୧୮ରେ ଦୁଇଟି ଓଡ଼ିଆ ସିନେମା ଦେଖିବାକୁ ପାଇବେ ଦର୍ଶକ । ଏହା ନିଶ୍ଚିତ ବୋଲି ଜଣାଯାଇଛି । ଏପରି କୁହାଯିବା ପଛରେ ଏକମାତ୍ର କାରଣ ହେଲା ଯେ ଏଲିନା ଓଲିଉଡର ଦୁଇଟି ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥାର ସିନେମାରେ କାମ କରୁଛନ୍ତି ।

ଏଥିମଧ୍ୟରୁ ପ୍ରଥମଟି ହେଲା ତରଙ୍ଗ ସିନେ ପ୍ରଡକ୍ସନସର ‘ହାପି ଲକି ’ । ଏଥିରେ ସେ ପ୍ରଥମ ଥର ପାଇଁ ନାୟକ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ବନିଛନ୍ତି । ଏହା ହେବ ଜ୍ୟୋତି-ଏଲିନା ଯୋଡ଼ିଙ୍କର ପ୍ରଥମ ସିନେମା । ପୂର୍ବରୁ ଜ୍ୟୋତି, ଝିଲିକ୍‌, ଅଙ୍କିତା, ତମନ୍ନା, ପିଙ୍କି ପ୍ରିୟଦର୍ଶିନୀ ଓ ମାଳବିକା ବାନାର୍ଜୀଙ୍କ ପରି ହିରୋଇନଙ୍କ ଅପୋଜିଟ୍‌ରେ କାଷ୍ଟ ହୋଇଥିଲେ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ଜ୍ୟୋତି ଓ ଏଲିନା ବି ପ୍ରଥମ ଥର ଲାଗି ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି ।

ସୁଧାଂଶୁ ଅତୀତରେ ଅନୁ ଚୌଧୁରୀଙ୍କଠୁଁ ଆରମ୍ଭ ଶୀତଲଙ୍କ ଯାଏଁ ଅଧିକାଂଶ ଆଗଧାଡ଼ିର ନାୟିକା, ସିଦ୍ଧାନ୍ତଙ୍କଠାରୁ ଆରମ୍ଭ କରି ଅଭିଷେକଙ୍କ ଯାଏଁ ଅଧିକାଂଶ ଜଣାଶୁଣା ନାୟକଙ୍କୁ ନେଇ ସିନେମା ତିଆରି କରିଛନ୍ତି । ହେଲେ ଏଲିନା ଓ ଜ୍ୟୋତିଙ୍କୁ ନିର୍ଦ୍ଦେଶନା ଦେବାର ଏହା ସୁଧାଂଶୁଙ୍କର ପ୍ରଥମ ଅଭିଜ୍ଞତା ।

ଏହି ଫିଲ୍ମ ‘ହାପି ଲକି’ରେ ଅବଶ୍ୟ ଆଉ ଗୋଟିଏ ଯୋଡିକୁ ବି ଦେଖିବାକୁ ପାଇବେ ଦର୍ଶକ । ଏହି ଯୋଡି ହେଲେ ସମ୍ବିତ୍‌ – ସସ୍ମିତା । ସସ୍ମିତା ହେଉଛନ୍ତି ‘କିଏ ହେବ ମୋ ହିରୋଇନ୍‌’ ରିଅଲିଟ୍‌ ସୋ’ର ଉଇନର୍‌ । ଏ ଦୁଇ ଯୋଡିଙ୍କ ଭିତରୁ କାହାକୁ ଦର୍ଶକ ବେଶୀ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର